ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ: ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ସମ୍ବଲପୁର, ୨।୧୧ (ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (ଏସ୍‌ଏଲ୍‌ଏଓ) ଅଜୟ କୁମାର ଗଡ଼ନାଏକ। ରେଳପଥ ଦୋହରୀକରଣ ପ୍ରକଳ୍ପରେ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଅର୍ଥ ମଞ୍ଜୁରୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଜମି ମାଲିକଙ୍କର ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ମଞ୍ଜୁର କରିବା ଏବଂ ଆଗାମୀ ତୃତୀୟ ରେଳଲାଇନ୍ ପ୍ରକଳ୍ପ ପାଇଁ ଅନୁକୂଳ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ଏସ୍‌ଏଲ୍‌ଏଓ ଗଡ଼ନାଏକ ମୋଟ ୫,୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏଥିମଧ୍ୟରୁ ସେ ଗତ ଅକ୍ଟୋବର ୨୭ ତାରିଖରେ ୨ ଲକ୍ଷ ଟଙ୍କା ଅଗ୍ରିମ ଭାବେ ନେଇସାରିଥିଲେ। ସୋମବାର ଅବଶିଷ୍ଟ ୩,୧୦,୦୦୦ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା।

ଅଭିଯୋଗକାରୀଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏକ ଜାଲ ବିଛାଯାଇଥିଲା। ସୋମବାର ଯୋଜନାବଦ୍ଧ ଭାବେ ଚଢ଼ାଉ କରି ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତଙ୍କଠାରୁ ୩,୧୦,୦୦୦ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି।

ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ପି.ଏସ୍. କେସ୍ ନଂ. ୨୦/୨୦୨୬ ରୁଜୁ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କ ବିଭିନ୍ନ ଠିକଣାରେ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଏକକାଳୀନ ଚଢ଼ାଉ ଜାରି ରହିଛି।

Dharitri – Odisha’s No.1 Odia Daily

Share