ସମାଜରୁ କୁଷ୍ଠ ରୋଗ ସମ୍ପର୍କିତ ବାଛବିଚାର ଦୂର କରିବା ଲକ୍ଷ୍ୟ: ଉଦଯାପିତ ହେଲା ‘କୁଷ୍ଠମୁକ୍ତ ଦାରିଙ୍ଗବାଡ଼ି ଅଭିଯାନ’, କୃତୀ ଛାତ୍ରଛାତ୍ରୀ…

ଦାରିଙ୍ଗବାଡ଼ି, ୧୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୋଜିତ ‘କୁଷ୍ଠମୁକ୍ତ ଦାରିଙ୍ଗବାଡ଼ି ଅଭିଯାନ’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଗତ ନଭେମ୍ବର ୨ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପକ୍ଷବ୍ୟାପୀ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ସମାଜରୁ କୁଷ୍ଠ ରୋଗ ସମ୍ପର୍କିତ ଅନ୍ଧବିଶ୍ୱାସ ଏବଂ ସାମାଜିକ ବାଛବିଚାର ଦୂର କରିବା ରହିଥିଲା। ଉଦଯାପନୀ ବୈଠକରେ ସନ୍ଦିଗ୍ଧ ରୋଗୀଙ୍କୁ ତୁରନ୍ତ ଚିହ୍ନଟ କରି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ନିକଟକୁ ପଠାଇବା ପାଇଁ ଏକ ସ୍ୱତନ୍ତ୍ର ଗ୍ରାମ୍ୟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି।

ଦାରିଙ୍ଗବାଡ଼ି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ, ନୋଡାଲ୍ କୁଷ୍ଠ ଅଧିକାରୀ ଡାକ୍ତର ପୂର୍ଣ୍ଣେନ୍ଦୁ ପାଢ଼ୀ, ବ୍ଲକ୍ ପ୍ରୋଗ୍ରାମ୍ ମ୍ୟାନେଜର ଶାନ୍ତନୁ କୁମାର ସାହୁ ଏବଂ ବ୍ଲକ୍ ନୋଡାଲ୍ କୁଷ୍ଠ କର୍ମୀ ଶିବାନନ୍ଦ ବେହେରାଙ୍କ ମିଳିତ ତତ୍ତ୍ୱାବଧାନରେ ଏହି ଅଭିଯାନ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ଲକ୍‌ର ୮ଟି ବିଦ୍ୟାଳୟର ୮୦୦ ଜଣ ଛାତ୍ରଛାତ୍ରୀ ଏବଂ ୮ଟି ଉଚ୍ଚ ପ୍ରବଣ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସମେତ ଉପ-ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ବ୍ୟାପକ ସଚେତନତା, ଶାରୀରିକ ପରୀକ୍ଷା ଓ ଗୋଷ୍ଠୀ ସହଭାଗିତା କାର୍ଯ୍ୟକ୍ରମ କରାଯାଇଥିଲା।

ବିଦ୍ୟାଳୟ ସ୍ତରୀୟ ଅଭିଯାନରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଦଳ ଏବଂ ବ୍ଲକ୍ ନୋଡାଲ୍ କୁଷ୍ଠ କର୍ମୀଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ କୁଷ୍ଠ ରୋଗର ପ୍ରାଥମିକ ଲକ୍ଷଣ ଓ ମାଗଣା ଚିକିତ୍ସା ବିଷୟରେ ସଚେତନ କରାଯିବା ସହ ସେମାନଙ୍କର ଶାରୀରିକ ଚର୍ମ ପରୀକ୍ଷା କରାଯାଇଥିଲା। ଏଥିସହ ପ୍ରତ୍ୟେକ ବିଦ୍ୟାଳୟରେ କୁଇଜ୍, ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ ପୂର୍ବକ ‘ବିଦ୍ୟାଳୟ କୁଷ୍ଠ ଦୂତ’ ଭାବେ ସମ୍ମାନିତ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ନିଜ ନିଜ ଗ୍ରାମରେ କୁଷ୍ଠ ରୋଗର ଶୀଘ୍ର ଚିହ୍ନଟ ଓ ସଚେତନତା ବାର୍ତ୍ତା ପ୍ରଚାର କରିବେ ବୋଲି ନୋଡାଲ୍ କୁଷ୍ଠ ଅଧିକାରୀ ଡାକ୍ତର ପୂର୍ଣ୍ଣେନ୍ଦୁ ପାଢ଼ୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share