ରାଜ୍ୟ, କେନ୍ଦ୍ର ସରକାର ସବୁକ୍ଷେତ୍ରରେ ବିଫଳ: କଂଗ୍ରେସ

ଅମରପାଲି, ୧୯।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା କଂଗ୍ରେସ ତରଫରୁ ନବସଂକଳ୍ପ ଶିବିରର ଜିଲାସ୍ତରୀୟ କର୍ମଶାଳା ଶନିବାର ବୀରମହାରାଜପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ କଂଗ୍ରେସ କମିଟି ସଭାପତି ବସନ୍ତ ମହାକୁଡ଼ ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଶିବିରରେ ଜିଲାର କଂଗ୍ରେସ କର୍ମୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସବୁକ୍ଷେତ୍ରରେ ବିଫଳତା ଯୋଗୁ ସାଧାରଣ ଲୋକେ ହଇରାଣ ହେଉଥିବା ମତପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ ଏକଚାଟିଆ ଶାସନ, ଆଇନଶୃଙ୍ଖଳା ବିଫଳତା ଏବଂ କେନ୍ଦ୍ର ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିି, ଦରଦାମ ବୃଦ୍ଧି ଆଦିକୁ ନିନ୍ଦା କରାଯାଇଥିଲା। ଏଥିପାଇଁ କଂଗ୍ରେସ ଦଳ ନବସଂକଳ୍ପ ସମାବେଶ କରି ଉଭୟ ଭାଜପା ଓ ବିଜେଡି ସରକାର ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଉପସ୍ଥିତ ନେତୃବର୍ଗ କହିଥିଲେ।
ଏହି ନବସଂକଳ୍ପ ଶିବିରରେ ଜିଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ଉପସଭାପତି ବାଳକୃଷ୍ଣ ଦଣ୍ଡସେନା ଓ ରାଜଗୋପାଲ ପାଣିଗ୍ରାହୀ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ଦମୟନ୍ତୀ ବାଘ, ପୂର୍ବତନ ବିଧାୟକ ବିନୋଦ ପାତ୍ର, ପୂର୍ବତନ ଜିଲା ଯୁବ କଂଗ୍ରେସ ସଭାପତି ଜିତେନ୍ଦ୍ର ପଟ୍ଟନାୟକ, ଜିଲା ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବୀରମହାରାଜପୁର ବ୍ଲକ ଯୁବ କଂଗ୍ରେସ ସଭାପତି ବିଦ୍ୟାଧର ଖୁର୍ଡିଆ, ଜିଲା କୃଷକ ମୋର୍ଚ୍ଚା ସଭାପତି ନରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବୀରମହାରାଜପୁର ବ୍ଲକ ଜୋନ-୧ରୁ ଦଳୀୟ ଟିକେଟରେ ବିଜୟୀ ଜିଲା ପରିଷଦ ସଦସ୍ୟ ଲବ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।