ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଚେତାବନୀ ଦେଲେ ଗାଙ୍ଗୁଲି, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୬।୧୧: କାତାରର ରାଜଧାନୀ ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନଭେମ୍ବର ୨୪ ତାରିଖରେ ୟୁଏଇ ବିପକ୍ଷ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ ଇଣ୍ଡିଆ-ଏ ଦଳ ୨୫୦ ରନର ଟାର୍ଗେଟକୁ ମାତ୍ର ୧୪.୨ ଓଭରରେ ହାସଲ କରିନେଇଥିଲା। ଇଣ୍ଡିଆ-ଏର ଏହି ଏକତରଫା ବିଜୟରେ ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ୨୦୪ ରନର ଇନିଂସର ବଡ଼ ଭୂମିକା ରହିଥିଲା। ମାତ୍ର ୫୨ଟି ବଲରେ ସାମ୍ନା କରି ସେ ୭ଟି ଚୌକା ଓ ୨୮ଟି ଛକା ମାରି ରେକର୍ଡ ବୁକ୍‌ରେ ହଲଚଲ ସୃଷ୍ଟି କରିଥିଲେ।

ବୈଭବଙ୍କ ଏହି ଇନିଂସ ଲିଷ୍ଟ-ଏ କ୍ରିକେଟ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ସହ ସବୁଠାରୁ ଦ୍ରୁତତମ ଦ୍ୱିଶତକର ରେକର୍ଡ ମଧ୍ୟ ହାସଲ କରିଛି। ତାଙ୍କ ଏହି ବିସ୍ଫୋରକ ଇନିଂସ୍‌କୁ ନେଇ ସମଗ୍ର ବିଶ୍ୱ କ୍ରିକେଟ ଜଗତରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ନିଜର ମତ ରଖିଛନ୍ତି। ଏଥିସହ ଏକ ବିଶେଷ ପ୍ରସଙ୍ଗରେ ସମସ୍ତଙ୍କୁ ସତର୍କ କରାଇଛନ୍ତି।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡଧାରୀ ଇନିଂସ୍‌କୁ ନେଇ କହିଛନ୍ତି ଯେ, ସେ ଜଣେ ଭଲ ଖେଳାଳି। ଏହି ବୟସରେ ସେ ଆଇପିଏଲରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସେ ଜଣେ ଅତ୍ୟନ୍ତ ପ୍ରତିଭାବାନ ଖେଳାଳି। ଭାରତୀୟ ଦଳ ପକ୍ଷରୁ ଖେଳିବା ସମୟରେ ତାଙ୍କୁ ଯେଉଁ ସୁଯୋଗ ମିଳିଛି, ସେ ସେଥିରେ ଭଲ ପ୍ରଦର୍ଶନ କରିଛନ୍ତି। ସେ ଭବିଷ୍ୟତର ଖେଳାଳି। ତାଙ୍କ ସହ କାହାରି ତୁଳନା କରନ୍ତୁ ନାହିଁ। ତାଙ୍କୁ କେବଳ ଖେଳିବାକୁ ଦିଅନ୍ତୁ। ସେ ଜଣେ ବାମହାତୀ ବ୍ୟାଟର୍‌ ଏବଂ ଏବେ ମାତ୍ର ୧୫-୧୬ ବର୍ଷ ବୟସର। ତାଙ୍କୁ ନିଜ ଖେଳର ଆନନ୍ଦ ନେବାକୁ ଦିଅନ୍ତୁ।

ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନେପାଳ ଓ ପାକିସ୍ତାନ-ଏ ବିପକ୍ଷ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ନୀରବ ରହିଥିଲା। ଏହି ଦୁଇଟି ମ୍ୟାଚରେ ସେ ବିଶେଷ କିଛି କରିବାକୁ ସକ୍ଷମ ହୋଇନଥିଲେ। ତେବେ ୟୁଏଇ ବିପକ୍ଷ ମ୍ୟାଚରେ ବୈଭବ ପୁଣିଥରେ ନିଜ ଫର୍ମକୁ ଫେରିଛନ୍ତି।

Dharitri – Odisha’s No.1 Odia Daily

Share