ବାହୁଡ଼ା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ମୁତୟନ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ, ୩୦।୬: ଜୁଲାଇ ୧ରେ ବାହୁଡ଼ା ଯତ୍ରା। କୋଭିଡ୍‌ ଗାଇଡ୍‌ ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ତେଣୁ ଏହାକୁ ନଜରରେ ରଖି ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି। ମୋଟ ୭୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହ ୪ଶହ ଅଫିସର ନିୟୋଜିତ ହେବେ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଏଥର ରଥଯାତ୍ରା ଏବଂ ଏହା ସମ୍ବନ୍ଧୀୟ ଅନ୍ୟାନ୍ୟ ଉତ୍ସବ ପାଳନ କରାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁପରି ରଥଯାତ୍ରା ଭକ୍ତ ଶୂନ୍ୟ ରହିଥିଲା ଠିକ୍‌ ସେମିତି ବାହୁଡ଼ା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରିବିଜେ ମଧ୍ୟ ଭକ୍ତଶୂନ୍ୟ ଭାବେ କରାଯିବ। ପ୍ରତ୍ୟେକ ଭକ୍ତ ବିଶେଷକରି ପୁରୀବାସୀ ରଥଯାତ୍ରାରେ ଯେଉଁପରି ଭାବେ ସହଯୋଗ କରିଥିଲେ ସେହିଭଳି ଅତୁଟ ସମର୍ଥନ ଦେବେ ବୋଲି ଆଶ ରଖିଛନ୍ତି କ୍ରାଇବ୍ରାଞ୍ଚ ଏଡିଜି।