ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ଦଳର ରାଜ୍ୟ ସମ୍ପାଦକ ପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନିଜ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଦଳରେ ରହି ସାଧାରଣ ଜନତାଙ୍କ କୌଣସି କାମ କରି ହେଉ ନ ଥିବା ବେଳେ ଜିଲା ଓ ରାଜ୍ୟ ସଙ୍ଗଠନ ନେତୃବୃନ୍ଦ ମଧ୍ୟ ସହଯୋଗ କରୁ ନ ଥିବାରୁ ସେ ଦଳ ଛାଡିଥିବା ସୂଚନା ଦେଇଛନ୍ତି। ସେହିପରି ଅଞ୍ଚଳରେ ଦଳ ପକ୍ଷରୁ ଅନୁଷ୍ଠିତ ବୈଠକରେ ତାଙ୍କୁ ଡକା ଯାଉ ନ ଥିବାରୁ ସେ ଦଳ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ତେବେ ଭବିଷ୍ୟତ ସମ୍ପର୍କରେ ସେ କୌଣସି ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ହର୍ଷବର୍ଦ୍ଧନ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀ ହେବାକୁ ଆଶାୟୀ ଥିଲେ ବୋଲି ଚର୍ଚ୍ଚା ହେଉଥିଲା।