Categories: ଖେଳ

ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ

ମେଲବୋର୍ନ,୨୭ା୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ପୁଣି ଥରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ। ପେସ୍‌ ବୋଲର କାମେରନ୍‌ ଗ୍ରୀନ୍‌ଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ସାଉଥ୍‌ ଆଫ୍ରିକା ୧୮୯ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୧ ଉଇକେଟ ହରାଇ ୪୫ ରନ୍‌ ସଂଗ୍ରହ କରିଛି। ମେଲବୋର୍ନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରବଳ ମାତ୍ରାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପ୍ରଥମ ଦିନରେ ୬୪,୮୭୬ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିଥିଲେ। ଘରୋଇ ଦର୍ଶକଙ୍କ ଆଗରେ ଗ୍ରୀନ୍‌ଙ୍କ ଘାତକ ବୋଲିଂ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ଟେଷ୍ଟ କ୍ରିକେଟରେ ଗ୍ରୀନ୍‌ ନିଜର ପ୍ରଥମ ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୦ ରନ୍‌ରେ ନିଜର ଶେଷ ୫ ଉଇକେଟ ହରାଇଥିଲା। ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଦୁଇ ଓପ୍‌ନର ଡିନ୍‌ ଏଲ୍‌ଗାର (୨୬) ଓ ସାରେଲ ଏରଓ୍ବି(୧୮) ପ୍ରଥମ ଉଇକେଟରେ ଯୋଡ଼ିଥିଲେ ୨୯ ରନ୍‌। ତେବେ ଦଳୀୟ ସ୍କୋର ୫୬ ରନ୍‌ରେ ଥେନୁସ୍‌ ଡି ବ୍ରୁଇନ୍‌(୧୨) ଆଉଟ ହେବା ପରେ ଦଳ ଏକ ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମଧ୍ୟକ୍ରମ ବ୍ୟାଟରଙ୍କ ବିଫଳତା କାରଣରୁ ଦଳ ୬୭ ରନ୍‌ରେ ୫ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ତେବେ ଉଇକେଟ୍‌କିପର କାଇଲ ଭେରେୟିନ୍‌ ୫୨ ଓ ନିମ୍ନକ୍ରମ ବ୍ୟାଟର ମାର୍କୋ ଜାନସେନ୍‌ ଅର୍ଦ୍ଧଶତକୀୟ(୫୯ ରନ୍‌)ଇନିଂସ ଖେଳି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ। ଭେରେୟିନ୍‌ ୯୯ ବଲ୍‌ ଖେଳି ୩ ଚୌକା ମାରିଥିବା ବେଳେ ଜାନସେନ୍‌ ୧୩୬ ବଲ୍‌ ଖେଳି ୧୦ ଚୌକା ମାରିଥିଲେ। ଗ୍ରୀନ୍‌ ସର୍ବାଧିକ ୫ ଉଇକେଟ ନେଇଥିବା ବେଳେ ମିଚେଲ୍‌ ଷ୍ଟାର୍କ ୨, ସ୍କଟ୍‌ ବୋଲାଣ୍ଡ ଓ ନାଥନ ଲିୟନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଦିନର ଖେଳ ଶେଷହେବା ସୁଦ୍ଧା ଅଷ୍ଟ୍ରେଲିଆ ୧ ଉଇକେଟରେ ୪୫ ରନ୍‌ କରିଛି। ଉସ୍‌ମାନ ଖ୍ବାଜା ୧ ରନ୍‌ କରି କାଗିସୋ ରବାଡାଙ୍କ ବଲରେ ଆଉଟ ହୋଇଥିବା ବେଳେ ଡେଭିଡ୍‌ ଓ୍ବାର୍ନର ୩୨ ଓ ମାର୍ନସ ଲାବୁଶେନ୍‌ ୫ ରନରେ ବ୍ୟାଟିଂ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୩ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍‌ରେ ପରାଜିତ ହେବା ସହିତ ୧-୦ରେ ପଛୁଆ ରହିଛି।

Share