ସ୍ବତନ୍ତ୍ର ଅଡିଟ୍‌ କହୁଛି ୨୦୬ କୋଟି ଟଙ୍କା ଆତ୍ମସାତ୍‌

ଭାପୁର ୪ା୨(ଭରତ କୁମାର ବେହେରା)ବର୍ଷ ବର୍ଷ ଧରି ସରକାରୀ କଳକୁ ଡରାଇ ଧମକାଇ କ୍ଷମତାର ଅପବ୍ୟବହାର ସହ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ଲୋକଙ୍କ ପାଇଁ ଥିବା ଜନକଲ୍ୟାଣ ମୂଳକ ଯୋଜନାକୁ ବାଟମାରଣା ସହ ଏଥିରୁ ବ୍ୟକ୍ତିଗତ ଲାଭ ପାଇଥିଲେ କରିତକର୍ମା ରାଜନେତା। ନୟାଗଡ଼ ଜିଲା ଭାପୁର ଅଞ୍ଚଳରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ତଦନ୍ତ ସମୟରେ ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଭାପୁର ବ୍ଲକରେ ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡା ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ ଦସ୍ତଖତ ମାଧ୍ୟମରେ ୪ ବର୍ଷରେ ୨୦୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ କରିଥିବା ସ୍ପେଶାଲ ଅଡିଟ ଟିମ୍‌ ସ୍ପଷ୍ଟ କରିଛି। ଖାଲି ସେତିକି ନୁହେଁ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଏ ନେଇ ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ ମଧ୍ୟ କରାଯାଇଛି। ଶୁକ୍ରବାର ଲୋକାୟୁକ୍ତ ଏହି ବହୁଚର୍ଚ୍ଚିତ ଦୁର୍ନୀତି ପ୍ରସଙ୍ଗରେ କ୍ରାଇମବବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଭାପୁର ବ୍ଲକରେ ହୋଇଥିବା ଉନ୍ନତିମୂଳକ କାମର ତଦନ୍ତ ଆରମ୍ଭ କରିଥିଲା ସ୍ବତନ୍ତ୍ର ତଦନ୍ତ ଟିମ। ଏହି ଦୁର୍ନୀତିର ତଦନ୍ତ ସମୟରେ ଅନେକ ଫାଇଲ ଗାଏବ ଥିବା ଆଦୌ କାମ ନ ହୋଇ ବିଲ ହୋଇଥିବା ଭଳି ତଥ୍ୟ ମଧ୍ୟ ତଦନ୍ତକାରୀ ଟିମ ସୂତ୍ରରୁ ଜଣାପଡିଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ କ୍ଷମତାର ଅପବ୍ୟବହାର ସହ ସରକାରୀ ଟଙ୍କା ହରିଲୁଟ ହୋଇଥିବା ୫ ଜଣିଆ ଅଡିଟ ଟିମ ୬୦୦ ପୃଷ୍ଠାର ଏକ ଦସ୍ତାବିଜ ଜିଲାପାଳ ତଥା ଲୋକାୟୁକ୍ତଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛି। ପରିମାଣ ସ୍ବରୂପ ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ଅନେକ ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ବିଭିନ୍ନ ଦୁର୍ନୀତି ବାବଦରେ ମୋଟ ୨ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରାଜ୍ୟ ରାଜକୋଷକୁ ଫେରି ପାରିଛି। ତେବେ ଦୁର୍ନୀତିରେ ପ୍ରଚ୍ଛନ୍ନ ଭୂମିକା ଗ୍ରହଣ କରିଥିବା ରାଜନେତା ଭାପୁର ବ୍ଲକର ପୂର୍ବତନ ଅଧକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଝା ଦେଉଛି ପ୍ରଶାସନ। ଲୋକଙ୍କ ସୁବିଧା ପାଇଁ ତଥା ଟିକସ ଅର୍ଥରେ ଯୋଜନା ରୂପାୟନ ହେଉଥିବା ବେଳେ ଦୁର୍ନୀତି ଯୋଗୁଁ ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ସାଧାରଣ ବର୍ଗ। ଏ ସମ୍ପର୍କରେ ସ୍ଥାନୀୟ ଥାନା ତଥା ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ନିଜ ମତାମତରେ କୁହନ୍ତି, ଲୋକାଯୁକ୍ତ ପାଖରେ ମୋର ବିଶ୍ୱାସ ଥିଲା ଏବଂ ଧର୍ମର ଜୟ ହୋଇଛି। ଅନ୍ୟପକ୍ଷରେ ଦୁର୍ନୀତି ପ୍ରସଙ୍ଗରେ କ୍ରାଇମବବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେବାପରେ ଛାନିଆ ହୋଇପଡିଛନ୍ତି ଅସାଧୁ ରାଜନେତା ଓ କର୍ମଚାରୀ। ତଦନ୍ତର ଦିଗ ଆଗକୁ କେଉଁଆଡେ ଯାଉଛି ତାହାକୁ ଭାପୁର ଅଞ୍ଚଳର ଜନସାଧାରଣ ଅପେକ୍ଷା କରିଛନ୍ତି।