ନ୍ୟୁୟର୍କ,୨୦ା୭: ୟୁରୋ କପ୍ ଟାଇଟଲ ବିଜେତା ସ୍ପେନ୍ ୨୦୨୬ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ମେଗା ଫାଇନାଲରେ ଏହି ଦଳ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ଗୋଲଶୂନ୍ୟ ରହିବାରୁ ଅତିରିକ୍ତ ସମୟ ଅର୍ଥାତ୍ ୧୦୬ତମ ମିନିଟରେ ସ୍ପେନ୍ର ଫେରାନ ଟୋରେସ ସ୍କୋର କରିଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ତୃତୀୟ ସ୍ଥାନପାଇଁ ଅନୁଷ୍ଠିତ ପ୍ଲେ-ଅଫ୍ରେ ଫ୍ରାନ୍ସକୁ ୬-୪ ଗୋଲରେ ହରାଇ ଇଂଲଣ୍ଡ ବ୍ରୋଞ୍ଜ ପଦକ ହାସଲ କରିଥିଲା।
ଫାଇନାଲର ନିର୍ଦ୍ଧାରିତ ସମୟ ଏବଂ ଅତିରିକ୍ତ ସମୟ ଖେଳରେ ଆର୍ଜେଣ୍ଟିନା ଉପରେ ଭାରି ପଡ଼ିଥିଲା ସ୍ପେନ୍। ସ୍ପେନ୍ ପକ୍ଷରୁ ଡଜନେରୁ ଊର୍ଦ୍ଧ୍ୱ ଶଟ୍ ଟାର୍ଗେଟରେ ଶୁଟ୍ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ଜେଣ୍ଟିନା ଗୋଟିଏ ବି ଶଟ୍ ଟାର୍ଗେଟରେ ମାରିପାରି ନ ଥିଲା। ବଲ୍ ଅଧିକାଂଶ ସମୟ ଆର୍ଜେଣ୍ଟିନା ହାଫ୍ରେ ରହିଥିଲା। ମାତ୍ର ଆର୍ଜେଣ୍ଟିନା ଗୋଲକିପର ଇମି ମାର୍ଟିନେଜ ଚମତ୍କାର ପ୍ରଦର୍ଶନ କରି ସ୍ପେନ୍ର ଏକାଧିକ ଉଦ୍ୟମକୁ ବିଫଳ କରିଥିଲେ। ଷ୍ଟପେଜ ଟାଇମ୍ ୯୦+୩ ମିନିଟରେ ଡବଲ ୟେଲୋ ପାଇଁ ଏଞ୍ଜୋ ଫର୍ନାଣ୍ଡେଜ ରେଡ୍କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଅତିରିକ୍ତ ସମୟର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବାର ଅଳ୍ପକିଛି କ୍ଷଣ ମଧ୍ୟରେ ୧୦୬ତମ ମିନିଟରେ ଫେରାନ ଟୋରେସ ଗୋଲ ଦେଇ ସ୍ପେନ୍ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଏଥର କିନ୍ତୁ ଟୋରେସଙ୍କ ଶଟ୍କୁ ଅଟକାଇବାକୁ ମାର୍ଟିଜେନଙ୍କ ନିକଟରେ କୌଣସି ସୁଯୋଗ ନ ଥିଲା। ୨୦୧୦ରେ ଟାଇଟଲ ଜିତିଥିବା ସ୍ପେନ୍ ୧୬ ବର୍ଷ ବ୍ୟବଧାନରେ ପୁଣି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅନ୍ୟପକ୍ଷରେ ବ୍ରାଜିଲ (୧୯୫୮ ଓ ୧୯୬୨) ଓ ଇଟାଲୀ (୧୯୩୪ ଓ ୧୯୩୮) ପରେ ତୃତୀୟ ଦଳଭାବେ କ୍ରମାଗତ ଦୁଇ ସଂସ୍କରଣରେ ବିଶ୍ୱକପ ଜିତିବା ଲକ୍ଷ୍ୟ ରଖିଥିବା ଆର୍ଜେଣ୍ଟିନାର ଆଶା ଧୂଳିସାତ ହୋଇଛି। ଆର୍ଜେଣ୍ଟିନା ୧୯୭୮, ୧୯୮୬ ଓ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍ ହୋଇଥିଲା। ଏଥର କିନ୍ତୁ ଫାଇନାଲରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଫିକା ରହିଥିଲା। ମୁକାବିଲା ମୁଖ୍ୟତଃ ସ୍ପେନ୍ର ଆକ୍ରମଣ ଏବଂ ଆର୍ଜେଣ୍ଟିନା ଗୋଲକିପରଙ୍କ ମଧ୍ୟରେ ହେବାପରି ପ୍ରତୀୟମାନ ହୋଇଥିଲା। ବିଶ୍ୱକପ୍ ଫାଇନାଲ ଇତିହାସରେ ପ୍ରଥମଥର ପାଇଁ ୟୁରୋପିଆନ ଚାମ୍ପିୟନ ଓ ଦକ୍ଷିଣ ଆମେରିକୀୟ ଚାମ୍ପିୟନ ମୁହାଁମୁହିଁ ହୋଇଥିଲେ। ଉଭୟ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ମଧ୍ୟ ରହିଥିଲେ। ମାତ୍ର ଫାଇନାଲରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ସ୍ପେନ୍ ଚାମ୍ପିୟନ ହୋଇଥିଲା। ଫାଉଲ ପାଇଁ ଆର୍ଜେଣ୍ଟିନାର ଜଣେ ଖେଳାଳି ରେଡ୍ ଏବଂ ୫ ଖେଳାଳି ୟେଲୋ କାର୍ଡ ପାଇଥିଲେ।