ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ରାଜ୍ୟରେ କାଳବୈଶାଖୀ ସହ ତାତି ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ପଶ୍ଚିମ ତଥା ଆଭ୍ୟନ୍ତରୀଣ କିଛି ଜିଲାରେ ବର୍ଷା ହୋଇଥିଲେ ମଧ୍ୟ ୨୪ ସହରରେ ପାରଦ ୩୫ ଡିଗ୍ରୀ ଉପରେ ଓ ୭ ସ୍ଥାନରେ ୩୭ ଡିଗ୍ରୀ ଟପିଥିଲା। ତେବେ ୩୮.୭ ଡିଗ୍ରୀ ସହ ସୋନପୁରରେ ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବାବେଳେ ବୌଦ୍ଧ ଓ ଝାରସୁଗୁଡ଼ାରେ ପାରଦ ୩୮ ଡିଗ୍ରୀ ଛୁଇଁଥିଲା। ଶୁକ୍ରବାରଠାରୁ ରାଜ୍ୟରେ ଆଉଏକ ପଶ୍ଚିମା ଝଡ଼ର ପ୍ରଭାବ ନଜରକୁ ଆସିବ। ତେଣୁ ଏନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ମୁଖ୍ୟ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ପାଗ ପରିବର୍ତ୍ତନ ହେବାର କୌଣସି ସମ୍ଭାବନା ନାହିଁ। ତେବେ ୨ ତାରିଖରେ ଉତ୍ତର ଉପକୂଳବର୍ତ୍ତୀ ଜିଲାରେ ପଶ୍ଚିମାଝଡ଼ ପ୍ରଭାବ ଦେଖିବାକୁ ମିଳିବ। ବର୍ତ୍ତମାନ ଏକ ନିମ୍ନଚାପ ରେଖା ଉତ୍ତର ମଧ୍ୟପ୍ରଦେଶର କେନ୍ଦ୍ରରୁ ବାହାରି ଉତ୍ତର ଛତିଶଗଡ଼, ଦକ୍ଷିଣ ତାମିଲନାଡୁ ହୋଇ ବିଦର୍ଭ, ମରାଠା ଓ ଆଭ୍ୟନ୍ତରୀଣ କର୍ନାଟକ ଯାଏ ସମୁଦ୍ର ପତ୍ତନରୁ ୦.୯କି.ମି. ଉପରେ ପରିବ୍ୟାପ୍ତ ରହିଛି। ସେହିପରି ଆଉଏକ ନିମ୍ନଚାପ ରେଖା ପଶ୍ଚିମବଙ୍ଗ ସବ୍‌-ହିମାଲୟନଠାରୁ ବାହାରି ଉତ୍ତର ଓଡ଼ିଶା ହୋଇ ବଙ୍ଗୋପସାଗର ଯାଏ ସମୁଦ୍ର ପତ୍ତନର ୦.୯ କିମି ଉପରେ ବ୍ୟାପିଛି। ଏହା ପ୍ରଭାବରେ ଆସନ୍ତା ୩ ତାରିଖ ଯାଏ ରାଜ୍ୟରେ ବର୍ଷା ସହ ଅନେକ ସ୍ଥାନରେ ବିଜୁଳି ସହ ଘଡ଼ଘଡ଼ିର ସମ୍ଭାବନା ରହିଛି। ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, କଟକ, ଜଗତ୍‌ସିଂହପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ମୟୁରଭଞ୍ଜ, କନ୍ଧମାଳ ଆଦି ଜିଲାରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ। ଏନେଇ ସଂପୃକ୍ତ ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଆଦି ଜିଲାକୁ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏପ୍ରିଲ୍‌ ୧ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଝଡ଼ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, କଟକ, ଜଗତ୍‌ସିଂହପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ମୟୂରଭଞ୍ଜରେ ପ୍ରବଳ ବର୍ଷା ପବନ ସହ ଘଡ଼ଘଡ଼ି ବିଜୁଳି ମାରିପାରେ। ଏସବୁ ଜିଲାଗୁଡ଼ିକ ସମେତ ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ବଡ଼ଗଡ଼, ସମ୍ବଲପୁର, ଦେବଗଡ଼ ଓ ବୌଦ୍ଧ ଆଦି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ୨ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ରହିଥିବାରୁ ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ସତର୍କ କରାଯାଇଛି। ୨ ଓ ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ହୋଇପାରେ। ସେହିପରି ୩ରୁ ୪ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି।