Categories: ଖେଳ

ରହିଗଲା ଶ୍ରୀଲଙ୍କା କ୍ରିକେଟର ମାନ

ଅଲ ଆମେରାଟ,୧୦।୧୦: ପୂର୍ବତନ ଟି୨୦ ବିଶ୍ୱକପ୍‌ ଚାମ୍ପିୟନ ଶ୍ରୀଲଙ୍କା ଅଳ୍ପକେ ବଡ଼ ବିପର୍ଯ୍ୟୟରୁ ବର୍ତ୍ତି ଯାଇଛି। ଏଠାରେ ଶନିବାର ଖେଳାଯାଇଥିବା ଟି୨୦ ମ୍ୟାଚ୍‌ରେ ଓମାନକୁ ୫ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ଏହା ବିଶ୍ୱ କ୍ରିକେଟ ପାଇଁ ଅବଶ୍ୟ ବଡ଼ କଥା ନୁହେଁ। କିନ୍ତୁ ମ୍ୟାଚ୍‌ରେ ଶ୍ରୀଲଙ୍କା ଏଭଳି ସ୍ଥିତିରେ ଫଶି ଯାଇଥିଲା, ଯେଉଁ ଠାରୁ ଓମାନର ବିଜୟ ସମ୍ଭବ ଦେଖା ଯାଉଥିଲା।

ଓମାନ ପକ୍ଷରୁ ଧାର୍ଯ୍ୟ ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଶ୍ରୀଲଙ୍କାକୁ ଭଲ ଆରମ୍ଭ ମିଳିଥିଲା। ପାଥୁନ ନିଶାଙ୍କା (୨୬), ଦୀନେଶ ଚାଣ୍ଡିମାଲ (୧୮) ଓ ଅଭିଷ୍କା ଫରାର୍ଣ୍ଡୋ(୩୩)ଙ୍କ ଯୋଗୁ ଶ୍ରୀଲଙ୍କାର ସ୍କୋର ଏକଦା ୮୭/୨ ଥିଲା। ତା’ ପରେ ୨ ରନ୍‌ ମଧ୍ୟରେ ୩ ଉଇକେଟ ପଡ଼ିଯିବାରୁ ସଙ୍କଟରେ ପଡ଼ିଯାଇଥିଲା ଶ୍ରୀଲଙ୍କା। ଓମାନ ପାଖରେ ଥିଲା ଇତିହାସ ରଚିବାର ସୁଯୋଗ। କିନ୍ତୁ ଭାନୁକା ରାଜାପାକ୍‌ସା (୩୫ ରନ୍‌, ୩ ଛକା ) ଓ ଚମିକା କରୁଣାରତ୍ନେ (୩୫ ରନ୍‌, ୩ ଛକା)ଙ୍କ ଯୋଡ଼ି ଶ୍ରୀଲଙ୍କାକୁ ବିଜୟ ଭେଟି ଦେଇଥିଲା। ଦୁହେଁ ୭ ଓଭରରେ ଯୋଡ଼ିଥିଲେ ୮୪ ରନ୍‌ । ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଓମାନ ୨୦ ଓଭରରେ ୮ ଉଇକେଟ ହରାଇ ୧୫୯ ରନ୍‌ କରିଥିଲା। ଆକିବ ଇଲିୟାଜ ୬୦ (୩ ଚୌକା ଓ ୪ ଛକା) ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ।

Share