ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ଥାନା ଅନ୍ତର୍ଗତ ତେଲେନଡିହି ଗ୍ରାମର ପିତୃଷ କେରକେଟାଙ୍କ ପୁଅ ଏଫ୍ରେମ (୩୭) ବୋଲି ଜଣାପଡ଼ିଛି। ମୃତକ ଏଫ୍ରେମ ବେତେଇଝରଣ ଗ୍ରାମର ରାଜେଶ ଓରାମଙ୍କ ଭଉଣୀ ସୁଷମା ଓରାମଙ୍କୁ ବିବାହ କରିଥିଲେ। ଗତକାଲି ଏଫ୍ରେମ ବେତେଇଝରଣସ୍ଥିତ ଶ୍ୱଶୁର ଘରକୁ ସ୍ତ୍ରୀଙ୍କୁ ସାଙ୍ଗରେ ନେବା ପାଇଁ ଆସିଥିଲେ । ମାତ୍ର କୌଣସି କାରଣରୁ ତାଙ୍କ ସ୍ତ୍ରୀ ଘରକୁ ଯିବା ପାଇଁ ମନା କରିବାରୁ ସ୍ବାମୀ, ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ରାତିରେ ସମସ୍ତେ ଖାଇ ପିଇ ଶୋଇଥିବାବେଳେ ଏଫ୍ରେମ ବେକରେ ତାଙ୍କ ସ୍ତ୍ରୀଙ୍କ ଓଢ଼ଣୀ ଲଗାଇ ଘର ଭିତରେ ଥିବା ଏକ ପଙ୍ଖା ହୁକ୍‌ରେ ଝୁଲି ପଡ଼ିଥିଲେ। ପରିବାର ଲୋକ ନିଦରୁ ଉଠିବା ପରେ ଏଫ୍ରେମ୍‌ଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।

ଏନେଇ ଦେବଗଡ଼ ଥାନା ପୋଲିସ ସୂଚନା ଦିଆଯାଇଥିଲା। ମୃତକଙ୍କ ସ୍ତ୍ରୀ ସୁଷମା ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ସହିତ ସେମାନେ ଆସିବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏବେ ପୋଲିସର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share