କୋଲକାତା ପୂଜା ପେଣ୍ଡାଲରେ ଦଳାଚକଟା: ଚାଲିଗଲା ୧୯ ଜୀବନ

କୋଲକାତା,୧୮ା୧୦: ଉତ୍ତର କୋଲକାତାର ଚୋରବାଗାନ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲରେ ଶନିବାର ସନ୍ଧ୍ୟାରେ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ୧୩ ଜଣ ମହିଳା ଓ ଜଣେ ପିଲା ଅଛନ୍ତି। ଏଥିସହିତ ୩୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବାବେଳେ ସେମାନଙ୍କୁ କୋଲକାତା ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ସହାୟତା ସହ ପରିବାରରୁ ଜଣକୁ ଗ୍ରୁପ୍‌ ଡି’ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ପ୍ରତ୍ୟେକ ଆହତଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଦିଆଯିବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ। କୋଲକାତା ହାଇକୋର୍ଟର ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଦଳାଚକଟା ଘଟଣାର ତଦନ୍ତ କରିବ। ଏଥିରେ ଏସ୍‌ଟିଏଫ୍‌, ସିଆଇଡି ଓ ଅନ୍ୟ ବିଭାଗର ଅଧିକାରୀ ରହିବେ ବୋଲି ଶୁଭେନ୍ଦୁ କହିଛନ୍ତି।


ଶନିବାର ସନ୍ଧ୍ୟାରେ ବର୍ଷା ହେଉଥିବାବେଳେ ଗିରୀଶ ପାର୍କ ଥାନା ଅନ୍ତର୍ଗତ ଚୋରବାଗାନ ପୂଜା ପେଣ୍ଡାଲରେ ପ୍ରବଳ ଭିଡ଼ ହୋଇଥିଲା। ସନ୍ଧ୍ୟା ୭ଟା ୪୦ ମିନିଟ୍‌ ସମୟରେ ପେଣ୍ଡାଲର ପ୍ରସ୍ଥାନ ଗେଟ୍‌ ନିକଟରେ ଦଳାଚକଟା ଘଟିଥିଲା ବୋଲି କୋଲକାତା ପୋଲିସ କହିଛି। ଘଟଣାସ୍ଥଳରେ କୋଲକାତା ପୋଲିସ, ଅଗ୍ନିଶମ କର୍ମଚାରୀ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍‌ ଓ ଆମ୍ବୁଲାନ୍ସ ସହ ଡାକ୍ତରୀ ଟିମ୍‌ ଉପସ୍ଥିତ ରହିଛନ୍ତି। ପୂଜା ପେଣ୍ଡାଲକୁ ଦର୍ଶକମାନଙ୍କ ପାଇଁ ବନ୍ଦ କରିଦିଆଯାଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ, ସ୍ବାସ୍ଥ୍ୟମନ୍ତ୍ରୀ ଶାରଦ୍ୱତ ମୁଖାର୍ଜୀ, ମୁଖ୍ୟ ସଚିବ ମନୋଜ ଅଗ୍ରଓ୍ବାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦଳାଚକଟା ପରେ ଚୋରବାଗାନ ଦୁର୍ଗାପୂଜା କମିଟି ସାଧାରଣ ସମ୍ପାଦକ ଜୟନ୍ତ ବାନାର୍ଜୀଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦଳାଚକଟାରେ ଅନେକେ ଚେତା ହରାଇଥିଲେ। ଅନେକଙ୍କୁ ମୋଟରସାଇକେଲ ଯୋଗେ ହସ୍ପିଟାଲ ନିଆଯାଇଥିଲା। ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ଏହି ଦୁଃଖଦ ଘଟଣାର କାରଣ ବୋଲି ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଉକ୍ତ ସ୍ଥାନରେ ଆଲୋକ ନ ଥିଲା। ତାଙ୍କ ଝିଅ ଓ ନାତି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସେ କହିଛନ୍ତି। ଦଳାଚକଟା ପରେ ପୂଜା ଆୟୋଜକମାନେ ମଣ୍ଡପର ଆଲୋକ ବନ୍ଦ କରିଦେବା ସହ ପ୍ରବେଶ ପଥକୁ ବନ୍ଦ କରିଦେଇଛନ୍ତି। ତେବେ କ’ଣ ପାଇଁ ଦଳାଚକଟା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଲୋକଙ୍କୁ ଉଦ୍ଧାରକରି ହସ୍ପିଟାଲରେ ପହଞ୍ଚାଇବା ଆମର ପ୍ରଥମ କାମ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ଦଳାଚକଟା ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଏବଂ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଦୁଃଖପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। କୋଲକାତାର ଦଳାଚକଟା ଅତ୍ୟନ୍ତ ଦୁଃଖଦ ଘଟଣା। ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ପଶ୍ଚିମବଙ୍ଗରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ତାଙ୍କ ରାଜନୈତିକ କାର୍ଯ୍ୟକ୍ରମକୁ ରବିବାରକୁ ଘୁଞ୍ଚାଇ ଦେଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ସହ କଥା ହୋଇ ସ୍ଥିତି ସମ୍ପର୍କରେ ବୁଝିଥିଲେ। ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମାର ଶାନ୍ତି ପାଇଁ ସେ ପ୍ରାର୍ଥନା କରିବା ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ମମତା ବାନାର୍ଜୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ହେଲ୍ପଲାଇନ ନମ୍ବର ୧୮୦୦୩୪୫୫୬୭୮ ଜାରି ହୋଇଛି।
ପୂଜା ପେଣ୍ଡାଲରେ ଭିଡ଼ ପରିଚାଳନା ପାଇଁ ପର୍ଯ୍ୟାପ୍ତ ପୋଲିସ କର୍ମଚାରୀ, ସ୍ବେଚ୍ଛାସେବୀ ଓ ଆମ୍ବୁଲାନ୍ସର ଅଭାବକୁ ନେଇ ଟିଏମ୍‌ସି ପ୍ରଶ୍ନ କରିବା ସହ କୋଲକାତା ପୋଲିସ ଏବଂ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ଉତ୍ତରଦାୟୀ କରିଛି। ଦଳାଚକଟା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ନିଜକୁ ଦାୟୀ କରି ଇସ୍ତଫା ଦେବେ କି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛି।
ଶନିବାର ଅପରାହ୍ନରେ କୋଲକାତା ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। କିଛି ସମୟ ବର୍ଷା ବନ୍ଦ ହେବା ପରେ ପୁଣି ସନ୍ଧ୍ୟାରେ ଆରମ୍ଭ ହୋଇଥିଲା। ଏହା ସତ୍ତ୍ୱେ ସହରର ପୂଜା ପେଣ୍ଡାଲଗୁଡ଼ିକରେ ଭିଡ଼ ଲାଗିରହିଥିଲା।

Dharitri – Odisha’s No.1 Odia Daily

Share