ଶ୍ୱଶୁରଙ୍କୁ ହତ୍ୟା: ଜ୍ୱାଇଁଙ୍କୁ ଆଜୀବନ ଜେଲ୍‌

ବାରିପଦା ଅଫିସ,୧୨ା୧- ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌(୧) କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ମାମଲାର ବିଚାର କରି ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୫ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ଦ୍ୱୟ ହେଲେ ବୈଶିଙ୍ଗା ଥାନା ଖୁଣ୍ଟାପୁର ଅଞ୍ଚଳର ରାଜୁ ସିଂ(୩୮) ଏବଂ ତାଙ୍କ ଭାଇ ଲବ ସିଂ(୪୬)।

ସୂଚନାଯୋଗ୍ୟ, ୨୦୨୦ ଡିସେମ୍ବର ୭ତାରିଖ ଅପରାହ୍ନରେ ନାତିର ପ୍ରଥମାଷ୍ଟମୀ ସାରିବାକୁ ବଡ଼ଖିରପଦା ଗ୍ରାମର ରମେଶ ସିଂ(୫୦) ଜ୍ୱାଇଁଙ୍କ ଘରକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ପାରିବାରିକ କଳହକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜ୍ୱାଇଁ ରାଜୁ ଓ ତାଙ୍କ ବଡ଼ଭାଇ ଲବ ମିଶି ଶ୍ୱଶୁରଙ୍କ ଦୁଇ ହାତକୁ ଏକ ଗାମୁଛାରେ ବାନ୍ଧି ଦେଇଥିଲେ। ପରେ ଏକ ଦାଆରେ ତାଙ୍କ ବେକକୁ କାଟି ହତ୍ୟା କରିଥିଲେ। ଖବରପାଇ ବଡ଼ଝିଅ ସଂଯୁକ୍ତା ସିଂ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୨୯୧/୨୦) ରୁଜୁ କରି ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଚାଲାଣ କରିଥିଲା।