ଭାରତରୁ ୯କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା

ନୂଆଦିଲ୍ଲୀ,୨୯।୮: ଦେଶର ପରିବର୍ତ୍ତନଶୀଳ ମୂଲ୍ୟକୁ ପ୍ରତିହତ କରିବା ଏବଂ ଗ୍ରାହକଙ୍କ ପାଇଁ ସୁଲଭ ମୂଲ୍ୟରେ ଅଣ୍ଡା ଯୋଗାଇବା ନେଇ ଭାରତରୁ ୯.୨୧କୋଟି ଅଣ୍ଡା ଆମଦାନୀ କରିବ ଶ୍ରୀଲଙ୍କା।

ଶ୍ରୀଲଙ୍କା ସରକାରଙ୍କ କ୍ୟାବିନେଟ ମୁଖପାତ୍ର ବାନ୍ଦୁଲା ଗୁନାୱାର୍ଡେନେ କହିଛନ୍ତି, କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି। ବଜାରରେ ଅଭାବ ଏବଂ ଅସ୍ଥିରତାକୁ ନେଇ ଭାରତରୁ ଅଣ୍ଡା ଆମଦାନୀ କରିବାକୁ ଅନୁମତି ଦେବାକୁ ରାଜ୍ୟ ବାଣିଜ୍ୟ ନିଗମ ସରକାରଙ୍କୁ ଅନୁରୋଧ କରିଛି। ଅଣ୍ଡାର ଘରୋଇ ମୂଲ୍ୟ ସ୍ଥିର କରିବା ଏବଂ ଶ୍ରୀଲଙ୍କା ଗ୍ରାହକଙ୍କୁ ଅଣ୍ଡାର ସୁଲଭତା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ଏକ ରଣନୀତିକ ପଦକ୍ଷେପ ବୋଲି ଗୁନାୱାର୍ଡେନ କହିଛନ୍ତି।

ପଶୁ ଉତ୍ପାଦ ଏବଂ ସ୍ବାସ୍ଥ୍ୟ ବିଭାଗ ଦ୍ୱାରା ସୁପାରିଶ କରାଯାଇଥିବା ତିନୋଟି ଭାରତୀୟ କମ୍ପାନୀରୁ କୋଟେସନ ଡକାଯାଇଛି ଓ ତିନିମାସ ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ମାର୍ଚ୍ଚରୁ ଶ୍ରୀଲଙ୍କା ଭାରତର ଅଣ୍ଡା ଉପରେ ନିର୍ଭରଶୀଳ ଥିଲା ଯେତେବେଳେ ଦ୍ୱୀପରାଷ୍ଟ୍ରରେ ପଶୁ ଖାଦ୍ୟ ଆମଦାନୀକୁ ପ୍ରଭାବିତ କରୁଥିବା ବୈଦେଶିକ ମୁଦ୍ରା ସଙ୍କଟ ଦେଖାଦେଇଥିଲା। ସଙ୍କଟକୁ ଦୂର କରିବା ପାଇଁ ଭାରତୀୟ ଅଣ୍ଡା ଆମଦାନୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚରେ ଶ୍ରୀଲଙ୍କା ଭାରତରୁ ୨୦ଲକ୍ଷ ଅଣ୍ଡା ଆମଦାନୀ କରି ଦେଶରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିଥିଲା।

Share