ବନ୍ତ, ୧୪।୬ (କିଶୋର କୁମାର ସେଠୀ): ଭଦ୍ରକ ଜିଲାର ବନ୍ତ ଥାନା ଅଞ୍ଚଳରେ ରଜ ପର୍ବ ଅବସରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ୨୫ ବର୍ଷୀୟ ଯୁବକ ନିଜ ଜନ୍ମଦାତ୍ରୀ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଏଭଳି ଅଭାବନୀୟ ଘଟଣା ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି। ମୃତକ ମହିଳା ହେଲେ ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁ। ତାଙ୍କୁ ତାଙ୍କ ପୁଅ ପ୍ରିତମ ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ପାରିବାରିକ କଳହକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ତେବେ କେଉଁ କାରଣରୁ ପ୍ରିତମ ଏପରି ଚରମ ପଦକ୍ଷେପ ନେଲେ, ସେନେଇ ତଦନ୍ତ ଜାରି ରହିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଓ ଶୋକର ଛାୟା ଖେଳିଯାଇଥିଲା।
ଖବର ପାଇ ବନ୍ତ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରିତମ ସାହୁଙ୍କୁ ହେପାଜତକୁ ନେଇଛି। ଘଟଣାରେ ବ୍ୟବହୃତ ହୋଇଥିବା କୁରାଢ଼ିକୁ ମଧ୍ୟ ପୁଲିସ ଜବତ କରିଛି। ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥାନାକୁ ନିଆଯାଇଥିବା ବେଳେ ତାଙ୍କୁ ପଚରାଉଚରା କରାଯାଉଛି।
ପବିତ୍ର ରଜ ପର୍ବ ସମୟରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଜଣେ ପୁଅ କାହିଁକି ନିଜ ମା’ଙ୍କୁ ହତ୍ୟା କଲା, ପାରିବାରିକ ବିବାଦର ପ୍ରକୃତ କାରଣ କ’ଣ ଥିଲା ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେସବୁ ଦିଗକୁ ନେଇ ପୁଲିସ ତଦନ୍ତ ଚଳାଇଛି। ପୋଲିସ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।