ଢ଼ାବା ମାଲିକାଣୀଙ୍କୁ ହତ୍ୟା ପାଇଁ ଶୁଟରଙ୍କୁ ଡକାଇଥିଲେ ଜ୍ୱାଇଁ

ଖଡିଆଳ,୧୧।୮(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡିଆଳ ବ୍ଲକ ଅଧୀନ ଡୁଆଝରସ୍ଥିତ ଆପନା ଢ଼ାବା ମାଲିକାଣୀ ବାସନ୍ତୀ ମେହେର ହତ୍ୟା ଘଟଣାର ପୋଲିସ ବୁଧବାର ପର୍ଦ୍ଦାଫାସ କରିଛି। ପୋଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି।

ପୋଲିସ ଅଭିଯୁକ୍ତଠାରୁ ନଗଦ ୯୦ ହଜାର ଟଙ୍କା, ୪ଟି ମୋବାଇଲ ଫୋନ, ୨ଟି ବାଇକ୍‌ ଜବତ କରିଛି। ହତ୍ୟାକାଣ୍ଡରେ ବାସନ୍ତୀଙ୍କ ଜ୍ୱାଇଁ ଏବଂ ତାଙ୍କବଡଭାଇ ସାମିଲ ଥିବା ବୁଧବାର ଖଡିଆଳ ଥାନା କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଏହି ସୂଚନା ଦେଇଛନ୍ତି।

ଏହି ଘଟଣାରେ ଆଉ କେତେକଙ୍କ ସମ୍ପୃକ୍ତି ରହିଛି ଏବଂ ତଦନ୍ତରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଗିରଫ ଅଭିଯୁକ୍ତଙ୍କ ନାମ ପ୍ରକାଶ କରାଯାଇ ନାହିଁ। ଏ ନେଇ ଖଡିଆଳ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୨୭୧/୨୧) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ବାସନ୍ତୀଙ୍କୁ ହତ୍ୟା କରିବା ନେଇ ଜ୍ୱାଇଁ ଏବଂ ତାଙ୍କର ବଡଭାଇ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ବୁର୍ଲା ଅଞ୍ଚଳରୁ ୨ ସାର୍ପ ଶୁୁଟରଙ୍କୁ ନିଯୁକ୍ତି କରିଥିଲେ। ଉଭୟଙ୍କ ମଧ୍ୟରେ ୬ ଲକ୍ଷ ଟଙ୍କା ଡିଲ ହୋଇଥିଲା। ଆଗୁଆ ୨ ଲକ୍ଷ ଟଙ୍କା ଦେଇଥିଲେ। ହତ୍ୟା ପରେ ୪ ଲକ୍ଷ ଟଙ୍କା ଦେବା ନେଇ ସ୍ଥିର ହୋଇଥିଲେ। ଯୋଜନା ମୁତାବକ ୨ ସୁଟର ଦେଶୀ ବନ୍ଧୁକ ଧରି ଢାବରେ ପହଞ୍ଚିଥିଲେ। ସେମାନେ ଖାଦ୍ୟ ମାଗିବାକୁ କାଉଣ୍ଟର ନିକଟକୁ ଯାଇ ବାସନ୍ତୀଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖଡିଆଳ ପୋଲିସ ଏସ୍‌ଡିପିଓ ସନ୍ତକ ଜେନା ଓ କୈଳାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୨ଟି ଟିମ୍‌ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ସୂଚନାଯାଗ୍ୟ, ଜୁଲାଇ ୩୧ ତାରିଖ ରାତିରେ ବାସନ୍ତୀ ମେହେର(୪୭)ଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳିଚଳାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।