ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ: ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ପଡିବ ତାଲା

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗୁରୁବାର ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନରେ ଅକ୍ଟୋବର ୩୧ ଯାଏ ଲକଡାଉନ ବଳବତ୍ତର ରହିବ। ପୂର୍ବଭଳି ରାଜ୍ୟରେ ସମସ୍ତ ସିନେମା ହଲ ଓ ସୁଇମିଂ ପୁଲ ବନ୍ଦ ରହିବ। କେବଳ କ୍ରୀଡାବିତଙ୍କ ପାଇଁ ସୁଇମିଂ ପୁଲ ଖୋଲା ରହିବ। ସେହିପରି ଅକ୍ଟୋବର ୩୧ ଯାଏ ଥିଏଟର ଓ ଅଡିଟୋରିୟମ ବନ୍ଦ ରହିବ। ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ ଯାଏ ବନ୍ଦ ରହିବ। ପୂର୍ବପରି ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠପଢା ଜାରି ରହିବ। ସେହିପରି ଉପନିର୍ବାଚନ ହେଉଥିବା ଅଞ୍ଚଳରେ ସମାବେଶ ଉପରେ କଟକଣା କୋହଳ କରାଯାଇଛି। ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ସମାବେଶ ହୋଇପାରିବ। ସମାବେଶରେ ମାସ୍କ ଓ ସାନିଟାଇଜେସନ ବାଧ୍ୟତାମୂଳକ କରାଯାଇଛି। ସାମାଜିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ, ଧାର୍ମିକ ସମାବେଶ ଉପରେ ସରକାର କଟକଣା ଜାରି କରିଛନ୍ତି। ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ମଦ୍ୟପାନ କରିବାକୁ ନିଷେଧ କରାଯାଇଛି। ସେହିପରି ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଯା ଆସରେ କଟକଣା ରହିବ ନାହିଁ। ଘରୋଇ ମାଲ ପରିବହନକାରୀ ଗାଡି ପୂର୍ବଭଳି ବିନାବାଧାରେ ଯାତାୟାତ କରିପାରିବେ। ଯାତ୍ରୀବାହୀ ବସ ବିନା ବାଧାରେ ରାଜ୍ୟ ଭିତରେ, ବାହାରେ ଚଳାଚଳ କରିପାରିବେ ବୋଲି ଅନୁମତି ଦିଆଯାଇଛି।