କରୋନା କବଳରେ ରାଜ୍ୟର ବ୍ୟାଙ୍କ କର୍ମଚାରୀ: ୩୦୬୬ ସଂକ୍ରମିତ, ୧୪ ଜଣଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୩୭ରୁ ଊର୍ଦ୍ଧ୍ୱ ଘରୋଇ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କର କର୍ମଚାରୀ ଜୀବନକୁ ବିପଦରେ ପକାଇ ଗତ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ବିଭିନ୍ନ ସରକାରୀ କାର୍ଯ୍ୟ ସହ ଗ୍ରାହକସେବା ପ୍ରଦାନ କରିଆସୁଛନ୍ତି। ମହାମାରୀ ସମୟରେ ମଧ୍ୟ ବିଭିନ୍ନ ବର୍ଗର ଗ୍ରାହକ ସେମାନଙ୍କର ବହୁ ଆବଶ୍ୟକ କାର୍ଯ୍ୟ ପାଇଁ ବ୍ୟାଙ୍କ ଆସୁଛନ୍ତି। ଫଳରେ ବ୍ୟାଙ୍କରେ ସଂକ୍ରମଣ ବ୍ୟାପିବା ଆଶଙ୍କା ବଢିଛି। ସେହିଭଳି ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଥିତ୍ବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ପକ୍ଷରୁ ସୂଚନା ଦିଆଯାଇଛି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାଙ୍କିଙ୍ଗ କ୍ଷେତ୍ରରୁ ବର୍ତ୍ତମାନ ସୁଦ୍ଧା ୩୦୬୬ ଜଣ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ବେଳେ୧୪ଜଣଙ୍କର ଜୀବନ ଚାଲିଯାଇଥିବା ଜଣାପଡିଛି। ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି କମିଟି ରାଜ୍ୟ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି। ମହାମାରୀ ପ୍ରକୋପ କମିବା ପର୍ଯ୍ୟନ୍ତ କର୍ମଚାରୀ ସଂଖ୍ୟା ୧୦୦% ପରିବର୍ତ୍ତେ ୫୦-୭୦%କୁ ହ୍ରାସ କରିବା, ୧ମ ଓ ୩ୟ ଶନିବାରକୁ ଛୁଟି ଘୋଷଣା କରିବାକୁ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି। କମିଟିର ଏହି ପ୍ରସ୍ତାବକୁ ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ମହାସଂଘର ସଭାପତି (ଓଡ଼ିଶା ଶାଖା) ଦାମୋଦର ନନ୍ଦ ସମର୍ଥନ କରିଥିବା ସୂଚନା ମିଳିଛି।