Categories: ଖେଳ

ବାଂଲାଦେଶକୁ ହରାଇ ଶ୍ରୀଲଙ୍କାର ବିଜୟ ଅଭିଯାନ

ପାଲେକେଲ,୩୧ା୮: ଏସିଆ କପ୍‌ କ୍ରିକେଟରେ ଗୁରୁବାର ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରି ଶ୍ରୀଲଙ୍କା ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ସମସ୍ତ ଉଇକେଟ ହରାଇ ୧୬୪ ରନ୍‌ କରିଥିଲା। ନଜମୋଲ ହୋସେନ୍‌ ଶନ୍ତୋ ସର୍ବାଧିକ ୮୯ ରନ୍‌ କରିଥିଲେ। ଜବାବରେ ଶ୍ରୀଲଙ୍କା ସାଦିରା ସମରଓ୍ବିକ୍ରମା ଓ ଚରିଥ୍‌ ଅସଲଙ୍କାଙ୍କ ଅର୍ଦ୍ଧଶତକ ବଳରେ ୩୯ ଓଭରରେ ୫ ଉଇକେଟ ହରାଇ ୧୬୫ ରନ୍‌ କରିଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩୬ ରନ୍‌ରେ ୩ ଉଇକେଟ ହରାଇଥିବା ବେଳେ ଶନ୍ତୋ ୮୯ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ। ୧୨୨ ବଲ୍‌ ଖେଳି ସେ ୭ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମହମ୍ମଦ ନଇମ୍‌ ୧୬, ତୋହିଦ୍‌ ହ୍ରିଦୟ ୨୦ ଓ ମୁସଫିକୁର ରହିମ୍‌ ୧୩ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାନା ୪ ଉଇକେଟ ନେଇଥିଲେ।

ଜବାବରେ ଶ୍ରୀଲଙ୍କା ୪୩ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ସାଦିରା ସମରଓ୍ବିକ୍ରମା(୫୪) ଏବଂ ଚରିଥ୍‌ ଅସଲଙ୍କା(୬୨*) ଚତୁର୍ଥ ଉଇକେଟରେ ୭୮ ରନ୍‌ ଯୋଡି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ସମରଓ୍ବିକ୍ରମା ୭୭ ବଲ୍‌ ଖେଳି ୬ ଚୌକା ମାରିଥିଲେ। ଅସଲଙ୍କା ୯୨ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିଲେ। ବାଂଲାଦେଶ ପକ୍ଷରୁ ଶାକିବ ଅଲ ହସନ ୨ ଉଇକେଟ ନେଇଥିଲେ।

Share