ଭୁବନେଶ୍ୱର,୯।୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବା ସହ ରାଜ୍ୟର ବିକାଶକୁ ଗୁରୁତ୍ୱ ଦିଆଯାଇଛି।
ବୈଠକ ପରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ନୂଆପଡ଼ାରେ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଲାଗି ୨୮୯.୬୮ କୋଟି ବ୍ୟୟ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନିଆଯାଇଛି।
ସେଥିରେ ୭ଟି ମେଗା ଲିଫ୍ଟ କରାଯିବାକୁ ବ୍ୟବସ୍ଥା ରହିଛି। ନୂଆପଡ଼ାର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନାର କ୍ଲଷ୍ଟର-୨୮ ଅଧୀନରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ବୋଡ଼େନ, ବୋରିଗାଁ, ଖଇରମାଲ, ଇସୁନପାଲି, ଗଣ୍ଡାବାହାଲି, ଚୌରା ଏବଂ କୋନାବିରା ପ୍ରକଳ୍ପ ଦ୍ବାରା ବୋଡ଼େନ, ସିନାପାଲି ଏବଂ କୋମନା ବ୍ଲକର ୫୯ ଟି ଗ୍ରାମର ୮,୮୦୦ ହେକ୍ଟର ଜମିରେ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବ।
ଏହି ପ୍ରକଳ୍ପର ନିର୍ମାଣ ପାଇଁ ୨୬୮କୋଟି ୨୨ଲକ୍ଷ ୪୦ହଜାର ୮୪୨ ଟଙ୍କା ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ଲାଗି ୨୧କୋଟି ୪୫ଲକ୍ଷ ୭୯ହଜାର ୨୬୮ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ସେହିପରି ଓଡିଶାରେ ସାଧାରତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଯୋଗୁ, ଅଧିକାଂଶ ବୃଷ୍ଟିପାତ କେବଳ ଜୁନ୍-ଅକ୍ଟୋବରରେ କେନ୍ଦ୍ରିତ ହେଉଥିବାରୁ ଏହାର ଦୀର୍ଘକାଳୀନ ସମାଧାନ ଲାଗି ଅନ୍ତଃ ନଦୀ ଜଳାଶୟ ନିର୍ମାଣକୁ ତ୍ୱରାନ୍ବିତ କରାଯିବ। ଏହି ଯୋଜନା ଅନ୍ତର୍ଗତ, ବଲାଙ୍ଗୀର ଜିଲାର ଟିଟିଲାଗଡ଼ ବ୍ଲକ୍ର ପଥର୍ଲା ଗ୍ରାମ ନିକଟରେ ତେଲ୍ ନଦୀର ଉପନଦୀ ଅବବାହିକାରେ ପ୍ରସ୍ତାବ ପ୍ରକଳ୍ପ ଲାଗି କ୍ୟାବିନେଟ ୯୯କୋଟି ୯୯ଲକ୍ଷ ୯୯ହଜାର ୯୯୯ ଟଙ୍କାର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି ।
ଏହି ପ୍ରକଳ୍ପ ମାଧ୍ୟମରେ ଟିଟିଲାଗଡ଼ ଓ ବଙ୍ଗମୁଣ୍ଡା ବ୍ଲକର ୧୨ଟି ଗ୍ରାମକୁ ଘରୋଇ ଜଳ ଯୋଗାଣ କରାଯାଇପାରିବ।