ଶ୍ରୀମନ୍ଦିର ଗର୍ଭଗୃହ, ମହାପ୍ରଭୁଙ୍କ ଫଟୋ ଭାଇରାଲ

ପୁରୀ ଅଫିସ,୨୦।୧୧: ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇ୍‌ଛି। କିନ୍ତୁ ଏଥର ଶ୍ରୀମନ୍ଦିର ପରିସରର କାୈଣସି ସ୍ଥାନ ନୁହେଁ। ବରଂ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନାରୂଢ ଚତୁର୍ଦ୍ଧାବିଗ୍ରହଙ୍କ ଫଟୋ ଭାଇରାଲ ହୋଇଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ଘଟଣା ସମ୍ପର୍କରେ ଶ୍ରୀମନ୍ଦିରର ଯୁବ ସେବାୟତମାନଙ୍କ ପକ୍ଷରୁ ସିଂହଦ୍ୱାର ଥାନା, ଜିଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅଭିଯୋଗ କରିବା ସହ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ଜଣେ ବ୍ୟକ୍ତି ଯାହାଙ୍କ ନାମ ଆକାଶ ଚୌଧୁରୀ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନସିଂହାସନାରୂଢ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଭାଇରାଲ କରିଥିବା ଜଣାପଡିଛି। ଆକାଶ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ମହାପ୍ରଭୁଙ୍କ ବିଗ୍ରହରର ଫଟୋ ଓ ଭିଡିଓ ଅପ୍‌ଲୋଡ କରିବା ସହ ବଙ୍ଗାଳାରେ କିଛି ଲେଖିଛନ୍ତି। ତେବେ ତାଙ୍କ ଫେସବୁକ୍‌ରେ ଏପରି ମହାପ୍ରଭୁଙ୍କ ଫଟୋ ପୋଷ୍ଟ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ତେବେ ବାରମ୍ବାର ଶ୍ରୀମନ୍ଦିର ଭିତର ଏବଂ ରଥ ସମୟରେ ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ ହେବା ଓ ପୁଣି ସୋସିଆଲ ମିଡିଆରେ ଜଣେ ଭକ୍ତ ମହାପ୍ରଭୁଙ୍କ ବିଗ୍ରହକୁ ଭାଇରାଲ କରିବା ଘଟଣାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି। ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ପରିସରରେ ଦର୍ଶନ କରିବା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ମନ୍ଦିର ଆସୁଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଭକ୍ତଙ୍କ ଯାଞ୍ଚ କରି ମନ୍ଦିରକୁ ଯିବାକୁ ଦିଆଯାଉଛି। ତେବେ ଏତେ ଯାଞ୍ଚ ସତ୍ତ୍ୱେ କିଭଳି କିଏ ମୋବାଇଲ ଫୋନ ନେଇ ମନ୍ଦିରକୁ ଯିବା ସହ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ଉଠାଇଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ମାତ୍ର ଏତେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିପରି ମୋବାଇଲ ଫୋନ ମନ୍ଦିର ମଧ୍ୟକୁ ଗଲା ତାହା ତଦନ୍ତ ସାପେକ୍ଷ। ସେହିପରି ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ ଓ ସେବକମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି। ତେବେ ସମସ୍ତଙ୍କ ନଜର ଆଢୁଆଳରେ କିପରି ଜଣେ ବ୍ୟକ୍ତି କିଛି ସମୟ ଠିଆ ହୋଇ ମୋବାଇଲ ଯୋଗେ ମହାପ୍ରଭୁଙ୍କ ଭିଡିଓ ଓ ଫଟୋ ଉଠାଇଲେ। ଅପରପକ୍ଷେ ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ମଧ୍ୟ ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନର ନୀରବତାକୁ ନେଇ ନାନା ସନ୍ଦେହ ଉଠୁଛି। ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ପୋଲିସ ଯଦି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଅନ୍ତା, ତେବେ ପୁଣି ଏପରି କାର୍ଯ୍ୟ ହୁଅନ୍ତା ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ତେବେ ଏ ଘଟଣାକୁ ସେବକ ସଂଘ ଓ ଶ୍ରୀମନ୍ଦିର ଯୁବ ସେବାୟତଙ୍କ ପକ୍ଷରୁ ଶନିବାର ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପରି ଘଟଣାର ତଦନ୍ତ କରିବାକୁ ଦାବି କରି ଜିଲାପାଳ ଏବଂ ଶ୍ରୀମନ୍ଦିର କମାଣ୍ଡରଙ୍କ ଜରିଆରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସଂଘ ସଭାପତି ଭବାନୀ ଶଙ୍କର ଦାଶ ଓ ସମ୍ପାଦକ ଶିବ ଶଙ୍କର ସୁବୁଦ୍ଧିଙ୍କ ସହ ଯୁବ ସେବାୟତମାନେ ଉପସ୍ଥିତ ଥିଲେ।