Posted inଖେଳ

କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ…

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା ଏବେ ସେମାନଙ୍କର ଏକମାତ୍ର ଲକ୍ଷ୍ୟ। ଲକ୍ଷ୍ୟପଥକୁ ତ୍ୱରାନ୍ବିତ କରିବା ସକାଶେ ପର୍ଯ୍ୟାପ୍ତ ପାଣ୍ଠି ବିନିଯୋଗ କରାଯାଉଛି। ଏସିଆ ମହାଦେଶରେ ଚାଇନା, ଜାପାନ, କୋରିଆ, ଭାରତ, ମାଲେସିଆ, ଇଣ୍ଡୋନେସିଆ ପ୍ରମୁଖ କ୍ରୀଡ଼ା କ୍ଷେତ୍ରରେ ବେଶ୍‌ ଅଗ୍ରଗତି କରିଛନ୍ତି। ବିଶ୍ୱର ଅଗ୍ରଣୀ ଦେଶଗୁଡ଼ିକ ସହିତ ସେମାନେ ମୁକାବିଲା କରୁଛନ୍ତି। ଏଥିପାଇଁ ଦେଶଗୁଡ଼ିକର ସରକାର ସ୍ବତନ୍ତ୍ର କ୍ରୀଡ଼ା ନୀତି ପ୍ରସ୍ତୁତ କରିଛନ୍ତି। ବ୍ୟକ୍ତିଗତ ବା ଏକକ କ୍ରୀଡ଼ାଗୁଡ଼ିକ ମଧ୍ୟରେ କୁସ୍ତି, ବକ୍ସିଂ, ଲନ୍‌ ଟେନିସ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ତୀର ଚାଳନା ଆଦି ଜନପ୍ରିୟତା ହାସଲ କରିଛି। ଦୌଡ଼କୁଦ ଶୃଙ୍ଖଳା ଅନ୍ତର୍ଗତ ଏକକ କ୍ରୀଡ଼ାଗୁଡ଼ିକ ମଧ୍ୟ ଲୋକପ୍ରିୟ। ବିଭିନ୍ନ ଦୂରତାର ଦୌଡ଼, ଲଙ୍ଗଜମ୍ପ, ହାଇଜମ୍ପ, ଟ୍ରିପଲ୍‌ ଜମ୍ପ, ଜାଭେଲିନ୍‌ ଥ୍ରୋ, ଶଟ ପୁଟ୍‌ ଓ ଡିସକସ୍‌ ଆଦି ଏକକ କ୍ରୀଡ଼ା। ଏକକ କ୍ରୀଡ଼ା ପାଇଁ ବଛା ବଛା କ୍ରୀଡ଼ାବିତ୍‌ଙ୍କୁ ପ୍ରସ୍ତୁତ କରିବାକୁ ପଡ଼େ। ସେହିପରି ଦଳଗତ କ୍ରୀଡ଼ା ପାଇଁ ଏକାଧିକ ଦଳକୁ ପ୍ରସ୍ତୁତ କରାଯାଇ ତାଲିମ ଦିଆଯାଏ। ଯେପରି କି କ୍ରିକେଟ, ହକି, ଫୁଟବଲ, ଭଲିବଲ ଅଥବା ବାସ୍କେଟ ବଲ। ଏକକ କ୍ରୀଡ଼ାରେ ଜଣେ ପ୍ରତିଯୋଗୀର ସଫଳତା ସମ୍ଭାବନା ଯେତିକି ରହେ ତାହା ଦଳଗତ କ୍ରୀଡ଼ାରେ ଦେଖାଯାଏ ନାହିଁ। କାରଣ ପୂରା ଟିମ୍‌ର ଏକକାଳୀନ ପ୍ରସ୍ତୁତି ସମାନ ହୋଇ ନ ଥାଏ। ଖେଳାଳିର ଉପସ୍ଥିତ ଫର୍ମ ଏବଂ ତାକୁ କେନ୍ଦ୍ର କରି ମାନସିକତାକୁ ନେଇ ପ୍ରଦର୍ଶନ ପ୍ରତିଫଳିତ ହୋଇଥାଏ। ସବୁବେଳେ ଗୋଟିଏ ପ୍ରକାର ଫର୍ମ ବଜାଏ ରଖିବା ଖେଳାଳି ପକ୍ଷେ ସମ୍ଭବ ହୋଇ ନ ଥାଏ। ଆଜି ଜଣେ ଖେଳାଳି ଯେଉଁ ମାନର ଦକ୍ଷତା ପ୍ରଦର୍ଶନ କରେ ପରେ ତାହା ଦୋହରାଇବାରେ ବିଫଳ ହୋଇପାରେ। ଖେଳର ସବୁ ଦିଗରେ ସର୍ବଦା ସ୍ଥିର ପ୍ରଦର୍ଶନ ପାଇଁ ଖେଳାଳିର ମନସ୍ତାତ୍ତ୍ୱିକ ପ୍ରସ୍ତୁତି ଜରୁରୀ। ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର କେତେକ ଦେଶର ଦୁର୍ବଳ ଅର୍ଥନୀତି ଯୋଗୁ ଲୋକମାନଙ୍କର ମାନସିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ। ଏସିଆ ଓ ଆଫ୍ରିକା ମହାଦେଶର କାୈଣସି ଦଳ ଫୁଟବଲ ବିଶ୍ୱକପ୍‌ ବିଜୟୀ ହୋଇ ପାରିନାହାନ୍ତି। ମାତ୍ର ଭାରତୀୟ ଉପମହାଦେଶରେ ହକିଖେଳର ପ୍ରସାର ଥିବାରୁ ଉଭୟ ଭାରତ ଓ ପାକିସ୍ତାନ ସଂଖ୍ୟାଧିକ ଥର ହକି ବିଶ୍ୱକପ୍‌ ଜିତି ପାରିଛନ୍ତି। ଦକ୍ଷିଣ ଆମେରିକାର ବିଭିନ୍ନ ଦେଶର ଅର୍ଥନୀତି ଭିନ୍ନ ଭିନ୍ନ ହୋଇପାରେ, ମାତ୍ର ଫୁଟବଲ ଖେଳର ଅତୀତ ବହୁ ପୁରୁଣା। ସେଇଥିପାଇଁ ଉରୁଗୁଏ, ଆର୍ଜେଣ୍ଟିନା, ବ୍ରାଜିଲ ଫୁଟବଲ ବିଶ୍ୱକପ୍‌ ଜିଣିବାରେ ସଫଳ ହୋଇଛନ୍ତି। ଭାରତରେ ହକି ଏବେ ହୃତ ଗୌରବ ଫେରିପାଇବା ପଥରେ ରହିଛି। ଟୋକିଓ ଅଲିମ୍ପିକ୍ସ ଏବଂ ଗତ ବିଶ୍ୱକପ୍‌ ଏହାର ପ୍ରକୃଷ୍ଟ ପ୍ରମାଣ। ଟୋକିଓରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ବେଳେ ଭାରତୀୟ ମହିଳା ହକି ଦଳ ଚତୁର୍ଥ ସ୍ଥାନ ହାସଲ କରି ଅଗ୍ରଣୀ ଦଳଗୁଡ଼ିକ ପାଇଁ ଆଶଙ୍କା ସୃଷ୍ଟି କରିପାରିଛି।
ବିଶ୍ୱ ଦୌଡ଼କୁଦରେ ଚାମ୍ପିୟନମାନଙ୍କ ଆଧିପତ୍ୟ
ଇତିମଧ୍ୟରେ ଆମେରିକାର ୟୁଜିନ୍‌ଠାରେ ଶେଷ ହୋଇଛି ୧୮ଶ ବିଶ୍ୱ ଦୌଡ଼କୁଦ ଚାମ୍ପିୟନଶିପ୍‌। ଏଥିରେ ଆୟୋଜକ ଦେଶ ଆମେରିକା ପୁଣି ଥରେ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିବାରେ ସଫଳ ହୋଇଛି। ଆଫ୍ରିକୀୟ ଦେଶ ଇଥିଓପିଆ ମଧ୍ୟ ନିଜର ଆଧିପତ୍ୟ ବଜାୟ ରଖିଛି। ପଦକ ବିଜୟୀ ତାଲିକାରେ ଇଥିଓପିଆ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଭାରତୀୟ ଜାଭେଲିନ୍‌ ଥ୍ରୋୟର୍‌ ନୀରଜ ଚୋପ୍ରା ଦେଶର ସମ୍ମାନ ରକ୍ଷା କରିଛନ୍ତି। ଚାମ୍ପିୟନଶିପ୍‌ର ଶେଷ ଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ନୀରଜ ୮୮.୧୩ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ଗ୍ରେନେଡାର ଆଣ୍ଡରସନ ପିଟର୍ସ ଫାଇନେଲ ରାଉଣ୍ଡରେ ୯୦.୫୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସମସ୍ତଙ୍କଠାରୁ ଅଗ୍ରଣୀ ରହିଥିଲେ। ତାହା ଶେଷ ପର୍ଯ୍ୟନ୍ତ ବଜାୟ ରହିଥିଲା। ଅନ୍ୟପକ୍ଷରେ ନୀରଜ ଓ ଜାକ୍ୟୁବ୍‌ଙ୍କ ମଧ୍ୟରେ ୨ୟ ଓ ୩ୟ ସ୍ଥାନ ପାଇଁ ମୁକାବିଲା ହୋଇଥିଲା। ଏହି ସମୟରେ ନୀରଜ କିଛି ମୁହୂର୍ତ୍ତ ଉତ୍କଣ୍ଠା ଦେଇ ଗତି କରିଥିଲେ। ଶେଷରେ ସେ ୮୮.୧୩ ମିଟର ଦୂରକୁ ଜାଭେଲିନ ଥ୍ରୋ କରି ରୌପ୍ୟ ଏବଂ ଜାକ୍ୟୁବ୍‌ ୮୮.୮ ମିଟର ଦୂରତାରେ ସୀମିତ ରହି ବ୍ରୋଞ୍ଜ ପଦକ ଜିତିଥିଲେ। ଫଳରେ ଦୀର୍ଘ ୧୯ ବର୍ଷ ପରେ ଭାରତ ବିଶ୍ୱ ଚାମ୍ପିୟନଶିପ୍‌ରେ ନୀରଜ୍‌ ଚୋପ୍ରାଙ୍କ ମାଧ୍ୟମରେ ଦ୍ୱିତୀୟ ଆଥ୍‌ଲେଟିକ୍‌ ପଦକ ଜିଣିପାରିଥିଲା। ଏହା ପୂର୍ବରୁ ପ୍ୟାରିସ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଞ୍ଜୁ ବବି ଜର୍ଜ ମହିଳା ଲଙ୍ଗ୍‌ଜମ୍ପରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇ ଭାରତକୁ ଗର୍ବିତ କରିଥିଲେ। ୭ଜଣ ଭାରତୀୟ ଆଥଲେଟ୍‌ ବିଭିନ୍ନ ଇଭେଣ୍ଟରେ ସେମି ଫାଇନାଲକୁ ଉଠିଥିଲେ। ଏଣୁ ଏହାକୁ ଶ୍ରେଷ୍ଠ ପ୍ରଦର୍ଶନ କୁହାଯାଉଛି। ତେବେ ଭାରତ ପାଇଁ ଲଜ୍ଜାଜନକ ଘଟଣା ବି ଘଟିଛି। ଭାରତୀୟ ମହିଳା ଆଥଲେଟ୍‌ ଏସ. ଧନଲକ୍ଷ୍ମୀ (୧୦୦ମି, ୨୦୦ମି ଦୌଡ଼) ଓ ଲଙ୍ଗ ଜମ୍ପର୍‌ ଐଶ୍ୱର୍ଯ୍ୟ ବାବୁ ଡୋପ୍‌ ଟେଷ୍ଟରେ ଶକ୍ତି ବର୍ଦ୍ଧକ ଔଷଧ ଖାଇଥିବା ଜଣାପଡ଼ିବା ପରେ ଭାରତୀୟ ଦୌଡ଼କୁଦ ମହାସଂଘ ସମସ୍ୟାରେ ପଡ଼ିଯାଇଛି।
ଗ୍ରୋଇନ୍‌ ଇଞ୍ଜୁରୀ ଯୋଗୁ ନୀରଜ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନାହାନ୍ତି। ତାଙ୍କ ଅନୁପସ୍ଥିତି ଯୋଗୁ ଭାରତ ଜାଭେଲିନ ଥ୍ରୋରେ ଏକ ନିଶ୍ଚିତ ପଦକ ହରାଇଲା ବୋଲି କୁହାଯାଇପାରିବ। ଗତ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜ ଚାମ୍ପିୟନ ହୋଇଥିଲେ। ଟୋକିଓ ଅଲିମ୍ପକ୍ସ ସ୍ବର୍ଣ୍ଣ ବିଜେତା ମରୋକୋର ସୌଫିଆନ୍‌ ଏଲ୍‌ ବକାଲି ପୁରୁଷ ୩ ହଜାର ମିଟର ଷ୍ଟିପଲଚେଜ୍‌ ରେସ୍‌ରେ କେନିଆର ଆଧିପତ୍ୟକୁ ପଣ୍ଡ କରି ଚାମ୍ପିୟନ ହୋଇଛନ୍ତି। କାତାରୀ ହାଇଜମ୍ପର୍‌ ବରଶୀମ୍‌ ୨.୩୭ ମିଟର ଉଚ୍ଚତା ଡେଇଁ କ୍ରମାଗତ ୩ଥର ବିଶ୍ୱ ଚାମ୍ପିୟନ୍‌ ହୋଇ ହ୍ୟାଟ୍ରିକ ହାସଲ କରିଥିଲେ। ଟୋକିଓରେ ବରଶୀମ୍‌ ଇଟାଲୀର ଜିଆନ୍‌ମାର୍କୋ ତମ୍ବାରୀଙ୍କ ସହିତ ମିଳିତ ଭାବେ ହାଇଜମ୍ପ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ମହିଳା ଟ୍ରିପଲଜମ୍ପ ଇଭେଣ୍ଟରେ ଭେନିଜୁଏଲାର ୟୁଲିମାର ରୋଜାସ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଅଲିମ୍ପିକ୍‌ ଚାମ୍ପିୟନ୍‌ ରୋଜାସ୍‌ ୧୫.୪୭ମିଟର ଲମ୍ପ ପ୍ରଦାନ କରି କ୍ରମାଗତ ୩ୟ ଥର ଟାଇଟଲ୍‌ ଜିତିଥିଲେ। ସେ ଏହି ଶୃଙ୍ଖଳାରେ ନିଜକୁ ବିଶ୍ୱର ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି। ଇଥିଓପିଆର ଗୋଟିତମ୍‌ ଗାବ୍ରେସ୍ଲାସ୍‌ ମହିଳା ମାରାଥନ ଦୌଡ଼ରେ ୨ଘଣ୍ଟା ୧୮ ମିନିଟ ୧୧ସେକେଣ୍ଡ ନେଇ ଚାମ୍ପିୟନ୍‌ ହୋଇଛନ୍ତି। ଇଥିଓପିଆର ତମିରାଟ୍‌ ତୋଲା ପୁରୁଷ ମାରାଥନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରୁଷ ୩ ହଜାର ମିଟର ଷ୍ଟିପିଲଚେଜ୍‌ ଫାଇନାଲରେ ଭାରତର ଅଭିନାଶ ସାବ୍‌ଲେ ବିଫଳ ହୋଇଥିଲେ। ୨୭ ବର୍ଷୀୟ ସାବ୍‌ଲେ ୮:୩୧.୭୫ ସେକେଣ୍ଡ ସମୟ ନେଇ ରେସ୍‌ ପୂରଣ କରିଥିଲେ ସୁଦ୍ଧା ତାଙ୍କର ଜାତୀୟ ରେକର୍ଡ ୮:୧୨.୪୮ ସେକେଣ୍ଡ ରହିଛି।
ଯେଉଁ ଦେଶର ସରକାର କ୍ରୀଡ଼ାକୁ ଯେତେ ଗୁରୁତ୍ୱ ଦେଉଛନ୍ତି ସେହି ଦେଶର ଖେଳାଳି ସେତେ ସଫଳତା ପାଉଛନ୍ତି। କ୍ରୀଡ଼ାବିତ୍‌ମାନଙ୍କୁ ଭିତ୍ତିଭୂମି ଯୋଗାଇଦେବା ସହିତ ଦୀର୍ଘସୂତ୍ରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ପ୍ରଶିକ୍ଷଣ ହେଉଥିଲାବେଳେ ମନସ୍ତାତ୍ତ୍ୱିକ ଦିଗକୁ ସର୍ବାଧିକ ଦୃଷ୍ଟି ଦିଆଯାଉଛି। ବିଜୟ ସମ୍ଭାବନା ରଖୁଥିବା ଖେଳାଳିମାନଙ୍କୁ ସ୍ବତନ୍ତ୍ର କ୍ରୀଡ଼ା ପ୍ରତିଷ୍ଠାନରେ ରଖାଯାଉଛି, ଯେପରି କି ସେମାନେ ଗୋଟିଏ ଲକ୍ଷ୍ୟରେ ତାଲିମ ନେବେ। ଇଥିଓପିଆ ଓ କେନିଆକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଦୁଇ ଆଫ୍ରିକୀୟ ଦେଶର ଲମ୍ବାଦାୈଡ଼ ପ୍ରତିଯୋଗୀମାନେ ଅନ୍ୟଦେଶ ପାଇଁ ସଫଳତାର ନମୁନା ସାଜୁଛନ୍ତି। ଏହା ପଛରେ ଦୁଇ ସରକାରଙ୍କର ନିଷ୍ଠାପର ଉଦ୍ୟମ ରହୁଛି। ନିଜ ଖେଳାଳିମାନଙ୍କର ଉନ୍ନତ ପ୍ରଦର୍ଶନ ବଳରେ ଦୁଇ ଦେଶ ପ୍ରଶଂସା ସାଉଁଟୁଛନ୍ତି। ଖେଳାଳିମାନେ ଅର୍ଜୁଥିବା ପ୍ରଶଂସା ଦେଶ ନିର୍ମାଣରେ ସହାୟକ ହୋଇପାରୁଛି। ଧନୀ ଦେଶଗୁଡ଼ିକ ପାଣ୍ଠି ସହାୟତା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ନୈତିକ ମନୋବଳ ବଢ଼ାଉଛନ୍ତି।
-ଶ୍ରୀ ଗୌର କୁଟୀର, ବଡ଼ବଜାର, ବାରିପଦା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗର୍ଭାବସ୍ଥାର ଶେଷ ମାସରେ ଏହା ଖାଇବାକୁ ମନ ବଳାଇଲେ ଅନୁଷ୍କା: ରେଷ୍ଟୁରାଣ୍ଟ ନେଲେ ବିରାଟ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଗର୍ଭାବସ୍ଥାର ଶେଷ ମାସରେ ଏକାକୀ ଛାଡିବାକୁ ଚାହୁଁ ନ ଥିଲେ। ତେଣୁ ସେ...

କର୍ନାଟକ ସହ ପଏଣ୍ଟ ବାଣ୍ଟିଲା ଓଡ଼ିଶା

ଭୁବନେଶ୍ୱର,୨୦ା୨ (ସ୍ପୋଟର୍‌ସ ବ୍ୟୁରୋ): ୭୬ତମ ସନ୍ତୋଷ ଟ୍ରଫି ଫୁଟ୍‌ବଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍‌ରେ ରବିବାର ଆୟୋଜକ ଓଡ଼ିଶା କର୍ନାଟକ ସହ ପଏଣ୍ଟ ବାଣ୍ଟିଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକ...

‘ରବିଙ୍କ ପାଖରେ କିଛି ଭିନ୍ନ ଅଛି’

କୋଲକାତା,୧୭।୨: ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଥିଲେ। ଜୋଦପୁରର ୨୧ ବର୍ଷୀୟ ସ୍ପିନର ୪...

ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି: ସୁଶୀଲଙ୍କୁ ଅଣଦେଖା, ମାନ୍‌ଙ୍କ ସ୍ଥାନରେ ଅମିତ

ନୂଆଦିଲ୍ଲୀ, ୨୩।୪(ପି.ଟି.)-ଆସନ୍ତା ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳରେ ନ୍ୟାଶନାଲ ଗୋଲ୍ଡ ମେଡାଲିଷ୍ଟ ସନ୍ଦୀପ ମାନ୍‌ଙ୍କ ସ୍ଥାନରେ ପୂର୍ବତନ ଏସୀୟ...

ଆସେସ୍‌ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ: ସ୍ମିଥ, ଓ୍ବାର୍ନର, ବ୍ୟାଙ୍କ୍ରଫ୍ଟ ସାମିଲ

ଲଣ୍ଡନ,୨୭ା୭(ଏ.ଏଫ୍‌.ପି.) ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଆସେସ୍‌ ସିରିଜ ପାଇଁ ଶୁକ୍ରବାର ଅଷ୍ଟ୍ରେଲିଆର ୧୭ଜଣିଆ ଦଳ ଘୋଷଣା କରାଯାଇଛି। ୫ ମ୍ୟାଚ ବିଶିଷ୍ଟ ଏହି...

ତାରକା ବ୍ୟାଟ୍ସମ୍ୟାନ ଫେଲ୍‌ ମାରିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ ଛିଡ଼ା କଲା ବିଶାଳ ବିଜୟ ଲକ୍ଷ୍ୟ

ପୁଣେ,୨୮।୩ : ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନମାନେ। ଏହା ସତ୍ତ୍ୱେ ଭ୍ରମଣକାରୀ ଦଳ...

ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ

ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ...

ଟସ୍‌ ଜିତି ବୋଲିଂ କରିବ ହାଇଦ୍ରାବାଦ

ମୁମ୍ବାଇ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୨୧ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ୍‌ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ...

Advertisement
Archives

Model This Week