ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୨(ବ୍ୟୁରୋ)-ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବଶୀଘ୍ର ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରାଯିବ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ-୧୯୫୧ ଅନୁଯାୟୀ ମନ୍ଦିର ପରିଚାଳନା କରିବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ଏହି ନୂତନ ଆଇନ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ। ଲିଙ୍ଗରାଜ ମନ୍ଦିର ଓ ଏହାର ନୀତିକାନ୍ତି ସହ ଜଡ଼ିତ ସମସ୍ତ ମନ୍ଦିରର ପରିଚାଳନା ଦାୟିତ୍ୱ ଏକ ୧୫ଜଣିଆ ପରିଚାଳନା କମିଟି ଉପରେ ନ୍ୟସ୍ତ ରହିବ। ମନ୍ଦିରର ସମସ୍ତ ସମ୍ପତ୍ତିର ରକ୍ଷଣାବେକ୍ଷଣ, ଭିତ୍ତିଭୂମି ବିକାଶ, ଉପାର୍ଜନ, ନୀତିକାନ୍ତି, ସେବାୟତଙ୍କ କଲ୍ୟାଣ ସହ ସବୁ ନିଷ୍ପତ୍ତି ନେବାକୁ ଏହି କମିଟି କ୍ଷମତାପ୍ରାପ୍ତ ରହିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବା ପରେ ଏନେଇ ଘୋଷଣା କରିଛନ୍ତି।
ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିବା ଅବସରରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରକୁ ଯାଇ ସେଠାରୁ ମହାପଭୁଙ୍କୁ ପ୍ରଣାମ ଜଣାଇ ସେବାୟତମାନଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ଏକାମ୍ର କ୍ଷେତ୍ର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଆଗକୁ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିବା ସହିତ ଏକାମ୍ର କ୍ଷେତ୍ରକୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ