Categories: ଖେଳ

ଟସ୍‌ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି: ଟାଇଟଲ ଲକ୍ଷ୍ୟରେ ଭାରତ

ସିଲହଟ୍‌,୧୪ା୧୦: ଶନିବାର ଭାରତ ଏସିଆ କପ୍‌ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଅଧିନାୟିକା
ଚାମେରି ଆଟ୍ଟାପଟୁ ଟସ୍‌ ଜିତି ବୋଲିଂ ନିଷ୍ପତ୍ତିି ନେଇଛନ୍ତି। ଫଳରେ ଭାରତ ଆମନ୍ତ୍ରଣ ପାଇ ବ୍ୟାଟିଂ କରିବ। ଅନ୍ୟପକ୍ଷେ କ୍ରମାଗତ ସପ୍ତମ ଟାଇଟଲ ହାସଲ ଲକ୍ଷ୍ୟରେ ରହିଥିବା ଭାରତ ଯୁବ ଖେଳାଳିଙ୍କୁ ନେଇ ଗଠିତ ଲାଇନ ଅପ୍‌ ଅଭିଜ୍ଞ ଶ୍ରୀଲଙ୍କା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଲିଗ୍‌ ମ୍ୟାଚରେ ଭାରତ ବିଜୟୀ ହୋଇଛି।

ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ କୌର ଓ ଉପ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ବ୍ୟାଟରୁ ବିଶେଷ ରନ୍‌ ବାହାରି ନ ଥିବା ବେଳେ ଭାରତୀୟ ଯୁବ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି। ଟୁର୍ନାମେଣ୍ଟର ଟପ୍‌ ସ୍କୋରର ରହିଥିବା ଜେମିମା ରୋଡ୍ରିଗ୍ବେଜ ୨ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ବ୍ୟାଟରେ ଉପଯୋଗୀ ଅବଦାନ ଦେଇଛନ୍ତି। ବୋଲିଂରେ ଭାରତୀୟ ସ୍ପିନର ଚମତ୍କାର ଫର୍ମରେ ରହିଛନ୍ତି। ଦୀପ୍ତି ଶର୍ମା ଟୁର୍ନାମେଣ୍ଟର ହାଇଏଷ୍ଟ ଉଇକେଟ ଟେକର ରହିଛନ୍ତି। ସେହିପରି ତାଙ୍କ ବ୍ୟତୀତ ସ୍ନେହ ରାଣା, ରାଜେଶ୍ୱରୀ ଗାଏକ୍ୱାଡ ମଧ୍ୟ ନିୟମିତ ଉଇକେଟ ହାସଲରେ ସମର୍ଥ ହୋଇଛନ୍ତି। ହରମନପ୍ରୀତ ମାତ୍ର ୪ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ବେଳେ ମନ୍ଧାନା ୩ ମ୍ୟାଚରେ ଅଧିନାୟିକା ରହିଛନ୍ତି।

ଅନ୍ୟପକ୍ଷେ ଦୁଇ ସଂଘର୍ଷପୂର୍ଣ୍ଣ ବିଜୟ ସହିତ ଶ୍ରୀଲଙ୍କା ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଲାଇବ। ଅଭିଜ୍ଞ ସ୍ପିନର ଇନୋକା ରଣଓ୍ବିରା ଓ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ।

Share