କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ ସାମୂହିକ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି।
ବାଲସି ଗ୍ରାମସ୍ଥିତ ଗ୍ରାମଦେବାଦେବୀ ଓ ଧରଣୀ ପୀଠରେ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି କରାଯାଇଥିଲା। ଏହାପରେ ସାହୁ ପରିବାରର ପ୍ରାୟ ୫୦ ଜଣ ସଦସ୍ୟ ଏକାଠି ହୋଇ ଶ୍ରଦ୍ଧା ଓ ନିଷ୍ଠାର ସହ ସାମୂହିକ ଭାବେ ନବାନ୍ନ ଗ୍ରହଣ କରିଥିଲେ।
ନୂଆଁଖାଇ ଅବସରରେ ନୂଆ ଅନ୍ନର ଚୁଡ଼ା ସହ ବିଭିନ୍ନ ପ୍ରକାରର ପିଠା, ଖିରି ଆଦି ପ୍ରସ୍ତୁତ କରାଯାଇଥିଲା। ପରିବାରର ଛୋଟଠାରୁ ବୟୋଜ୍ୟେଷ୍ଠ ପର୍ଯ୍ୟନ୍ତ ସମସ୍ତେ ନୂଆ ବସ୍ତ୍ର ପରିଧାନ କରି ନୂଆଁଖାଇ ପର୍ବ ପାଳନ କରିଥିଲେ। ଏହି ଅବସରରେ ପରିବାରର ବରିଷ୍ଠ ଗୁରୁଜନମାନଙ୍କୁ ପ୍ରଣାମ କରି ‘ନୂଆଁଖାଇ ଜୁହାର’ ଜଣାଇ ଆଶୀର୍ବାଦ ଗ୍ରହଣ କରାଯାଇଥିଲା। ଏହା ସହ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥିଲେ।
ନବାନ୍ନ ଭକ୍ଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପରିବାରର ଛୋଟବଡ଼ ସଦସ୍ୟମାନେ ମନୋରଞ୍ଜନଧର୍ମୀ ଗୀତ, ନୃତ୍ୟ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପରିବେଶକୁ ଆହୁରି ଆନନ୍ଦମୟ କରିଥିଲେ।
ପରମ୍ପରା ଓ ସଂସ୍କୃତିକୁ ଜୀବିତ ରଖିବା ସହ ଆଗାମୀ ଦିନରେ ନୂଆଁଖାଇ ବାସୀଙ୍କୁ ଏକାଠି କରି ଆହୁରି ବ୍ୟାପକ ଭାବେ ସାମୂହିକ ନୂଆଁଖାଇ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରିବାର ପକ୍ଷରୁ ଲକ୍ଷ୍ୟ ଓ ଯୋଜନା ରହିଥିବା କୁହାଯାଇଛି।
ଅବସରପ୍ରାପ୍ତ ସୁବେଦାର କ୍ଷମା ସାଗର ସାହୁ ଓ ଭାବନି ସାହୁଙ୍କ ନେତୃତ୍ୱରେ ଏହି ସାମୂହିକ ନୂଆଁଖାଇ ମହାସମାରୋହରେ ପାଳନ କରାଯାଇଥିଲା। ନୂଆଁଖାଇ ବାସୀ ଅବସରରେ ସାହୁ ପରିବାର ପକ୍ଷରୁ ମାଛ, ମାଂସ ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନର ଭୋଜି ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଥିବା ପରିବାର ପକ୍ଷରୁ ପ୍ରକାଶ କରାଯାଇଛି।
ଏହି ସାମୂହିକ ନୂଆଁଖାଇ କେବଳ ପରିବାରର ସଦସ୍ୟମାନଙ୍କୁ ଏକାଠି କରି ନ ଥିଲା, ବରଂ ନୂଆଁଖାଇର ପରମ୍ପରା, ଭାଇଚାରା ଓ ସାମାଜିକ ଏକତାର ବାର୍ତ୍ତାକୁ ମଧ୍ୟ ଉଜ୍ଜୀବିତ କରିଥିଲା।
Dharitri – Odisha’s No.1 Odia Daily

