୧୬ରୁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍ପଟ୍‌ ନାମଲେଖା

ଭୁବନେଶ୍ୱର, ୧୫।୧୦(ଅସମାପିକା ସାହୁ)ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ସ୍ପଟ୍‌ ନାମଲେଖା କରାଯିବ। ଏହି ପ୍ରକ୍ରିୟା ଆସନ୍ତା ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏ ଚାଲିବ। ଓଡ଼ିଶାର ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ନାମ ଲେଖାଇବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପଟ୍‌ ନାମଲେଖା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍‌ ସର୍ଭିସେସ୍‌ ପାଠ୍ୟକ୍ରମ ଅଧୀନରେ ଥିବା ମୋଟ ୭ଟି ବିଷୟରେ କରାଯିବ। ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାନିକାଲ ଆଣ୍ଡ୍‌ ଇଲେକ୍ଟ୍ରିକାଲ ସର୍ଭିସେସ୍‌, ଏୟାର କଣ୍ଡିସନିଂ ଆଣ୍ଡ୍‌ ରେଫ୍ରିଜରେଶନ୍‌, ଭର୍ଟିକାଲ ଟ୍ରାନ୍ସପୋର୍ଟେଶନ୍‌, ମେକାଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ଭଳି ୫ଟି ଅତ୍ୟାଧୁନିକ ବିଷୟ ରହିଛି। ପ୍ରାର୍ଥୀମାନେ ନିଜ ଆଧାରକାର୍ଡ ଏବଂ ପାସପୋର୍ଟ ଫଟୋ ସହିତ ମାଟ୍ରିକ, ଆଇଟିଆଇ କିମ୍ବା ଡିପ୍ଲୋମା ଏବଂ ସିଏଲ୍‌ସି ସାର୍ଟିଫିକେଟ ସାଙ୍ଗରେ ଆଣିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପତ୍ର ଆଣିବାକୁ ପରାମର୍ଶ ଦିଆଯାଇଛି। ସ୍ପଟ୍‌ ନାମଲେଖା ସମ୍ପର୍କରେ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବ୍‌ସାଇଟରୁ www.worldskillcenter.org ଅଧିକ ସୂଚନା ପାଇପାରିବେ। ତା’ଛଡ଼ା ୧୮୦୦ ୨୬୬ ୬୦୦୨/ ୦୬୭୪ ୨୫୮୦୦୭୯ ନମ୍ବରରେ କଲ୍‌ କରିପାରିବେ।
ସୂଚନାଯୋଗ୍ୟ, ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରୀଛାତ୍ରଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍‌ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଛି। ତା’ଛଡ଼ା ଚଳିତ ଶିକ୍ଷାବର୍ଷରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ଏବଂ ସଂଖ୍ୟାଲଘୁ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ କୋର୍ସ ଫି’ ସମ୍ପୂର୍ଣ୍ଣ ମାଗଣା ରହିଛି।