ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ: ଅଭିଯୋଗ ଆଣି କହିଲେ ପରିବାର ଇଚ୍ଛା ବିରୋଧରେ…

ନୂଆଦିଲ୍ଲୀ,୧୯ା୭: ବିଶିଷ୍ଟ ଶିକ୍ଷାବିତ୍‌ ତଥା ପରିବେଶବିତ୍‌ ସୋନମ ଓ୍ବାଙ୍ଗଚୁକଙ୍କ ସ୍ତ୍ରୀ ଗୀତାଞ୍ଜଳି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଫଦରଜଙ୍ଗ ହସ୍ପିଟାଲରୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର ପାଇଁ ଗୀତାଞ୍ଜଳି  ଆବେଦନ କରିଛନ୍ତି। ପରିବାର ଇଚ୍ଛା ବିରୋଧରେ ଚିକିତ୍ସା ହେଉଥିବା ଗୀତାଞ୍ଜଳି ଅଭିଯୋଗ କରିଛନ୍ତି। ସରକାରୀ ହସ୍ପିଟାଲକୁ ବିଶ୍ୱାସ ନାହିଁ, ପସନ୍ଦର ହସ୍ପିଟାଲ ସ୍ଥାନାନ୍ତର ପାଇଁ ସ୍ତ୍ରୀ ଦାବି କରିଛନ୍ତି।

ସୂଚନା ଥାଉକି, ପରୀକ୍ଷା ବ୍ୟବସ୍ଥାରେ ଅନିୟମିତତା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଯନ୍ତରମନ୍ତରଠାରେ ୨୧ ଦିନ ହେଲା ଅନଶନରେ ବସିଥିବା ଜଳବାୟୁ କର୍ମୀ ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଶନିବାର ସକାଳେ ପୋଲିସ ଉଠାଇନେଇଥିଲା। ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିବା ଦର୍ଶାଇ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ସଫଦରଜଙ୍ଗ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେ ସେଠାରେ ମଧ୍ୟ ଅନଶନ ଜାରି ରଖିଛନ୍ତି। ଦୀର୍ଘ ୨୧ ଦିନର ଅନଶନ ଯୋଗୁ ତାଙ୍କ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇବା ସହ ମେଟାବୋଲିକ୍‌ ସମସ୍ୟା ଦେଖାଦେଇଥିଲେ ମଧ୍ୟ ସେ ସାଲାଇନ୍‌, ଓଆର୍‌ଏସ୍‌ ଏବଂ ଅନ୍ୟାନ୍ୟ ଔଷଧ ନେବାକୁ ମନା କରିଦେଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଡାକ୍ତରମାନଙ୍କ ପରାମର୍ଶ ଏବଂ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓ୍ବାଙ୍ଗ୍‌ଚୁକ୍‌ଙ୍କୁ ଅନଶନସ୍ଥଳରୁ ହସ୍ପିଟାଲ ନିଆଯାଇଥିବା ନୂଆଦିଲ୍ଲୀ ଡେପୁଟି ପୋଲିସ କମିଶନର ସଚିନ ଶର୍ମା କହିଛନ୍ତି।

Dharitri – Odisha’s No.1 Odia Daily