Advertisement
Posted inଫୁରସତ

ଗୁପ୍ତଚର: ପାଦେ ପାଦେ ଥାଏ ଜୀବନ ପ୍ରତି ବିପଦ, ତଥାପି ଦେଶର ସ୍ବାର୍ଥ ପାଇଁ…

ନାଁ ବଦଳେ। ଠିକଣା ବଦଳେ। ବଦଳେ ପୂରା ପରିଚୟ। ଆଉ ପାଲଟିଯାଆନ୍ତି ଜଣେ ଜଣେ ଗୁପ୍ତଚର ବା ସିକ୍ରେଟ୍‌ ଏଜେଣ୍ଟ। ଭିନ୍ନ ଏକ ଦେଶରେ ଶତ୍ରୁଙ୍କ ଗହଣରେ ରହି ଶତ୍ରୁଙ୍କ ଗୁପ୍ତତଥ୍ୟକୁ ଗୁପ୍ତଭାବେ ନିଜ ଦେଶକୁ ପଠାନ୍ତି। ଦେଶକୁ ବଡ଼ ବଡ଼ ବିପଦରୁ ରକ୍ଷାକରନ୍ତି। ପାଦେ ପାଦେ ଥାଏ ଜୀବନ ପ୍ରତି ବିପଦ। କେବେ ଏଥିରେ ଜୀବନ ଚାଲିଯାଏ ତ କେବେ ଧରାପଡିଗଲେ ଜେଲର ଚାରି କାନ୍ଥ ଭିତରେ ପାଆନ୍ତି ଅକଥନୀୟ ନିର୍ଯାତନା। ତଥାପି ଦେଶର ସ୍ବାର୍ଥ ଓ ଦେଶବାସୀଙ୍କ ପାଇଁ ସେମାନେ ସବୁକିଛିକୁ ମୁଣ୍ଡପାତି ସହିଯାଆନ୍ତି। ସେମାନଙ୍କର ଏଇ ତ୍ୟାଗ ଓ ସାହସିକତାର କଥା ଅନେକ ସମୟରେ କିନ୍ତୁ ରହିଯାଏ ଗୋପନ ହୋଇ। ଏମିତି କମ୍‌ ଗୁପ୍ତଚର ଅଛନ୍ତି, ଯେଉଁମାନେ ଜୀବିତ ଫେରିଛନ୍ତି ନିଜ ଦେଶ ଭାରତକୁ। ଆଉ ଦେଶବାସୀ ଜାଣିପାରିଛନ୍ତି ତାଙ୍କ ତ୍ୟାଗର କଥାକୁ। ସେମିତି କେତେଜଣ ବିଶିଷ୍ଟ ଗୁପ୍ତଚରଙ୍କ ଜୀବନ କାହାଣୀ ଏଥରର ପ୍ରଚ୍ଛଦରେ…

ରବୀନ୍ଦ୍ର କୌଶିକ: ଭାରତର କେତେଜଣ ବିଖ୍ୟାତ ଗୁପ୍ତଚରଙ୍କ ମଧ୍ୟରେ ରବୀନ୍ଦ୍ର କୌଶିକଙ୍କ ନାମ ସର୍ବାଗ୍ରେ ଆସିବ। ୧୧ ଏପ୍ରିଲ ୧୯୫୨ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଜନ୍ମଗ୍ରହଣ କରିଥିଲେ ରବୀନ୍ଦ୍ର। ବାପା ଜେଏମ୍‌ କୌଶିକ ଇଣ୍ଡିଆନ୍‌ ଏୟାରଫୋର୍ସ ଅଫିସର ଥିଲେ। କଲେଜରେ ପଢ଼ୁଥିବା ସମୟରେ ସେ ଥିଏଟର ଓ ଅଭିନୟ ପ୍ରେମରେ ପଡ଼ିଯାଇଥିଲେ। ଆଉ ଥିଏଟର ଆକ୍ଟିଂରେ ସାମିଲ ହୋଇଥିଲେ। ତାଙ୍କ ଅଭିନୟ ଥିଲା ବେଶ୍‌ ଜୀବନ୍ତ। କୁହାଯାଏ, ତାଙ୍କ ଅଭିନୟ ଭାରତର ଫରେନ୍‌ ଇଣ୍ଟେଲିଜେନ୍ସ ଏଜେନ୍ସି ର’ (ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ)ର ନଜରକୁ ଆସିଥିଲା। ଆଉ ତାଙ୍କୁ ର’ରେ ସାମିଲ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। ରବୀନ୍ଦ୍ର ବି ବେଶ୍‌ ଉତ୍ସାହର ସହ ର’ରେ ଯୋଗ ଦେଇଥିଲେ। ଏହାପରେ ତାଙ୍କର ସବୁ ଭାରତୀୟ ଡକ୍ୟୁମେଣ୍ଟ ତଥା ପରିଚୟପତ୍ର ନଷ୍ଟ କରି ଦିଆଯାଇଥିଲା। ସେ ମୁସ୍‌ଲିମ୍‌ ଧର୍ମ ଗ୍ରହଣ କଲେ। ମୁସ୍‌ଲିମ୍‌ ଚଳଣି ଶିଖିବା ସହ ଉର୍ଦ୍ଦୁ ଭାଷା ଶିଖିଲେ। କୋରାନ୍‌ ଉପରେ ସବିଶେଷ ତାଲିମ ବି ନେଇଥିଲେ। ୧୯୭୫ ମସିହାରେ ଯେତେବେଳେ ତାଙ୍କୁ ମାତ୍ର ୨୩ ବର୍ଷ ବୟସ, ସେ ପାକିସ୍ତାନ ସୀମା ଭିତରକୁ ପ୍ରବେଶ କଲେ। ପାକିସ୍ତାନରେ ସେ ନୂଆ ଏକ ନାମରେ ନୂଆ ପରିଚୟରେ ପରିଚିତ ହେଲେ। ତାଙ୍କ ନାଁ ‘ନବି ଅହମ୍ମଦ ଶାକିର’ ରହିଲା। କରାଚୀ ବିଶ୍ୱବିଦ୍ୟାଳୟରେ ସେ ଏଲ୍‌ଏଲ୍‌ବି ପଢ଼ିଲେ। ପଢ଼ା ସରିବା ପରେ ରବୀନ୍ଦ୍ର ପାକିସ୍ତାନ ଆର୍ମିରେ ଯୋଗ ଦେବାରେ ବି ସଫଳ ହେଲେ। କୁହାଯାଏ, ବନ୍ଧୁମାନଙ୍କୁ ନିଜର କରି ରଖିବା ଭଲ, ହେଲେ ଶତ୍ରୁମାନଙ୍କୁ ଅଧିକରୁ ଅଧିକ ନିଜର କରିବା ଦରକାର। ସେଇ ନୀତିକୁ ଆପଣେଇ ସେ ପାକିସ୍ତାନରେ ନିଜର ଚେର ମଡ଼ାଇବାରେ ଲାଗିଲେ। ଫଳରେ ସେ ପାକିସ୍ତାନୀ ଆର୍ମିରେ କମିଶନ୍‌ଡ ଅଫିସର ଓ ପରେ ମେଜର ବି ହୋଇପାରିଥିଲେ। ଏହାବାଦ୍‌ ବ୍ୟକ୍ତିଗତ ଜୀବନରେ ସେ ଅମାନତ ନାମ୍ନୀ ଜଣେ ପାକିସ୍ତାନୀ ଯୁବତୀଙ୍କୁ ବିବାହ କରି ଏକ କନ୍ୟା ସନ୍ତାନର ଜନକ ବି ହେଲେ। ଏମିତିଭାବେ ସେ ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଭାରତୀୟ ଇଣ୍ଟେଲିଜେନ୍ସ ୟୁନିଟ୍‌କୁ ବରାବର ପଠାଉଥା’ନ୍ତି। ୧୯୭୯ରୁ ୧୯୮୩ ପର୍ଯ୍ୟନ୍ତ ପାକିସ୍ତାନୀ ଆର୍ମି ଅଫିସର ଭାବେ କାମ କରି ଭାରତୀୟ ଡିଫେନ୍ସ ଫୋର୍ସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରି ବଡ଼ ବଡ଼ ସାହାଯ୍ୟ କରିଥିଲେ। ତାଙ୍କର ଏଭଳି ଅବଦାନ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ‘ବ୍ଲାକ ଟାଇଗର’ ନାମ ଦେଇଥିଲେ।
୧୯୮୫ ମସିହାରେ ଇନ୍ୟାତ ମସିହ୍‌ ନାମକ ଜଣେ ଗୁପ୍ତଚରଙ୍କୁ ର’ ରବୀନ୍ଦ୍ରଙ୍କୁ ସାହାଯ୍ୟ ପାଇଁ ପଠାଇଥିଲା। ତେବେ ସେହି ଗୁପ୍ତଚର ଜଣକ ଥିଲେ ଜଣେ ଡବଲ ଏଜେଣ୍ଟ। ଅର୍ଥାତ୍‌ ସେ ଭାରତ ପାଇଁ କାମ କରିବା ସହ ପାକିସ୍ତାନ ପାଇଁ ବି କାମ କରୁଥିଲେ। ଆଉ ସେ ହିଁ ରବୀନ୍ଦ୍ରଙ୍କ ପ୍ରକୃତ ପରିଚୟ ପାକିସ୍ତାନରେ ପର୍ଦ୍ଦାଫାଶ କରିଥିଲେ। ଏହାପରେ ରବୀନ୍ଦ୍ରଙ୍କୁ ଗିରଫ କରାଯାଇ ସିଆଲକୋଟ ଇଣ୍ଟେରୋଗେସନ୍‌ ସେଣ୍ଟରରେ ଦୁଇ ବର୍ଷ ପର୍ଯ୍ୟନ୍ତ ଅତ୍ୟାଚାର କରାଯାଇଥିଲା। ପରେ ୧୯୮୫ ମସିହାରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ପାକିସ୍ତାନ ସୁପ୍ରିମକୋର୍ଟ ଦଣ୍ଡ କୋହଳ କରି ଆଜୀବନ କାରାଦଣ୍ଡ କରିଥିଲା ଏବଂ ତାଙ୍କୁ ଭିନ୍ନ ଭିନ୍ନ ଜେଲରେ ୧୬ ବର୍ଷ ରଖାଯାଇଥିଲା। ଏହି କଠିନ ସମୟରେ ବି ସେ ନିଜ ପରିବାରକୁ ଗୁପ୍ତଭାବେ ଚିଠି ପଠାଇବାରେ ସଫଳ ହୋଇଥିଲେ। ସେହି ଚିଠିରୁ ତାଙ୍କର ଖରାପ ସ୍ବାସ୍ଥ୍ୟାବସ୍ଥା ଓ ଅତ୍ୟାଚାର ସମ୍ପର୍କରେ ଜଣାପଡ଼ିଥିଲା। ୨୦୦୧ ନଭେମ୍ବରରେ ମିଆନଓ୍ବାଲୀ ସେଣ୍ଟ୍ରାଲ ଜେଲରେ ଥିବାବେଳେ ପଲମୋନାରୀ ଟ୍ୟୁବରକ୍ୟୁଲୋସିସ୍‌ ଏବଂ ହୃଦ୍‌ରୋଗ ଯୋଗୁ ରବୀନ୍ଦ୍ର ମୃତ୍ୟୁବରଣ କଲେ। ପରିବାର ଲୋକଙ୍କ କହିବାନୁସାରେ ଭାରତ ସରକାର ତାଙ୍କୁ ଚିହ୍ନି ନ ଥିବା କହିଥିଲେ ଓ ତାଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ତାଙ୍କ ମୃତଦେହକୁ ପାକିସ୍ତାନର ଜେଲ ପଛପଟେ ପୋତି ଦିଆଯାଇଥିଲା। ରବୀନ୍ଦ୍ର ତାଙ୍କ ପରିବାରକୁ ପଠାଇଥିବା ଏକ ଚିଠିରେ କ୍ଷୋଭ ପ୍ରକାଶ କରି ଲେଖିଥିଲେ, ‘କ୍ୟା ଭାରତ ଯୈଶେ ବଡେ ଦେଶ କେଲିୟେ କୁରବାନୀ ଦେନଓ୍ବୋଲୋଁ କୋ ୟହି ମିଲତା ହୈ’। ଏହା ତାଙ୍କ ଅନ୍ତରର କଷ୍ଟକୁ ବେଶ୍‌ ସ୍ପଷ୍ଟଭାବେ ବୟାନ କରୁଥିଲା।

ମୋହନଲାଲ ଭାସ୍କର: ୧୯୪୨ ମସିହାରେ ପଞ୍ଜାବର ଅବୋହରଠାରେ ମୋହନଲାଲ ଭାସ୍କରଙ୍କ ଜନ୍ମ। ତାଙ୍କ ରଚିତ ପୁସ୍ତକ ‘ଆନ୍‌ ଇଣ୍ଡିଆନ୍‌ ସ୍ପାଏ ଇନ୍‌ ପାକିସ୍ତାନ’ରୁ ମିଳିଥିବା ତଥ୍ୟ ମୁତାବକ ପ୍ରାରମ୍ଭିକ ଜୀବନରେ ସେ ଜଣେ ମୂଲିଆ ଓ ଖବର ବିତରକଭାବେ କାମ କରିଥିଲେ। ଏତେ ଅଭାବ ଅସୁବିଧା ସତ୍ତ୍ୱେ ସେ ପାଠପଢ଼ା ଜାରି ରଖିଥିଲେ।
ଏମ୍‌.ଏ. ବିଏଡ୍‌. ପଢ଼ା ପରେ ଶିକ୍ଷକତା କଲେ। ତା’ପରେ ସେ ସିକ୍କିମ ସରକାରଙ୍କ ଟିଚର୍ସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଭାଇସ୍‌ ପ୍ରିନ୍ସିପାଲ ହୋଇଥିଲେ। ଏହାବାଦ୍‌ ୧୯୬୧ରେ ସେ ‘ଧାର୍‌କା’ର ସମ୍ପାଦକ ଓ ୧୯୬୨ରେ ‘ଗାଣ୍ଡିବ’ ହିନ୍ଦୀ ଦୈନିକ ଖବରକାଗଜରେ ସହ ସମ୍ପାଦକଭାବେ କାମ କରିଥିଲେ। ଏହାବାଦ୍‌ ସେ ଜଣେ ଦେଶପ୍ରେମୀ ବି ଥିଲେ। ୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ତାଙ୍କ ଭିତରର ସେହି ଦେଶପ୍ରେମ ଭାବ ଅଧିକ ବଢ଼ିଯାଇଥିଲା। ପାକିସ୍ତାନକୁ ଲାଗି ରହିଥିବା ଗ୍ରାମରେ ଜନ୍ମ ହୋଇଥିବାରୁ ସବୁବେଳେ ତାଙ୍କ ମନରେ ପାକିସ୍ତାନକୁ ନେଇ ଜିଜ୍ଞାସା ଥିଲା। ୧୯୬୫ ମସିହାର ଏହି ଯୁଦ୍ଧ ତାଙ୍କର ସେଇ ଜିଜ୍ଞାସାକୁ ଅଧିକ ଦୃଢ଼ କରିଥିଲା। ଥରେ ସେ ଶହୀଦ୍‌ ଭଗତ୍‌ ସିଂହଙ୍କ ସମାଧି ସ୍ଥଳରେ ତାଙ୍କୁ ସମର୍ପଣ କରି ଏକ କବିତା ପାଠ କରିଥିଲେ, ଯାହା ଭିତରେ ଦେଶପ୍ରେମ ଭାବ ଭରି ରହିଥିଲା। ଏହା ସମସ୍ତଙ୍କୁ ବେଶ୍‌ ଭଲ ଲାଗିଥିଲା। ଏତିକିବେଳେ ଜଣେ ଅଫିସର ଆସି ତାଙ୍କୁ କହିଥିଲେ ଯେ, ଦେଶ ପାଇଁ କବିତା ଲେଖିବା ସହଜ, ହେଲେ ମରିବା କଷ୍ଟ। ଏହାର ଉତ୍ତରରେ ମୋହନଲାଲ କହିଥିଲେ, ‘ସାହାବ ସୀମାରେ ଯଦି ଗୁଳି ଫୁଟେ ମତେ ଡକାଇବେ, ଦେଖିବେ ଚାରି ପାଦ ଆଗରେ ମୁଁ ଯିବି। ଆଉ ଯଦି ପଳାୟନ କରେ, ତେବେ ଗୁଳି ମାରିଦେବେ।’ ଶେଷରେ ଏଇ ଦେଶପ୍ରୀତି ମନୋଭାବ ପାଇଁ ସେ ପରେ ର’ରେ ଯୋଗଦେଲେ।
ଏକ ଖାସ୍‌ ମିଶନରେ ତାଙ୍କୁ ୧୯୬୭ରେ ପାକିସ୍ତାନ ପଠାଗଲା। ତାଙ୍କ ପୁସ୍ତକର ତଥ୍ୟ ଅନୁସାରେ ସେଠାରେ ସେ ‘ମହମ୍ମଦ ଅସଲମ୍‌’ ନାମରେ ରହିଲେ। ପାକିସ୍ତାନୀଙ୍କ ପରି ଦେଖାଯିବା ଲାଗି ସେ ନିଜର ଚେହେରା, ଚାଲିଚଳଣକୁ ପୂରା ବଦଳାଇ ଦେଇଥିଲେ। ସେଠାରେ ତାଙ୍କୁ ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାର ଥିଲା। ସେ ଜୀବନକୁ ବାଜି ଲଗାଇ ଏହି କାମରେ ଲାଗିଥିଲେ। ଟାଇମ୍ସ ଅଫ ଇଣ୍ଡିଆର ଖବର ମୁତାବକ ମୋହନଲାଲ ୧୯୬୭ରେ ଭାରତୀୟ ମିଲିଟ୍ରି ଇଣ୍ଟେଲିଜେନ୍ସରେ ଯୋଗ ଦେଇଥିଲେ। ୧୯୬୮ରେ ସେ ଏକ କାଉଣ୍ଟର ଇଣ୍ଟେଲିଜେନ୍ସ ଅପରେଶନ୍‌ରେ ଜଡ଼ିତଥିଲେ। ନିଷ୍ଠାର ସହ ଗୁପ୍ତଚର କାମ ମଧ୍ୟ କରୁଥିଲେ। ଏହି ସମୟରେ ଅମରିକ ସିଂହ ନାମକ ଡବଲ ଏଜେଣ୍ଟ ତାଙ୍କ ସହ ବିଶ୍ୱାସଘାତକତା କରିଥିଲେ। ଅମରିକ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିଲେ। ତାଙ୍କ ଯୋଗୁ ମୋହନଲାଲ ଧରାପଡ଼ିଗଲେ। ଫଳରେ ଲାହୋରର କୋଟ ଲଖପତ ଜେଲରେ ସେ ୧୯୭୧ ପର୍ଯ୍ୟନ୍ତ ବନ୍ଦୀ ହୋଇ ରହିଥିଲେ ଏବଂ ଅନେକ ଅତ୍ୟାଚାର ସହିଥିଲେ। ଜେଲରେ କଏଦୀଙ୍କୁ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ସେ ନିଜ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ପାକିସ୍ତାନରେ ବନ୍ଦୀ ଥିବାବେଳେ ତାଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖାଯାଇଥିଲା। ୧୯୭୨ରେ ଭାରତ-ପାକିସ୍ତାନ ମଧ୍ୟସ୍ଥ ସିମ୍‌ଲା ରାଜିନାମା ବେଳେ ପାକିସ୍ତାନରେ ବନ୍ଦୀଥିବା ଅନ୍ୟ ଭାରତୀୟଙ୍କ ସହ ମୋହନଲାଲଙ୍କୁ ବି ମୁକ୍ତ କରାଯାଇଥିଲା। ୧୯୭୪ରେ ସେ ଭାରତ ଫେରିଥିଲେ।

କଶ୍ମୀର ସିଂହ: ଭାରତର ଆଉ ଜଣେ ଗୁପ୍ତଚର ହେଉଛନ୍ତି କଶ୍ମୀର ସିଂହ। ତେବେ ଗୁପ୍ତଚର ଭାବେ କାମ କରିବା ପୂର୍ବରୁ ସେ ଭାରତୀୟ ସେନାରେ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ କାମ କରିଥିଲେ। ପରେ ମାସିକ ୪୦୦ଟଙ୍କା ବେତନରେ କଣ୍ଟ୍ରାକ୍‌ଚୁଆଲ ଭାବେ ଗୁପ୍ତଚର କାମ କରିବା ଆରମ୍ଭ କରିଥିଲେ। ପରେ ସେ ନିଜ ନାମ ‘ମହମ୍ମଦ ଇବ୍ରାହିମ୍‌’ କରାଇ ପାକିସ୍ତାନରେ ପ୍ରବେଶ କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେମିତିକି ଏଲ୍‌ଓସିରେ କେତେ ପାକିସ୍ତାନୀ ସେନା ମୁତୟନ ଅଛନ୍ତି, ସେମାନଙ୍କ ଗତିବିଧି କ’ଣ ସେ ସମ୍ପର୍କରେ ଭାରତକୁ ଜଣାଉଥିଲେ। ତା’ସହ ପାକିସ୍ତାନୀ ସେନାର ଷ୍ଟ୍ରାଟେଜିକ ଲୋକେଶନର ଫଟୋ ଉଠାଇ ମଧ୍ୟ ଭାରତକୁ ପ୍ରଦାନ କରିଥିଲେ। କିନ୍ତୁ ୧୯୭୩ରେ ପାକିସ୍ତାନୀ ଇଣ୍ଟେଲିଜେନ୍ସ ଅଫିସରଙ୍କ ଦ୍ୱାରା ସେ ଗିରଫ ହୋଇଥିଲେ। ପାକିସ୍ତାନୀ କୋର୍ଟ ପ୍ରଥମେ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପରେ ଦଣ୍ଡ କୋହଳ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରାଗଲା। ଜେଲ ରହଣିର ପ୍ରଥମ କିଛି ମାସ ତାଙ୍କୁ ଥାର୍ଡ ଡିଗ୍ରୀ ଅତ୍ୟାଚାର କରାଯାଇ ଭାରତୀୟ ଗୁପ୍ତଚର ବୋଲି ମାନିବାକୁ ବାଧ୍ୟ କରାଯାଇଥିଲା। ଏହାପରେ ତାଙ୍କୁ ଭିନ୍ନ ଭିନ୍ନ ଜେଲରେ ରଖାଯାଇଥିଲା। ଅନେକ ଅତ୍ୟାଚାର ସହି ସେ ଦୀର୍ଘ ୩୫ ବର୍ଷ ପର୍ଯ୍ୟନ୍ତ ପାକିସ୍ତାନ ଜେଲରେ ବିତାଇଥିଲେ। ଜେଲର ଚାରିକାନ୍ଥ ଭିତରେ ବର୍ଷ ବର୍ଷ ଧରି ଆକାଶ ବି ଦେଖି ପାରି ନ ଥିଲେ। ତାଙ୍କ ପରିବାର ଲୋକେ ସେ ଜୀବିତ ଥିବା ଆଶା ଛାଡ଼ିଦେଇଥିଲେ। ୧୯୮୬ ମସିହାରେ ପାକିସ୍ତାନ ସରକାର ଗୁପ୍ତଚର ସନ୍ଦେହରେ ବନ୍ଦୀ ଥିବା କେତେଜଣ ଭାରତୀୟ ବନ୍ଦୀଙ୍କୁ ଲାହୋର ଜେଲରୁ ମୁକ୍ତ କରିଥିଲା। ସେମାନଙ୍କଠାରୁ କଶ୍ମୀର ସିଂହଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ, କଶ୍ମୀର ଜୀବିତ ଅଛନ୍ତି।
୨୦୦୮ରେ ଅନ୍‌ସାର୍‌ ବର୍ନି ପାକିସ୍ତାନ କ୍ୟାବିନେଟ୍‌ରେ କେୟାରଟେକର୍‌ ଫେଡେରାଲ ମିନିଷ୍ଟର ଫର୍‌ ହ୍ୟୁମାନ ରାଇଟ୍‌ସ ଥାଆନ୍ତି। ସେ ଥରେ ଲାହୋର ଜେଲ ଗସ୍ତ କଲାବେଳେ କଶ୍ମୀର ସିଂହଙ୍କୁ ଦେଖି ଚିହ୍ନିଥିଲେ। ଦୀର୍ଘ ବର୍ଷର ଜେଲଦଣ୍ଡ ଯୋଗୁ କଶ୍ମୀର ସିଂହ ମାନସିକ ବିକୃତ ହୋଇ ଯାଇଥିଲେ। ଅନ୍‌ସାର କଶ୍ମୀର ସିଂହଙ୍କୁ ହ୍ୟୁମାନିଟାରିଆନ ଗ୍ରାଉଣ୍ଡରେ ମୁକ୍ତ କରିବା ପାଇଁ ମର୍ସି ପିଟିଶନ୍‌ କରି କେସ୍‌ ଲଢ଼ିଥିଲେ। ତତ୍କାଳୀନ ରାଷ୍ଟ୍ରପତି ପରଭେଜ ମୁଶରଫ ସେହି ମର୍ସି ପିଟିଶନ ଗ୍ରହଣ କରି କଶ୍ମୀର ସିଂହଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୪ ମାର୍ଚ୍ଚ ୨୦୦୮ରେ ସେ ମୁକ୍ତ ହୋଇ ଓ୍ବାଘା ବର୍ଡର ଦେଇ ଭାରତକୁ ଆସିଥିଲେ। ଏହି ସମୟରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସ୍ବାଗତ କରାଯାଇଥିଲା। ଦୀର୍ଘ ୩୫ ବର୍ଷର ଜେଲ ରହଣି ଭିତରେ ଅନେକ ଅତ୍ୟାଚାର ସହି ବି ସେ ଭାରତର ଗୁପ୍ତଚର ବୋଲି ପାକିସ୍ତାନରେ ମାନି ନ ଥିଲେ। କିନ୍ତୁ ଭାରତକୁ ଆସିବା ପରେ ସେ ଗୁପ୍ତଚର ଥିଲେ ବୋଲି ମାନିଥିଲେ।

ଶେହମତ ଖାନ୍‌: ୨୦୧୮ରେ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ଫିଲ୍ମ ‘ରାଜି’ ବେଶ୍‌ ପ୍ରଶଂସିତ ହୋଇଥିଲା। ଏଥିରେ ଆଲିଆ ଜଣେ ମହିଳା ଗୁପ୍ତଚର ଭୂମିକାରେ ଅଭିନୟ କରିଥିଲେ, ଯେ କି କଶ୍ମୀରର ଜଣେ ସାଧାରଣ ଝିଅ ଥିଲେ। ତେବେ ବାପାଙ୍କ ଅନୁରୋଧ କ୍ରମେ ସେ ପରବର୍ତ୍ତୀ ସମୟରେ ଭାରତ ପାଇଁ ଗୁପ୍ତଚର ପାଲଟିଥିଲେ। ଆଉ ପାକିସ୍ତାନର ଜଣେ ମିଲିଟାରି ଅଫିସରଙ୍କୁ ବିବାହ କରି ଶତ୍ରୁଙ୍କ ଗହଣରେ ରହି ସେଠାକାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭାରତକୁ ପ୍ରଦାନ କରୁଥିଲେ। ଏହି ଚଳଚ୍ଚିତ୍ରର କାହାଣୀ ସମସ୍ତଙ୍କ ମନକୁ ଛୁଇଁଥିଲା। ତେବେ ଏଇ କାହାଣୀଟି ଆଦୌ କାଳ୍ପନିକ ନ ଥିଲା। ଥିଲା ଜଣେ ଭାରତୀୟ ମହିଳା ଗୁପ୍ତଚରଙ୍କ ସତ କାହାଣୀ। ଚଳଚ୍ଚିତ୍ରଟି ହରିନ୍ଦର ସିକ୍କାଙ୍କ ନୋବେଲ ‘କଲିଂ ଶେହମତ୍‌’ ଉପରେ ଆଧାରିତ ଥିଲା। ହରିନ୍ଦର ସିକ୍କା ନିଜେ ଇଣ୍ଡିଆନ ନ୍ୟାଭିର ଜଣେ ଅଫିସର ଥିଲେ। ସେ ଯେବେ କାର୍ଗିଲ ଯୁଦ୍ଧ ଉପରେ ଗବେଷଣା କରୁଥିଲେ, ସେ ଶେହମତ୍‌ଙ୍କ ପୁଅ ସହ ଦେଖା ହୋଇଥିଲେ ଏବଂ ତାଙ୍କଠାରୁ ଶେହମତ୍‌ଙ୍କ ଗୁପ୍ତଚର ଜୀବନର କାହାଣୀ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏଇ ବାସ୍ତବିକ କାହାଣୀଟି ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ସେ ନିଜ ନୋବେଲରେ ତାକୁ ଉତାରିବାକୁ ଚେଷ୍ଟାକରିଥିଲେ। ହେଲେ ସେ ନୋବେଲରେ ଶେହମତ୍‌ଙ୍କ ପରିଚୟକୁ ଗୁପ୍ତ ରଖିଥିଲେ। ହରିନ୍ଦରଙ୍କର ଏଇ ପ୍ରୟାସ ପାଇଁ ଭାରତର ଏଇ ମହିଳା ଗୁପ୍ତଚରଙ୍କ କଥା ସମସ୍ତଙ୍କ ସାମ୍‌ନାକୁ ଆସିପାରିଥିଲା। ନଚେତ୍‌ ଅନେକ ଗୁପ୍ତଚରଙ୍କ ପରି ତାଙ୍କ ଗୁପ୍ତଚର ଜୀବନର କାହାଣୀ ତଥା ଦେଶ ପାଇଁ କରିଥିବା ତ୍ୟାଗର କଥା ବି ସବୁଦିନ ପାଇଁ ଲୁଚି ରହିଯାଇଥାନ୍ତା।
ଶେହମତ୍‌ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ର’ର ମହିଳା ଗୁପ୍ତଚର ଥିଲେ। ଆଉ ସେଇ ଗୁପ୍ତଚରଙ୍କ ମଧ୍ୟରେ ଜଣେ ଯେ କି ପାକିସ୍ତାନରେ ଜାସୁସୀ କରିବା ପରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ୧୯୭୧ରେ ହୋଇଥିବା ଇଣ୍ଡୋ-ପାକ୍‌ ଯୁଦ୍ଧପୂର୍ବରୁ ଇଣ୍ଡିଆନ୍‌ ଆର୍ମିକୁ ଏମିତି ଜଣେ ଗୁପ୍ତଚରଙ୍କର ଆବଶ୍ୟକତା ଥିଲା, ଯିଏ କି ପାକିସ୍ତାନରେ ରହି ଭାରତକୁ ପାକିସ୍ତାନର ଖବର ଯୋଗାଇପାରିବ। ଶତ୍ରୁର ସବୁ କାର୍ଯ୍ୟ ଉପରେ ନଜର ରଖିବ। ଏହି କାର୍ଯ୍ୟ ପାଇଁ ଜଣେ କଶ୍ମୀରୀ ବ୍ୟବସାୟୀ ନିଜ ଝିଅ ଶେହମତ୍‌ଙ୍କୁ ଗୁପ୍ତଚର କାମ କରିବା ପାଇଁ ମନାଇଥିଲେ। ଶେହମତ୍‌ ସେତେବେଳେ କଲେଜରେ ପଢ଼ୁଥିଲେ। କେବେ ସ୍ବପ୍ନରେ ବି ଭାବି ନ ଥିଲେ ସେ ଏଭଳି କାମ କରିବେ ବୋଲି। ଏମିତିକି ଜଣେ ଗୁପ୍ତଚରକୁ କ’ଣ ସବୁ କରିବାକୁ ହୁଏ, ସେ ସମ୍ପର୍କରେ ବି ସେ କିଛି ଜାଣି ନ ଥିଲେ। ତଥାପି ସେ ଦେଶ ପାଇଁ ଏତେ ବଡ଼ ବିପଦ ଉଠାଇବାକୁ ରାଜି ହୋଇଥିଲେ। ଯୋଜନା ମୁତାବକ ସେ ଜଣେ ପାକିସ୍ତାନୀ ଆର୍ମି ଅଫିସରଙ୍କୁ ବିବାହ କଲେ। ସ୍ବାମୀଙ୍କ ଘରୁ ହିଁ ସେ ଗୁପ୍ତଭାବେ ପାକିସ୍ତାନର ଅନେକ ତଥ୍ୟ ଭାରତକୁ ଦେଉଥିଲେ। ଆଉ ସେ ଦେଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟରୁ ଗୋଟିଏ ଥିଲା ଇଣ୍ଡିଆନ୍‌ ନ୍ୟାଭିର ଆଇଏନ୍‌ଏସ୍‌ ବିରାଟକୁ ନଷ୍ଟ କରିବାର ପାକିସ୍ତାନର ଯୋଜନା। ଏଭଳି ତଥ୍ୟ ପାଇ ଭାରତ ଉପରୁ ଅନେକ ବିପଦ ଏଡ଼ାଇ ଦିଆଯାଇପାରିଥିଲା ଓ ଅନେକ ଜୀବନ ବଞ୍ଚାଯାଇ ପାରିଥିଲା। ତେବେ ସେ ଯେବେ ଭାରତ ଫେରିଲେ, ପାକିସ୍ତାନୀ ସ୍ବାମୀଙ୍କଠାରୁ ଗର୍ଭବତୀ ଥିଲେ। ପରେ ଏକ ପୁତ୍ର ସନ୍ତାନ ଜନ୍ମଦେଲେ, ଯେ କି ବଡ଼ ହୋଇ ଇଣ୍ଡିଆନ୍‌ ଆର୍ମିରେ ଯୋଗଦେଲେ। ହରିନ୍ଦର ସିକ୍କା ଶେହମତ୍‌ଙ୍କର ସେଇ ପୁଅଙ୍କ ସହ ଦେଖା ହୋଇଥିଲେ। ପରେ ହରିନ୍ଦର ଶେହମତ୍‌ଙ୍କୁ ବି ଦେଖା କରିଥିଲେ।

ଅଜିତ ଡୋଭାଲ: ଇଣ୍ଡିଆନ୍‌ ନ୍ୟାଶନାଲ ସିକ୍ୟୁରିଟି ଆଡ୍‌ଭାଇଜର ଭାବେ କାର୍ଯ୍ୟରତ ଅଜିତ ଡୋଭାଲ ‘ଭାରତୀୟ ଜେମ୍ସ ବଣ୍ଡ’ ଭାବେ ବେଶ୍‌ ପରିଚିତ। ଜୀବନକୁ ବାଜି ଲଗାଇ ଦେଶ ପାଇଁ ଗୋଇନ୍ଦାଗିରି କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଜିତ ଡୋଭାଲ ଅନ୍ୟତମ। ୨୦ ଜାନୁୟାରୀ ୧୯୪୫ରେ ଉତ୍ତରାଖଣ୍ଡର ପୌଡ଼ିଗଢ଼ଓ୍ବାଲସ୍ଥ ଘିରିବନେଲସ୍ୟୁନ ଗ୍ରାମରେ ଜନ୍ମିତ ଡୋଭାଲଙ୍କ ବାପା ଇଣ୍ଡିଆନ୍‌ ଆର୍ମିରେ ଜଣେ ଅଫିସର ଥିଲେ। ସ୍କୁଲପଢ଼ା ସରିବାପରେ ସେ ୧୯୬୭ରେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଇକୋନୋମିକ୍ସରେ ମାଷ୍ଟର୍ସ ଡିଗ୍ରୀ କଲେ। ଆଉ ୧୯୬୮ରେ କେରଳ କ୍ୟାଡରରୁ ଇଣ୍ଡିଆନ୍‌ ପୋଲିସ୍‌ ସର୍ଭିସ୍‌ରେ ଯୋଗ ଦେଇ କୋଟାୟାମ ଜିଲାର ଏଏସ୍‌ପି ହୋଇଥିଲେ। ଏହି ସମୟରେ ସେ ପଞ୍ଜାବ ଓ ମିଜୋରାମର ଆଣ୍ଟି ଇନସରଜେନ୍ସି ଅପରେଶନ୍‌ରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ପୋଲିସ ରେକର୍ଡ ଅନୁଯାୟୀ ଆଇପିଏସ୍‌ ଅଫିସର ଡୋଭାଲ କେରଳର ଥାଲାସେରୀରେ ଅଳ୍ପ କିଛି ମାସ କାମ କରିଥିଲେ। ପରେ ସେଣ୍ଟ୍ରାଲ ସର୍ଭିସ୍‌ରେ ଯୋଗ ଦେଇଥିଲେ। ୧୯୯୯ କାନ୍ଧାରରେ ହାଇଜାକ ହୋଇଥିବା ଭାରତୀୟ ବିମାନ ଆଇସି-୮୧୪ ମୁକ୍ତ କରିବାରେ ଯେଉଁ ତିନିଜଣ ନେଗୋସିଏଟର୍‌ ଥିଲେ, ସେମାନଙ୍କ ଭିତରେ ଡୋଭାଲ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରେ ସେ ଇଣ୍ଟେଲିଜେନ୍ସ ବ୍ୟୁରୋର ଡାଇରେକ୍ଟର ପଦରେ ନିଯୁକ୍ତି ପାଇଥିଲେ। ୨୦୦୫ରେ ଏହି ପଦବୀରୁ ଅବସର ନେବା ପରେ ସେ ମୁସ୍‌ଲିମ ଧର୍ମ ଗ୍ରହଣ କରି ପାକିସ୍ତାନର ଲାହୋରରେ ୭ ବର୍ଷ ରହିଥିଲେ। ଏହି ସମୟରେ ସେ ସେଠାକାର ଲୋକଙ୍କ ସହ ବହୁତ ବନ୍ଧୁତା ବଢ଼ାଇଥିଲେ, ମସ୍‌ଜିଦ ଯାଉଥିଲେ। ଅଣ୍ଡରକଭର ଏଜେଣ୍ଟ ଭାବେ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସ୍‌ଆଇ ଉପରେ ନଜର ରଖି ସେମାନଙ୍କ ଆତଙ୍କୀ ଯୋଜନା, ହତିଆର ସମ୍ପର୍କିତ ଖବର ଓ ଅନ୍ୟାନ୍ୟ ଗତିବିଧି ସମ୍ପର୍କରେ ଭାରତକୁ ଖବର ଦେଉଥିଲେ। ଡୋଭାଲ ନିଜ ଗୁପ୍ତଚର ଜୀବନର ଏକ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ କହିଥିଲେ ଯେ, ଥରେ ପାକିସ୍ତାନର ଜଣେ ସ୍ଥାନୀୟ ବାସିନ୍ଦା ତାଙ୍କ ଫୋଡ଼ାଯାଇଥିବା କାନକୁ ଦେଖି ତାଙ୍କୁ ହିନ୍ଦୁ ବୋଲି ଜାଣିପାରିଥିଲେ। ହେଲେ ଡୋଭାଲ ଦୃଢ଼ ଭାବେ ଏ କଥାକୁ ଖଣ୍ଡନ କରି ହିନ୍ଦୁ ନୁହନ୍ତି ବୋଲି କହିଥିଲେ। ତେବେ ସେହି ବ୍ୟକ୍ତି ଡୋଭାଲଙ୍କୁ ଏକ ଘରକୁ ଡାକିନେଇ କହିଥିଲେ ମୁଁ ଜାଣିପାରୁଛି ତୁମେ ହିନ୍ଦୁ। କିନ୍ତୁ ଡୋଭାଲ ଚତୁରତାର ସହ କଥାକୁ ବୁଲାଇ ଅନ୍ୟ ମୋଡ଼ ଦେଇଥିଲେ। ଏହାପରେ ସେହି ବ୍ୟକ୍ତି ଡୋଭାଲଙ୍କୁ କାନର ସେଇ କଣାକୁ ପ୍ଲାଷ୍ଟିକ ସର୍ଜରି କରାଇ ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। କାରଣ ପାକିସ୍ତାନରେ ଏହା ତାଙ୍କୁ ବିପଦରେ ପକାଇପାରେ। ଆଉ ଡୋଭାଲ ତାଙ୍କ ପରାମର୍ଶ ମାନି ସର୍ଜରି କରାଇ କଣାକୁ ବନ୍ଦ କରିଦେଇଥିଲେ। ଅଜିତ ଡୋଭାଲ ଅଣ୍ଡରକଭର୍‌ ଏଜେଣ୍ଟର କାମ ସରିବା ପରେ ଇସ୍‌ଲାମାବାଦସ୍ଥ ଇଣ୍ଡିଆନ୍‌ ହାଇକମିଶନରେ କାମ କରିଥିଲେ। ପରେ ୩୦ ମେ ୨୦୧୪ରେ ଡୋଭାଲଙ୍କୁ ଭାରତର ପଞ୍ଚମ ନ୍ୟାଶନାଲ ସିକ୍ୟୁରିଟି ଆଡ୍‌ଭାଇଜର୍‌ ଭାବେ ନିଯୁକ୍ତ କରାଯାଇଥିଲା। ଏହାବାଦ୍‌ ୧୯୮୪, ଅମୃତସରର ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣବେଳେ ବି ଡୋଭାଲ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ସେ ପାକିସ୍ତାନୀ ଏଜେଣ୍ଟ ଭାବେ ମନ୍ଦିରରେ ପ୍ରବେଶ କରି ଅନେକ ଗୁପ୍ତ ତଥ୍ୟ ସଂଗ୍ରହ କରିଥିଲେ। ଫଳରେ ଭାରତୀୟ ସେନାଙ୍କୁ ଅପରେଶନ୍‌ରେ ବଡ଼ ସଫଳତା ମିଳିଥିଲା। ଏହାବାଦ୍‌ ୨୦୧୫ରେ ମଣିପୁରରେ ଭାରତୀୟ ସେନା ଉପରେ ହୋଇଥିବା ଆକ୍ରମଣ ପରେ ମ୍ୟାନ୍‌ମାର ସୀମାରେ ପଶି ଉଗ୍ରବାଦୀଙ୍କୁ ଶେଷ କରିବା ପାଇଁ ହୋଇଥିବା ଅପରେଶନ୍‌ରେ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ୨୦୧୬ରେ ଯେବେ ଭାରତୀୟ ସେନାର ଉରୀସ୍ଥିତ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା ଓ ୨୦୧୯ରେ ପାକସ୍ତାନୀ ଆତଙ୍କବାଦୀ ପୁଲଓ୍ବାମାରେ ସିଆରପିଏଫ୍‌ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ, ତା’ର ଜବାବରେ ଭାରତୀୟ ସେନା ଯେଉଁ ଏୟାରଷ୍ଟ୍ରାଇକ କରିଥିଲା, ଏହି ମିଶନକୁ ସଫଳ କରିବାରେ ଡୋଭାଲଙ୍କର ପ୍ରମୁଖ ଭୂମିକା ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ମାୟା

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ମୁକ୍ତାକାଶର ଖୋଲାମଞ୍ଚ ହେଉ କିମ୍ବା ସୌଖୀନ ରଙ୍ଗମଞ୍ଚ। ନାଟ୍ୟକଳା ପରିବେଷଣରେ କିଛି ଫରକ ପଡ଼େନା ଅଭିନୟ କରୁଥିବା କଳାକାରଙ୍କୁୁ।...

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ...

୭ ସନ୍ତାନର ପିତା କରିବାକୁ ଯାଉଥିଲେ ପଞ୍ଚମ ବିବାହ: ଧରାପଡିବା ପରେ…

ଲକ୍ଷ୍ନୌ,୧।୯: ଉତ୍ତର ପ୍ରଦେଶର ସୀତାପୁରରେ ଏକ ରୋଚକ ଘଟଣା ଘଟିଛି। ୭ ସନ୍ତାନର ପିତା ଗୁପ୍ତ ଭାବେ ପଞ୍ଚମ ବିବାହ କରିବାକୁ ଯାଉଥିବାବେଳେ ତାଙ୍କର ପିଲାମାନେ...

ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି

କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା...

ଏଭଳି ବୁଦ୍ଧି ପ୍ରୟୋଗ କରି ମେଣ୍ଢାଙ୍କ ଝଗଡ଼ା ଭାଙ୍ଗିଲା କୁକୁର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଲକ୍‌ଡାଉନ୍‌: ବଢ଼ିଛି ଓଜୋନ ପ୍ରଦୂଷଣ

ନୂଆଦିଲ୍ଲୀ,୩୦ା୬: ଲକ୍‌ଡାଉନ ଯୋଗୁ ସାରା ବିଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ ବନ୍ଦ ହୋଇଥିଲା। କଳକାରଖାନା, ଗାଡ଼ିମୋଟର ଚଳାଚଳ ପ୍ରାୟ ବନ୍ଦ ହୋଇଯାଇଥିଲା। ଏହାର ପ୍ରଭାବରେ ବାୟୁ ପ୍ରଦୂଷଣର...

ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି

ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍‌ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା...

ମଣିଷଙ୍କୁ ବ୍ୟାୟାମ କରାଉଛି କୁକୁର: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ; ମିଳିଲାଣି ୭୨ ଲକ୍ଷରୁ ଅଧିକ ଲାଇକ୍‌

ଓ୍ବାଶିଂଟନ,୧୪।୩: କୁକୁର ମଣିଷର ସମ୍ପର୍କ ଅତି ନିବିଡ଼। ମାନବ ସୃଷ୍ଟି ହେବାର ପରେ ପରେ ପ୍ରଥମେ ହିଁ କୁକୁର ସହିତ ବନ୍ଧୁତା ଆରମ୍ଭ କରିଥିଲା। ସମ୍ପ୍ରତି...

Advertisement
Archives

Model This Week