ଜଲେଶପଟ୍ଟା ଆଶ୍ରମ ସ୍ବାମିଜୀଙ୍କୁ ହତ୍ୟା ଧମକ

ଫୁଲବାଣୀ ଅଫିସ/ତୁମୁଡ଼ିବନ୍ଧ,୨୧।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ମୁଖ୍ୟ ସ୍ବାମିଜୀଙ୍କୁ ଏକ ଅଜଣା ଫୋନ ନମ୍ବରରୁ ଶନିବାର ହତ୍ୟା ଧମକ ମିଳିଛି। ସ୍ବାମୀ ଜୀବନ ମୁକ୍ତାନନ୍ଦଙ୍କ ମୋବାଇଲ ନଂ.୯୪୩୯୨୨୩୮୪୧କୁ କେହି ଅଜଣା ଦୁର୍ବୃତ୍ତ ଅପରାହ୍ନ ୪ଟାରେ ୯୧୭୮୨୪୬୬୬୩ ନମ୍ବରରୁ ଫୋନ୍‌ କରିଥିଲେ। ସ୍ବାମିଜୀ ଫୋନ୍‌ ଉଠାଇବାପରେ ଆଗାମୀ ୪ଦିନ ମଧ୍ୟରେ ତୁମକୁ ହତ୍ୟା କରାଯିବା ସହ ଆଶ୍ରମକୁ ଉଡାଇ ଦିଆଯିବ ବୋଲି ହିନ୍ଦୀରେ କହିଥିଲେ। ସ୍ବାମିଜୀ କିଛି କହିବା ପୂର୍ବରୁ ଦୁର୍ବୃତ୍ତ ଜଣକ ଫୋନ୍‌ କାଟି ଦେଇଥିଲେ। ଏନେଇ ସନ୍ଧ୍ୟାରେ ସ୍ବାମିଜୀ ଓ ଆଶ୍ରମ କର୍ତ୍ତୃପକ୍ଷ ତୁମୁଡ଼ିବନ୍ଧ ଥାନାରେ ଏତଲା ଦେଇଛନ୍ତି। ଥାନା ଅଧିକାରୀ ବାବା ଶଙ୍କର ସରାଫ ନଂ.୧୧/୨୧ରେ ମାମଲା ରୁଜୁ କରିବା ସହ ଆଶ୍ରମ ଯାଇ ତଦନ୍ତ କରିଛନ୍ତି। ସୂଚନାଥାଉକି, ୨୦୦୮ରେ ଅନୁରୂପ ଭାବେ କେହିଜଣେ ଅଜଣା ବ୍ୟକ୍ତି ତକତ୍ାଳୀନ ସ୍ବାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କୁ ହତ୍ୟା ଧମକ ଦେଇଥିଲେ। ପରେ କେତେଜଣ ଆତତାୟୀ ଜଲେଶପଟ୍ଟା ଆଶ୍ରମରେ ପଶି ସ୍ବାମିଜୀଙ୍କ ସମେତ ୫ ସହଯୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ଜିଲାରେ ଦଙ୍ଗା ସୃଷ୍ଟି ହୋଇଥିଲା।