ଝାଡ଼ଖଣ୍ଡୀ ହାତୀଙ୍କ ସହ ସେଲ୍‌ଫି ନେବାକୁ ଯାଇ ହଇରାଣ କରୁଛନ୍ତି ଯୁବକ, ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୪ା୧୨-ଝାଡଖଣ୍ଡୀ ହାତୀପଲକୁ ଦେଖିବା ବାହାନାରେ ଜଣେ ଯୁବକ ସେଲଫି ନେବାକୁ ଯାଇ ହାତୀ ଗୋଡାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡପୁର ଗାଁ ପାଖ ଜଙ୍ଗଲରେ ଉତ୍ତୋଳନ କରାଯାଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ଝାଡଖଣ୍ଡରୁ ଆସିଥିବା ହାତୀମାନଙ୍କ ମଧ୍ୟରୁ ୪୨ଟି ହାତୀ ଉକ୍ତ ଜଙ୍ଗଲ ଦେଇ ବାଲେଶ୍ୱର ନୀଳଗିରି ଅଭିମୁଖେ ଯାଇଥିଲେ। ସେଠାରୁ ଫେରିବା ବାଟରେ କିଛି ଯୁବକ ହାତୀ ଦେଖିବା ବାହାନାରେ ମୋବାଇଲରେ ଫଟୋ ଉତ୍ତୋଳନ କରିବା ସାଙ୍ଗକୁ ସେଲଫି ନେଉଥିଲେ। ହାତୀମାନଙ୍କୁ ହଇରାଣ ହରକତ କରି ଭିଡିଓ ଉତ୍ତୋଳନ କରିବା ଦ୍ୱାରା ପାଇଲଟ ଦନ୍ତାମାନେ ଜନବସତି ମୁଖେ ଅଗ୍ରସର ହେଉଛନ୍ତି। ଫଳରେ ନିରୀହ ଲୋକମାନେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ପରିବେଶବିତ୍‌ ଭାନୁମିତ୍ର ଆଚାର୍ଯ୍ୟ କୁହନ୍ତି, ଜନସଚେତନତାର ଆବଶ୍ୟକତା ରହିଛି ା ହାତୀ ରହୁଥିବା ଅଞ୍ଚଳରେ ପୋଲିସ ଓ ବନବିଭାଗ ପକ୍ଷରୁ ଅଞ୍ଚଳକୁ ସିଲ୍‌ କରିବା ସହିତ ବାହାରୁ ଆସୁଥିବା ଲୋକମାନଙ୍କୁ ବାରଣ କରିବା ଉଚିତ। ଏଥିରେ ବ୍ୟତିକ୍ରମ ହେଲେ ୱାଇଲ୍ଡ ଲାଇଫ ଆକ୍ଟରେ ଗିରଫ କରିବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି କହିଛନ୍ତି। ତେବେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନୁଯାୟୀ ହାତୀ ଘଉଡାଇବା ନିୟମ ନ ଥିବା ବେଳେ କେବଳ ସେମାନଙ୍କର ଗତିବିଧିକୁ ଅନୁସରଣ କରିବା ଉଚିତ ବୋଲି ଜଣାଯାଇଛି। ସେହିପରି ହାତୀପଲଙ୍କ ଗତବିଧିକୁ ନେଇ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିବା ବେଳେ ଆବଶ୍ୟକ କର୍ମଚାରୀ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି ।