ଉଠାଦୋକାନୀଙ୍କୁ ସ୍ବତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ଉଠା ଦୋକାନୀଙ୍କୁ ତୃତୀୟ ପର୍ଯ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୦ ଓ ଜୁନ ୨୦୨୧ରେ ୩୦୦୦ ଟଙ୍କା ଲେଖାଏ ସହାୟତା ରାଶି ଦିଆଯାଇଥିଲା। ତେବେ ଉଠାଦୋକାନୀଙ୍କ ବଜାର ସୁବିଧା ପାଇଁ ୮୭ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ କରାଯିବ। ଏଥିପାଇଁ ମୁକ୍ତା ଯୋଜନାରେ ୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ସମସ୍ତଙ୍କ ଜୀବିକା ଉପରେ ପ୍ରଭାବ ପକାଇଛି। ‘ଆପଣମାନଙ୍କ କଷ୍ଟ ମୁଁ ଅନୁଭବ କରୁଛି। ମୁଁ କହିବାକୁ ଚାହେଁ ଯେ ସରକାର ସବୁବେଳେ ଆପଣମାନଙ୍କ ସାଥିରେ ଅଛନ୍ତି।’ ଏହି ସହାୟତା ଆପଣମାନଙ୍କ ଜୀବିକାକୁ ସୁରକ୍ଷା ଯୋଗାଇବ। ଗୋଟିଏ ସହରର ଅର୍ଥନୀତିରେ ପଥପାର୍ଶ୍ୱ ବିକ୍ରେତା ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଅଂଶ । ବଡ ବଡ ମଲ୍‌ ଓ ଦୋକାନ ଥିବା ସତ୍ତ୍ୱେ ପଥପାର୍ଶ୍ୱ ବିକ୍ରେତାମାନଙ୍କର ଗୁରୁତ୍ୱ ରହିଛି ଓ ରହିବ। ମହାମାରୀ ବେଳେ ସମସ୍ତେ ସତର୍କ ରହିବା ସହ କୋଭିଡର ନିୟମ ପାଳନ କରି ସୁରକ୍ଷିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।