ନୂଆଦିଲ୍ଲୀ,୨୨।୧୧: ଆଇପିଏଲ (IPL) ୨୦୨୭ ପୂର୍ୱରୁ ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସର ଅଂଶ ହୋଇଯାଇଛନ୍ତି। ଏହି ଟ୍ରେଡ ପ୍ରତ୍ୟେକ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏବେ ମୁମ୍ୱାଇ ଇଣ୍ଡିଆନ୍ସର ଆଉ ଜଣେ ପୂର୍ୱତନ ସଦସ୍ୟ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇପାରନ୍ତି। ପ୍ରକୃତରେ, ପୂର୍ୱତନ ଭାରତୀୟ ଦ୍ରୁତ ବୋଲର ପାରସ ମ୍ହାମ୍ୱ୍ରେଙ୍କର ନିକଟରେ ମୁମ୍ୱାଇ ଇଣ୍ଡିଆନ୍ସ ସହ କାର୍ଯ୍ୟକାଳ ଶେଷ ହୋଇଛି ଏବଂ ଏବେ ସେ ମଧ୍ୟ ହାର୍ଦ୍ଦିକଙ୍କ ଭଳି ପଞ୍ଜାବ କିଙ୍ଗ୍ସ ସହ ଯୋଡ଼ି ହେବାକୁ ଯାଉଛନ୍ତି। ଏବେ ସେ PBKSରେ ବୋଲିଂ କୋଚ ଭୂମିକା ତୁଲାଇ ପାରନ୍ତି।
ସ୍ପୋର୍ଟଷ୍ଟାରର ରିପୋର୍ଟ ଅନୁଯାୟୀ, ପାରସ ମ୍ହାମ୍ୱ୍ରେ ପଞ୍ଜାବ କିଙ୍ଗ୍ସ ସହ ସମସ୍ତ କାଗଜପତ୍ର କାମ ଶେଷ କରିଛନ୍ତି ଏବଂ ସେ ଆଗାମୀ ସିଜିନରେ PBKSର କୋଚିଂ ସେଟଅପ୍ର ଅଂଶ ହେବେ। IPL ୨୦୨୬ ପରେ ମୁମ୍ୱାଇ ଇଣ୍ଡିଆନ୍ସ ନିଜର କୋଚିଂ ଷ୍ଟାଫଙ୍କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ସେମାନେ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ କିରନ ପୋଲାର୍ଡଙ୍କୁ ନୂଆ ହେଡ କୋଚ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ଲାସିଥ ମାଲିଙ୍ଗା ଏବଂ ପାରସ ମ୍ହାମ୍ୱ୍ରେଙ୍କୁ ବୋଲିଂ କୋଚ ପଦରୁ ହଟାଇ ଦିଆଯାଇଛି।
ମୁମ୍ୱାଇ ଇଣ୍ଡିଆନ୍ସ ପୂର୍ୱତନ ଦ୍ରୁତ ବୋଲର ମିଚେଲ ମ୍ୟାକକ୍ଲେନାଘନ ଏବଂ ଧୱଲ କୁଲକର୍ଣ୍ଣିଙ୍କୁ ନିଜ ଷ୍ଟାଫ୍ରେ ସାମିଲ କରିଛି। ପଞ୍ଜାବ କିଙ୍ଗ୍ସ ମଧ୍ୟ ଆଗାମୀ ସିଜିନ ପୂର୍ୱରୁ କୋଚିଂ ଷ୍ଟାଫର ପରିବର୍ତ୍ତନ କରିଛି। ଫିଲ୍ଡିଂ କୋଚ ବ୍ରାଡ ହାଡିନ ଏବଂ ବୋଲିଂ କୋଚ ଜେମ୍ସ ହୋପ୍ସଙ୍କର ଦଳ ସହ ଯାତ୍ରା ଶେଷ ହୋଇଛି, ସେହିପରି ସାଇରାଜ ବହୁତୁଲେ ମଧ୍ୟ ଟିମ ଇଣ୍ଡିଆର ସ୍ପିନ ବୋଲିଂ କୋଚ ଦାୟିତ୍ୱ ତୁଲାଇବା ପାଇଁ PBKS ଛାଡ଼ି ସାରିଛନ୍ତି।
ରିକି ପଣ୍ଟିଂ ଏବଂ ପାରସ ମ୍ହାମ୍ୱ୍ରେ ୨୦୧୫ରେ ମୁମ୍ୱାଇ ଇଣ୍ଡିଆନ୍ସରେ ଥିବା ସମୟରେ ଏକାଠି କାମ କରିଥିଲେ। ସେ ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍ର ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଥିଲେ। ସେ ବୋଲିଂ କୋଚ ଭାବେ ବଢ଼ିଆ କାମ କରିଥିଲେ ଏବଂ ତାଙ୍କ କାର୍ଯ୍ୟକାଳରେ ଟିମ ଇଣ୍ଡିଆ ୨୦୨୪ର ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ସେ ମୁମ୍ୱାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫଙ୍କୁ ଫେରି ଆସିଥିଲେ।
ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ IPL ୨୦୨୬ ଅତ୍ୟନ୍ତ ନିରାଶାଜନକ ରହିଥିଲା, ଯେଉଁ କାରଣରୁ ସେମାନେ ବଡ଼ ବଡ଼ ପରିବର୍ତ୍ତନ କଲେ ଏବଂ ପାରସ ମ୍ହାମ୍ୱ୍ରେଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଗଲା। ଯାହା ହେଉ, ଏବେ ପାରସ IPLରେ ପଞ୍ଜାବ କିଙ୍ଗ୍ସ ସହ ନିଜର ନୂଆ ଆରମ୍ଭ କରିବେ। ସେ ପୁଣିଥରେ ରିକି ପଣ୍ଟିଂ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ କାମ କରିବେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖୁବ ଶୀଘ୍ର ଆନୁଷ୍ଠାନିକ ଘୋଷଣା ହୋଇପାରେ। ସୂଚନାଯୋଗ୍ୟ ଯେ ପାରସ ଭଲେ ହିଁ IPLରେ ମୁମ୍ୱାଇ ଇଣ୍ଡିଆନ୍ସଠାରୁ ଅଲଗା ହୋଇଯାଇଛନ୍ତି, କିନ୍ତୁ ଅନ୍ୟ ଫ୍ରାଞ୍ଚାଇଜି ଲିଗ୍ରେ ସେ MIର ଟିମ୍ଗୁଡ଼ିକ ସହ କାମ କରୁଛନ୍ତି।