ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ମୁଖ୍ୟରାସ୍ତାର ଚାଞ୍ଚଡ଼ାପଲ୍ଲୀ ଛକରେ ଶ୍ରୀଜଗନ୍ନାଥଙ୍କ ନୂଆ ମନ୍ଦିର ନିର୍ମାଣ ନିମନ୍ତେ ଚୈତ୍ର କୃଷ୍ଣପକ୍ଷ ଦ୍ୱିତୀୟା ଗୁରୁବାର ମଧ୍ୟାହ୍ନରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗୁରୁକୃପା ସେବା ସମିତିର ଆବାହକ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥଙ୍କ ରାଷ୍ଟ୍ରୀୟ ସଂସ୍କୃତି ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗଦାନ କରି ନୂତନ ମନ୍ଦିର ନିର୍ମାଣ ନିମନ୍ତେ ବାସ୍ତୁ ଶିଳା ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମ ଅବ୍ୟବହିତ ପୂର୍ବରୁ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ପୋଖରୀରେ ଗଙ୍ଗା ଆବାହନ କରାଯାଇ ଦୀକ୍ଷାଭିଷେକ କରିଥିବା ସହସ୍ରାଧିକ ମହିଳା ପିତ୍ତଳ କଳସ ପୂର୍ଣ୍ଣଜଳ ଧରି ଶୋଭାଯାତ୍ରା ବାହାରି ପ୍ରସ୍ତାବିତ ମନ୍ଦିର ନିର୍ମାଣସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରଚଳିତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବହୁ ସଂଖ୍ୟକ ପୁରୋହିତ କର୍ମକାଣ୍ଡବିତ୍ଙ୍କ ଉପସ୍ଥିତିରେ ଘୃତହୋମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ବାମୀ, ପୂର୍ବତନ ସରପଞ୍ଚ ଉଷନ୍ତ ସାହୁ, ନିରାକାର ପ୍ରଧାନ, ରବୀନ୍ଦ୍ର ନାଥ ଡାକୁଆ, ବିଚିତ୍ରାନନ୍ଦ ପଟ୍ଟନାୟକ, ପୂର୍ବତନ କାଉନସିଲର ନିରୂପମା ପଟ୍ଟନାୟକ, ନୀଳକଣ୍ଠ ପଟ୍ଟନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

