Categories: ଖେଳ

ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ

ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ ସମ୍ଭାବାନା ରହିଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏହି ଗସ୍ତ ପାଇଁ ସାମୟିକ କାର୍ଯ୍ୟସୂଚୀ ଜାରି କରିଛି। ଅଗଷ୍ଟ ଓ ସେପ୍ଟେମ୍ବରରେ ଏହି ସିରିଜର ମ୍ୟାଚ୍‌ଗୁଡିକ ଖେଳାଯିବ।
ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଇଂଲଣ୍ଡ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ ରୁଦ୍ଧଦ୍ୱାରରେ ଆୟୋଜନ କରିଥିଲା। ଏହାପରେ ଅଷ୍ଟ୍ରେଲିଆ ଇଂଲଣ୍ଡ ଗସ୍ତ କରି ଏକ ସୀମିତ ଓଭର ସିରିଜ ଖେଳିଥିଲା। ସବୁ ସିରିଜ ସଫଳତାର ସହ ଆୟୋଜିତ ହୋଇଥିଲା। ଏବେ ଆଗାମୀ ସେସନରେ ଆୟୋଜନ ହେବାକୁ ଥିବା ସିରିଜରେ ଦର୍ଶକମାନଙ୍କୁ ସାମିଲ କରିବାକୁ ଇସିବି ପ୍ରୟାସ କରିବ। ତେବେ ଏହା କୋଭିଡ୍‌-୧୯ ସ୍ଥିତି ଉପରେ ନିର୍ଭର କରୁଛି ବୋଲି କୁହାଯାଇଛି।
ଆସନ୍ତା ବର୍ଷ ଭାରତ ବିପକ୍ଷରେ ଆମେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରିବାକୁ ଯାଉଛୁ। ଏଥିସହ ପୁରୁଷ ଓ ମହିଳା ଦଳ ପାଇଁ ସୀମିତ ଓଭର ସିରିଜ ଓ ଦୃଷ୍ଟିହୀନ ଦଳ ପାଇଁ ଏକ ଆଶେସ ସିରିଜ ଆୟୋଜନ କରିବୁ ବୋଲି ଇସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟମ ହାରିସନ କହିଛନ୍ତି। ଏହି ସିରିଜଗୁଡକରେ ଦର୍ଶକମାନଙ୍କୁ ଷ୍ଟାଡିୟମରେ ସ୍ବାଗତ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଏହା ପୂର୍ବରୁ ସ୍ବାସ୍ଥ୍ୟଜନିତ ନିରାପତ୍ତା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଭାରତ ବିପକ୍ଷ ୪ଟି ଟେଷ୍ଟ ମ୍ୟାଚ୍‌ ଟ୍ରେଣ୍ଟ ବ୍ରିଜ୍‌, ଲଡର୍‌ସ, ହେଡିଂଲେ, କିଆ ଓଭାଲ ଓ ଓଲ୍ଡ ଟ୍ରାଫୋର୍ଡରେ ଆୟୋଜନ ହେବ। ଅଗଷ୍ଟ ୪ରୁ ଆରମ୍ଭ ହୋଇ ଏହି ହାଇପ୍ରୋଫାଇଲ ସିରିଜ ସେପ୍ଟେମ୍ବର ୧୪ରେ ଶେଷ ହେବ। ଉଲ୍ଲେଖଥାଉ କି, ଏହା ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୨୦୧୮ରେ ଇଂଲଣ୍ଡ ଗସ୍ତ କରିଥିଲା ଓ ୧-୪ ବ୍ୟବଧାନରେ ଟେଷ୍ଟ ସିରିଜରେ ପରାସ୍ତ ହୋଇଥିଲା।

ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ କାର୍ଯ୍ୟସୂଚୀ

ତାରିଖ                        ମ୍ୟାଚ୍‌                       ଭେନ୍ୟୁ
ଅଗଷ୍ଟ ୪-୮                 ପ୍ରଥମ ଟେଷ୍ଟ                ଟ୍ରେଣ୍ଟ ବ୍ରିଜ୍‌
ଅଗଷ୍ଟ ୧୨-୧୬             ଦ୍ୱିତୀୟ ଟେଷ୍ଟ                ଲଡର୍‌ସ
ଅଗଷ୍ଟ ୨୫- ୨୯            ତୃତୀୟ ଟେଷ୍ଟ               ହେଡିଂଲି
ସେପ୍ଟେମ୍ବର ୨-୬                 ଚତୁର୍ଥ ଟେଷ୍ଟ                ଓଭାଲ
ସେପ୍ଟେମ୍ବର ୧୦-୧୪             ପଞ୍ଚମ ଟେଷ୍ଟ ଓଲ୍ଡ           ଟ୍ରାଫୋର୍ଡ

Share