ବାପାଙ୍କୁ ବଞ୍ଚାଇବାକୁ ଯାଇ ଭାସିଗଲେ ପୁଅ

ରାୟଗଡ଼ା ଅଫିସ, ୧୭।୧୦: ପରିବାର ଓ ସମ୍ପର୍କୀୟଙ୍କ ସହ ଗଜପତି ଜିଲା ପାରଳାଖେମୁଣ୍ଡିରୁ ରାୟଗଡ଼ା ବୁଲିବାକୁ ଆସିଥିଲେ। ସେଠାରେ ମା’ ମଝି ଘରିଆଣୀଙ୍କ ଦର୍ଶନ କରି ଝୁଲାପୋଲ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ବୁଲିବେ ବୋଲି ସମସ୍ତେ ବେଶ୍‌ ଉତ୍ସାହିତ ଥିଲେ। କିନ୍ତୁ କିଛି ଅଲଗା ଥିଲା ବିଧିର ବିଧାନ। ନାଗାବଳୀ ନଦୀରେ ଗୋଡ଼ ଧୋଇବାବେଳେ ଭାସିଗଲେ ବାପ, ପୁଅ। ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନାହିଁ। ନିଖୋଜମାନେ ହେଲେ ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅଧୀନ ଦୁର୍ଗମପେଟା ଗ୍ରାମର କେ. ଶ୍ରୀନିବାସ (୪୦) ଓ ତାଙ୍କ ପୁଅ କେ.ଜିତେନ୍ଦ୍ର।

ସୂଚନା ମୁତାବକ, କେ. ଶ୍ରୀନିବାସ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ପରେ ସେମାନେ ନାଗାବଳୀ ନଦୀ ତଟକୁ ବୁଲାବୁଲି କରିବାକୁ ଯାଇଥିଲେ। ଏହି ସମୟରେ କେ.ଶ୍ରୀନିବାସଙ୍କ ପାଦରେ ବାଲି ଲାଗିଯିବାରୁ ସେ ଧୋଇବାକୁ ନଦୀକୁ ଯାଇଥିଲେ। ଅସାବଧାନତା କାରଣରୁ ସେ ନଦୀ ସ୍ରୋତରେ ଭାସି ଯାଇଥିଲେ। ପୁଅ ଜିତେନ୍ଦ୍ର ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାବେଳେ ସେ ମଧ୍ୟ ଭାସି ଯାଇଥିଲେ। ପାଖରେ ଉପସ୍ଥିତ ଥିବା ଲୋକେ ରାୟଗଡ଼ା ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଖୋଜାଖୋଜି କରିଥିଲେ। କିନ୍ତୁ ଉଭୟଙ୍କ ପତ୍ତା ମିଳିନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି।