ମହାକାଳପଡ଼ା, ୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ରାଜ୍ୟ ସରକାର ତୃଣମୂଳ ସ୍ତରରେ ବୟସ୍କଙ୍କ ପାଇଁ ନୂଆ ଭତ୍ତା ପ୍ରଦାନ କରିବାକୁ ହାତ ଖୋଲି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ମହାକାଳପଡ଼ା ବ୍ଲକ ସଭାଗୃହରେ ଭତ୍ତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ।
ମହାକାଳପଡ଼ା ବ୍ଲକରେ ମୋଟ ୪୪୫୯ ଜଣ ହିତାଧିକାରୀ ନୂତନ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବ୍ଲକ ସଭାଗୃହରେ ଆୟୋଜିତ ସଭାରେ ବିଧାୟକ ଡ. ନାୟକ ଆନୁଷ୍ଠାନିକ ଭାବେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ବିଧାୟକ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ହେଉଛି ଲୋକଙ୍କ ସରକାର। ଏଣିକି ଭତ୍ତା ପାଇଁ ହିତାଧିକାରୀଙ୍କୁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ। ନୂତନ ଭତ୍ତା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ବ୍ଲକ କାର୍ଯ୍ୟାଳୟରେ ଆବେଦନପତ୍ର ଦାଖଲ କଲେ, ଯାଞ୍ଚ ପରେ ପରବର୍ତ୍ତୀ ମାସରେ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ସଭାରେ ବ୍ଲକ ବିଡିଓ ମନୋଜ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳା, ସାଂସଦଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ, ସମିତି ସଭ୍ୟ ରଞ୍ଜନ ଚୌଧୁରୀ, ସରପଞ୍ଚ ପ୍ରଜ୍ଞା ପାରମିତା କର, ସଂଯୁକ୍ତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଅତିରିକ୍ତ ବିଡିଓ କିରଣ ସାମଲ, ସହକାରୀ ଯନ୍ତ୍ରୀ ଆଲୋକ ବେହେରାଙ୍କ ସମେତ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ।