କମାଲ ଦେଖାଉଛନ୍ତି ନବୀନଙ୍କ ଡୁପ୍ଲିକେଟ୍‌: ପେସା ମେକାନିକ, ନିଶା କିନ୍ତୁ…

ଭବାନୀପାଟଣା,୨।୧୧(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବେଶ ଓ ତାଙ୍କ ଭଳି କଥା। ହଠାତ୍‌ ଦେଖିଲେ ଚମକି ଯିବେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ଫଲୋ କରି ଉପସ୍ଥାପନା କରିବା ତାଙ୍କର ମୁଖ୍ୟ ପରିଚୟ। ଜିଲାରେ କୌଣସି ଯାନିଯାତ୍ରା ହେଉ କିମ୍ବା ପର୍ବ ପର୍ବାଣୀ ସୋସିଆଲ ମିଡିଆରେ ଆସିଥାଏ ତାଙ୍କର ମଜାକିଆ ଶୁଭେଚ୍ଛା ବାର୍ତ୍ତା। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଫ୍ୟାନ ବୋଲି ନିଜକୁ କହନ୍ତି। ଆଉ ଜିଲାବାସୀ ତାଙ୍କୁ ଶ୍ରଦ୍ଧାରେ ଡାକିଥାନ୍ତି ଡୁପ୍ଲିକେଟ ସିଏମ୍‌। ପେଶାରେ ଜଣେ ମୋଟର ସାଇକେଲ ମେକାନିକ। ଆଉ ନିସା କିନ୍ତୁ ଭିନ୍ନ। ଜଣେ ଦୁଖୀ ମଣିଷର ମୁହଁରେ ସର୍ବଦା ହସ ଟିକେ ଆଣୁଥିବା ବ୍ୟକ୍ତି ହେଉଛନ୍ତି ସେ କୈଳାସ ସାହୁ। ଘର ତାଙ୍କର କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ। ସହରର ଘୋଡାଘାଟ ଛକ ଜାତୀୟ ରାଜପଥ ୨୬ କଡରେ ରହିଛି ତାଙ୍କର ମୋଟର ସାଇକେଲ ମରାମତି ଥାପା ଗ୍ୟାରେଜ। ସେ ଆଜିକୁ ୧୫ ବର୍ଷ ହେବ ସହରରେ ଜଣେ ପ୍ରତିଷ୍ଠିତ ମେକାନିକ ଭାବେ ପରିଚିତ୍‌। ତାଙ୍କର ରହିଛି ଆଉ ଏକ ଭିନ୍ନ ପରିଚୟ। ସେ ଜଣେ ହାସ୍ୟ କଳାକାର ଭାବେ ଜିଲାରେ ବେଶ୍‌ ପରିଚିତ। ହାଇସ୍କୁଲ ପଢିବା ବେଳେ ସେ ଅନେକ କଳାକାରଙ୍କୁ ସ୍ବର ମିମିକ୍ରି କରୁଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ବର ଶୁଣି ତାଙ୍କ ମଧ୍ୟ ସେ ମିମିକ୍ରି କରିବା ଆରମ୍ଭ କରିଥିଲେ। ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଭଳି ବେଶ କରି ତାଙ୍କ ମିମିକ୍ରି କରି ବିଭିନ୍ନ ପର୍ବ ପର୍ବପାଣୀରେ ବୁଲି ମଜାକିଆ ଶୁଭେଚ୍ଛା ଲୋକଙ୍କୁ ଜଣାଇଥିଲେ। ଗତ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀଙ୍କ ଦର୍ଶନ ସମୟରେ କୈଳାସ ତାଙ୍କୁ ଦେଖା କରିଥିଲେ। ମୁଖ୍ୟମନ୍ତ୍ରୀ ଖୁସି ହୋଇ କୈଳାସଙ୍କୁ ଥ୍ୟାଙ୍କୟୁ କହିଥିଲେ। ବୁଧବାର ମୁଖ୍ୟମନ୍ତ୍ରୀ ଭବାନୀପାଟଣାସ୍ଥିତ ବିଶ୍ୱବିଦ୍ୟାଳୟ ଖେଳ ପଡିଆକୁ ଆସୁଥିବା ଜାଣି କୈଳାସ ମୁ୍ଯଯମନ୍ତ୍ରୀ ଭଳି ବେଶ ହୋଇ ସେଠାରେ ପହଞ୍ଚତ୍ ଲୋକଙ୍କୁ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଥିଲା।