ଦୋହା,୨୬ା୧୧: ଏସିସି ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଶ୍ରୀଲଙ୍କା-ଏ’ ୮ ଉଇକେଟରେ ଭାରତ-ଏ’କୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଭାରତ-ଏ’ ପକ୍ଷରୁ ପ୍ରଦତ୍ତ ୩୧୮ ରନର ଟାଗେର୍ଟକୁ ଶ୍ରୀଲଙ୍କା-ଏ’ ୪୧.୩ ଓଭରରେ ୨ ଉଇକେଟରେ ହାସଲ କରି ନେଇଛି। ଶୁକ୍ରବାର ପାକିସ୍ତାନ-ଏ’ ଓ ବାଂଲାଦେଶ-ଏ’ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ।
ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ଉଇକେଟ ହରାଇ ୩୧୭ ରନ କରିଥିଲା। ଦଳ ପାଇଁ ଅଭିଷେକ ଶର୍ମା ୭୮ (୧୧ ଚୌକା ଓ ୧ ଛକା), ଅଧିନାୟକ ତିଲକ ବର୍ମା ୫୩ (୩ ଚୌକା ଓ ୧ ଛକା) ଓ ଶାହବାଜ ଅହମଦ ୫୪ (୪ ଛକା) ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୟୁଏଇ ବିପକ୍ଷରେ ରେକର୍ଡ ଦ୍ୱିଶତକୀୟ ଇନିଂସ ଖେଳିଥିବା ସୂର୍ଯ୍ୟବଂଶୀ ଏଥର ୨୭ ବଲରେ ୪୦ (୪ ଚୌକା ଓ ୩ ଛକା) ରନ କରି ଆଉଟ୍ ହୋଇଥିଲେ।
ଜବାବରେ ଶ୍ରୀଲଙ୍କା-ଏ’କୁ ୧୭୪ ରନର ଆରମ୍ଭ ପ୍ରଦାନ କରିଥିଲେ ଲାସିଥ କ୍ରୁସପୁଲେ ଓ ସିନେଥ ଜୟଓ୍ବର୍ଦ୍ଦେନା। ଦୁଇ ଓପନର ଶତକ ପୂରଣ କରିବା ପରେ ପାଭିଲିଅନ ଫେରିଥିଲେ। ଜୟଓ୍ବର୍ଦ୍ଦେନା ୭୦ ବଲରେ ୧୦୫ ରନ (୧୦ ଚୌକା ଓ ୬ ଛକା) ଓ କ୍ରୁସପୁଲେ ୧୦୭ ବଲରେ ୧୧୬ (୧୨ ଚୌକା ଓ ୩ ଛକା) ରନ କରି ଆଉଟ୍ ହୋଇଥିଲେ। ଏହାପରେ ନିଶାନ ମଦୁଷ୍କା ଓ ଅଧିନାୟକ ପବନ ରତ୍ନୟାକେ ଦଳକୁ ଜିତିବା ପାଇଁ ଆବଶ୍ୟକ ଥିବା ରନ ସଂଗ୍ରହ କରି ନେଇଥିଲେ।