ଟିକା ଅଭାବରୁ ସ୍ବତନ୍ତ୍ର ଟିକାକରଣ ବନ୍ଦ

ଭୁବନେଶ୍ୱର, ୩୧ା୫ (ବ୍ୟୁରୋ):ସ୍ବାସ୍ଥ୍ୟ ବିଭାଗ ଯେଉଁ ଆଶଙ୍କା କରୁଥିଲା ଶେଷରେ ସେୟା ହିଁ ହେବାକୁ ଯାଉଛି। ଟିକା ଅଭାବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ସ୍ବତନ୍ତ୍ର ଟିକାକରଣ ବାଧାପ୍ରାପ୍ତ ହୋଇଛି। ସୋମବାରଠାରୁ ରାଜଧାନୀର ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଚାଲିଥିବା କେବଳ ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସହରରେ କରୋନା ସ୍ଥିତି ଜଟିଳ ରହିଥିବାବେଳେ ରାଜଧାନୀବାସୀଙ୍କ ପାଇଁ ଟିକା ଅଭାବ ଚିନ୍ତା ବଢ଼ାଇ ଦେଇଛି।
କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ କୋଭିଶିଲ୍ଡ ଟିକା ଦିଆଯାଉଥିବାବେଳେ କେବଳ ଭୁବନେଶ୍ୱରରେ କୋଭାକ୍ସିନ ଦିଆଯାଉଛି। ଉଭୟ ୧୮ରୁ ୪୪ ବର୍ଷ ଓ ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ଜାରି ରହିଛି। ସହରର ବସ୍ତିବାସିନ୍ଦା ଓ ଅନ୍ୟମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଟିକାଦାନର ବ୍ୟବସ୍ଥା ହୋଇଥିଲା। ଟୋକନ୍‌ ବ୍ୟବସ୍ଥା କରି ବିଭିନ୍ନ କମ୍ୟୁନିଟି ସେଣ୍ଟର ଓ ଅନ୍ୟାନ୍ୟ ୧୭ଟି ସ୍ଥାନରେ ଟିକାକରଣ କରାଯାଉଥିଲା। ତେବେ ଟିକାର ଅଭାବ ଦେଖାଦେଇଥିବାରୁ ୧୮ରୁ ୪୪ବର୍ଷ ବ୍ୟକ୍ତିଙ୍କ ପାଇଁ ଏହି ସ୍ବତନ୍ତ୍ର ଟିକାକରଣ ବନ୍ଦ ରହିବ। ରାଜ୍ୟରେ ଟିକାର ସେପରି ଅଭାବ ନାହିଁ ଓ ସମସ୍ତଙ୍କୁ ପ୍ରଥମ ଡୋଜ୍‌ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହୁଥିବାବେଳେ ଖୋଦ୍‌ ରାଜଧାନୀରେ ଏ ପରିସ୍ଥିତି ଅସନ୍ତୋଷ ସୃଷ୍ଟି କରୁଛି। ଟିକା ଅଭାବ ନେଇ ଗତ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କଙ୍କୁ ଏନେଇ ଚିଠି ଲେଖି ଅବଗତ କରିଥିଲେ। ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ବଳକା ଟିକାକୁ ୧୮ରୁ ୪୪ ଯୁବବର୍ଗଙ୍କ ପାଇଁ ବ୍ୟବହାର କରିବାକୁ ଅନୁମତି ଲୋଡ଼ିଥିଲେ। ହେଲେ କୌଣସି ଉତ୍ତର ନ ଆସିବାରୁ ଏବେ ଟିକା ଅଭାବ ପରିସ୍ଥିତି ଉପୁଜିଛି। ରବିବାର କେବଳ ସରକାରୀ ପିଏଚ୍‌ସିରେ ୧୮ରୁ ୪୪ ବୟସର ଲୋକଙ୍କ ପାଇଁ ଟିକାକରଣ ଚାଲିଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ବନ୍ଦ ରହିଥିଲା। ପୂର୍ବରୁ ସ୍ଲଟ୍‌ ବୁକିଂ କରିଥିବା ଲୋକଙ୍କୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ କେବଳ ସରକାରୀ ପିଏଚ୍‌ସିଗୁଡିକରେ ଟିକା ଦେବା ପାଇଁ ଅନୁମତି ମିଳିଛି। ଟିକା ଅଭାବ ଥିବାରୁ ବର୍ତ୍ତମାନ ପାଇଁ ଏହି ବର୍ଗର ଲୋକଙ୍କ ପାଇଁ ସ୍ଲଟ୍‌ ବୁକିଂ ମଧ୍ୟ ବନ୍ଦ ରହିଛି। ଟିକା ଆସିବା ପରେ ପୁଣିଥରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବା ସହ ପୂର୍ବପରି ବିଭିନ୍ନ ସ୍ଥାନରେ ଟିକାକରଣ କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର ସୂଚନା ଦେଇଛନ୍ତି। ତେବେ ୪୫ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ଟିକାକରଣ ପ୍ରକ୍ରିୟା ପୂର୍ବ ଭଳି ଚାଲୁ ରହିବ ବୋଲି ସେ କହିଛନ୍ତି।