୪ ଜିଲା ପାଇଁ ସ୍ବତନ୍ତ୍ର ରଣନୀତି: କୋରାପୁଟରେ ହେବ ପ୍ଲାଜ୍‌ମା ବ୍ୟାଙ୍କ

ଭୁବନେଶ୍ୱର,୧୯ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍‌ ପରିସ୍ଥିତି ଓ ରଣନୀତି ନେଇ ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲାରେ ଆଞ୍ଚଳିକଭିତ୍ତିକ ରଣନୀତି ଅବଲମ୍ବନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏଥିରେ ପରାମର୍ଶ ଦେଇଛନ୍ତି।
ପ୍ରତି ୧ ଲକ୍ଷରେ ୧୦୯୬ଟି କରୋନା ପରୀକ୍ଷଣ କରି ଓଡ଼ିଶା ଜାତୀୟସ୍ତରରେ ଦୈନିକ ସର୍ବାଧିକ ଟେଷ୍ଟ କରୁଥିବା ରାଜ୍ୟ ଭାବେ ପରିଗଣିତ ହୋଇଛି। ଏଥିସହ ଏଇ ସପ୍ତାହ ମଧ୍ୟରେ ଦୈନିକ ନମୁନା ପରୀକ୍ଷା ସଂଖ୍ୟା ୫୦ ହଜାରକୁ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ, ସମସ୍ତ ଜିଲାପାଳ ଓ ସେମାନଙ୍କ ଟିମ୍‌ ତଥା ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟରେ କୋଭିଡ୍‌ ମୁକାବିଲା ପାଇଁ ୫୦ ଲକ୍ଷରୁ ଅଧିକ ଲୋକ ତାଲିମ ପାଇଛନ୍ତି। ଏହା ବାସ୍ତବରେ ବଡ଼ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଲକ୍ଷଣବିହୀନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଗୃହ ସଙ୍ଗରୋଧକୁ ପ୍ରୋତ୍ସାହନ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପ୍ଲାଜ୍‌ମାଦାତାଙ୍କ ମହତ୍‌ କାର୍ଯ୍ୟକୁ ସ୍ବୀକୃତି ଦେଇ ସେମାନଙ୍କୁ ପ୍ରଶଂସାପତ୍ର ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ କୋଭିଡ୍‌ ଯୋଦ୍ଧା ଓ ରୋଗୀଙ୍କ ମତାମତ ନେବା ପାଇଁ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ଟି ପ୍ଲାଜ୍‌ମା ୟୁନିଟ୍‌ ସ୍ଥାପନ କରାଯାଇଛି। କୋରାପୁଟ ମେଡିକାଲ କଲେଜରେ ଆଉ ଏକ ପ୍ଲାଜ୍‌ମା ବ୍ୟାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହ ସୁଦ୍ଧା ଏହା ସ୍ଥାପନ କରାଯିବ। ରାଜ୍ୟରେ କୃଷିକାର୍ଯ୍ୟ ସୂଚାରୁରୂପେ ଚାଲିବା ଓ ଚାଷୀଙ୍କୁ ସମସ୍ୟା ନ ହେବା ପାଇଁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଯୋଗ ଦେଇଥିଲେ।