Categories: ମେଟ୍ରୋ

ଋଷିକୁଲ୍ୟା ମୁହାଣରେ ହେନ୍ତାଳ ଚାରା ପୋତିଲେ ସୌମ୍ୟ

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ପାଇଁ ସମୁଦ୍ରତଟ ବା ବେଳାଭୂମି ଅବକ୍ଷୟ ହେବାକୁ ଲାଗିଛି। ଏହା ମଧ୍ୟରେ ଗଞ୍ଜାମ ଜିଲାର ଋଷିକୁଲ୍ୟା ବେଳାଭୂମି ରହିଛି। ଏଠାରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଗଣ ଅଣ୍ଡାଦାନ କରନ୍ତି। ତେଣୁ ଏହାର ସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଋଷିକୁଲ୍ୟାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ରାକିବା ପାଇଁ ଅସ୍ତରଙ୍ଗର ଯୁବ ପରିବେଶବିତ୍‌ ସୌମ୍ୟ ରଞ୍ଜନ ବିଶ୍ୱାଳ ଏକ ଅଭିନବ ପ୍ରୟାସ କରିଛନ୍ତି। ଜଣେ କୁନି ପରିବେଶ କର୍ମୀଙ୍କ ସହ ମିଶି ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ମୁହାଣର ହେନ୍ତାଳ ବଣକୁ ଯାଇ ୨୫୦୦ରୁ ଊର୍ଦ୍ଧ୍ୱ ହେନ୍ତାଳ ଚାରା ସଂଗ୍ରହ କରିଥିଲେ। ଏହାପରେ ସ୍କୁଟିରେ ୨୧୦ କିମି ଦୂର ଅତିକ୍ରମ କରି ସେହି ଚାରାକୁ ଋଷିକୁଲ୍ୟାର ପୁରୁଣାବନ୍ଧ ଗାଁ ନିକଟ ମୁହାଣରେ ପୋତିଛନ୍ତି। ସ୍ଥାନୀୟ ଲୋକଙ୍କୁ ହେନ୍ତାଳ ବଣର ଉପକାରିତା ସମ୍ପର୍କରେ ବୁଝାଇବା ସହିତ ତା’ର ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି।

ଏ ନେଇ ସୌମ୍ୟ କହିଛନ୍ତି, ସମୁଦ୍ରକୂଳିଆ ଗାଁରେ ରହୁଥିବାରୁ ଛୋଟବେଳୁ ଜଳବାୟୁ ପରିବର୍ତ୍ତନ ପ୍ରଭାବର ଭୟାବହତା ଓ ବାତ୍ୟା ସତର୍କତା ମୋତେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଛି। ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଆମ ରାଜ୍ୟ ପାଇଁ କେବଳ ଗୌରବ ନୁହେଁ, ସାମୁଦ୍ରିକ ପରିସଂସ୍ଥା ସନ୍ତୁଳନ ରକ୍ଷା କରିବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ସୁରକ୍ଷା କେବଳ ସରକାର କିମ୍ବା ବନ ବିଭାଗର ନୁହେଁ, ବରଂ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଆଗକୁ ଋଷିକୁଲ୍ୟାରେ ହେନ୍ତାଳ ବଣର ସୁରକ୍ଷା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୌମ୍ୟ କହିଛନ୍ତି।