ରାୟଗଡ଼ା,୧୯।୧(ଆଶିଷ ରଞ୍ଜନ ପଣ୍ଡା): ଗୁଣି କରୁଥିବା ସନ୍ଦେହରେ ରାୟଗଡ଼ା ସହର ମାଙ୍କଡ଼ଝୋଲା ବସ୍ତିରେ ରବିବାର ଜଣେ ବୃଦ୍ଧାଙ୍କୁ ଛୁରାମାଡ଼ ହୋଇଛି। ନଦୀପଠାରେ ପଡ଼ିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି। ଆହତ ବୃଦ୍ଧା ହେଲେ ଖାଲିମଣି ଜାନି(୬୯)।
ଘଟଣାରୁ ପ୍ରକାଶ, ରାୟଗଡ଼ା ସହର ମାଙ୍କଡ଼ଝୋଲା ବସ୍ତିର ବାଲୁ ଝୋଡ଼ିଆ ଓ ବେଜୁ ଜାନି ଶନିବାର ରାତି ପ୍ରାୟ ୧୦ ଟାରେ ଖାଲିମଣିଙ୍କ ଘରକୁ ଯାଇ ତାଙ୍କୁ ଡାକି ନେଇଥିଲେ। ସେ ଘରୁ ବାହାରକୁ ଆସିବା ପରେ ଗୁଣିଗାରେଡି ଘଟଣାକୁ ନେଇ କିଛି ସମୟ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏକ ଛୁରିରେ ଖାଲିମଣିଙ୍କୁ ଆକ୍ରମଣ କରି ଘୋଷାରି ନେଇ ନିକଟସ୍ଥ ନାଗାବଳୀ ନଦୀପଠାରେ ଫିଙ୍ଗି ଦେଇଥିଲେ। ଏହି କାଣ୍ଡ ଭିଆଇବା ପରେ ଉଭୟେ ସେଠାରୁ ଫେରାର ହୋଇଯାଇଥିଲେ।
ବସ୍ତି ଲୋକେ ଖାଲିମଣିଙ୍କୁ ଦେଖି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସୂଚନା ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଫେରାର ୨ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି କେକେବିକେ କହଁର କହିଛନ୍ତି।


