ଦାନ୍ତ ଘଷୁଥିବା ବେଳେ ଚାପିଦେଲା ବୋଲେରୋ, ଜଣେ ମୃତ

ବଣାଇ,୧୦ା୧୧(ପ୍ରଦୀପ ତ୍ରିପାଠୀ): ମୃତ୍ୟୁ କେତେବେଳେ କେମିତି ଆସିବ କାହାକୁ ଜଣା ନ ଥାଏ। ଏମିତି ଏକ ଅଭାବନୀୟ ଘଟଣା ଶୁକ୍ରବାର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ନୂଆଗାଁରେ। ଏଠାରେ ଥିବା କାରୋ ନାଳ ନିକଟରେ ବାସୁଦେବ ନାୟକ(୫୦) ନାମକ ଜଣେ ବ୍ୟକ୍ତି ବସି ଦାନ୍ତ ଘଷୁଥିବା ବେଳେ ସେହି ନାଳରେ ଧୋଇବାକୁ ଆସିଥିବା ଏକ ବୋଲେରୋ ଜେଏଚ୍‌ ୦୫ ଡିଏମ୍‌ ୦୭୪୪ ପଛୁଆ ମାଡ଼ିଆସିଥିଲା। ଫଳରେ ଘଟଣାସ୍ଥଳରେ ବାସୁଦେବଙ୍କ ଜୀବନ ଚାଲିଯାଇଥିଲା। ବୋଲେରୋରେ ଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି।

ସୂଚନାନୁଯାୟୀ, ଆଜି ସକାଳୁ ବାସୁଦେବ ଦାନ୍ତ ଘଷୁଥିବା ବେଳେ ବୋଲେରୋଟି ପଛୁଆ ଆସି ବାସୁଦେବଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାସୁଦେବଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ କୋଇଡ଼ା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି। ଗାଁ ଲୋକେ ଦାବି କରିଛନ୍ତି, ଘଟଣାସ୍ଥଳରେ ଗାଡ଼ିମାଲିକ ପହଞ୍ଚି କ୍ଷତି ପୂରଣ ଦେବା ପରେ ମୃତଦେହ ଉଠିବ। କୋଇଡ଼ା ପୋଲିସ ପରିସ୍ଥିତି ଉପରେ ଦୃଷ୍ଟି ରଖି ଲୋକଙ୍କୁ ବୁଝାଶୁଝା କରୁଛି।