ଚନ୍ଦ୍ରଗ୍ରହଣ ଲାଗି ପ୍ଲାନେଟାରିୟମ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ନଭେମ୍ବର ୮ ତାରିଖରେ ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ (ସନ୍ଧ୍ୟା ୫ଟା ୫ରୁ ୫ଟା ୧୧)ଯାଏ ଦେଖିପାରିବେ । ପରେ ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖାଯିବ। ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପୁଣି ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ୭ ତାରିଖରେ ଦେଖାଯିବ ।

ଚନ୍ଦ୍ର ଗ୍ରହଣ ଲାଗି ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମରେ ସଚେତନତା କରାଯିବା ସହ ଏହାକୁ ଦେଖିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ସୂର୍ଯ୍ୟୋପରାଗରେ ଜନସାଧାରଣଙ୍କୁ ନିରାଶ କରିଥିବା ପଠାଣି ସାମନ୍ତ ପ୍ଲାନେଟାରିୟମ କତ୍ତୃର୍ପକ୍ଷ କିନ୍ତୁ ଚନ୍ଦ୍ରଗ୍ରହଣ ସମୟରେ ନିରାଶ କରିବେ ନାହିଁ । ଏଥିଲାଗି ପ୍ଲାନେଟାରିୟମ ତରଫରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉିଛି।

ଏହି ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟ୍‌ରୁ ୬ଟା ୨୦ ମିନିଟ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । କେବଳ ପାଗ ମେଘୁଆ ରହିଲେ କାର୍ଯ୍ୟକ୍ରମ ବାତିଲ ହୋଇପାରେ ବୋଲି ପ୍ଲାନେଟାରିୟମ ପକ୍ଷରୁ କୁହାଯାଇଛି।