ଦେଶର ଉତ୍ତପ୍ତ ସହର ସୋନପୁର: ପାରଦ ଛୁଇଁଲା ୪୪.୨ ଡିଗ୍ରୀ

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ତାତିର ପ୍ରକୋପ ଜାରି ରହିଛି। ଏପରି କି ରାଜ୍ୟର ତାପମାତ୍ରା ସମଗ୍ର ଦେଶରେ ରେକର୍ଡ ଭାଙ୍ଗିଛି। ଗୁରୁବାର ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଏହା ସହିତ ସୋନପୁର କେବଳ ରାଜ୍ୟ ନୁହେଁ, ପୂରା ଦେଶରେ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ସାରା ରାଜ୍ୟ ଜଳୁଥିବା ବେଳେ ସୋନପୁର ସମେତ ମୋଟ ୧୬ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ବା ଏହା ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀରର ସର୍ବୋଚ୍ଚ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦା ୪୨.୫, ଝାରସୁଗୁଡ଼ା ୪୨.୨, ବୌଦ୍ଧ ୪୨, ତାଳଚେର ୪୧.୮, ଅନୁଗୋଳ ୪୧.୭, ସୁନ୍ଦରଗଡ଼ ୪୧.୫, ଟିଟିଲାଗଡ଼ ୪୧.୫, ପାରଳାଖେମୁଣ୍ଡି ୪୧, ସମ୍ବଲପୁର ୪୦.୮, ଭବାନୀପାଟଣା ୪୦.୫, ନୟାଗଡ଼ ୪୦.୫, ଛତ୍ରପୁର ୪୦, ବାଲେଶ୍ୱର ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି କଟକରେ ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୭.୭, ଚାନ୍ଦବାଲିରେ ୩୮.୭, କେନ୍ଦୁଝରଗଡ଼ରେ ୩୬.୨, ହୀରାକୁଦରେ ୩୯.୯, ଫୁଲବାଣୀରେ ୩୯.୨, ରାୟଗଡ଼ାରେ ୩୯.୧ ଓ ଭଦ୍ରକରେ ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ରାଜ୍ୟର ଗୋଟିଏ ପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ଅନ୍ୟପକ୍ଷରେ ଝଡ଼ବର୍ଷା ଆଶଙ୍କା ବଢ଼ିଯାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।