ମହାକାଳପଡ଼ା, ୬।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚାଷ ଜମିରେ ବାରାହା ପଲଙ୍କ ଉପଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି। ବାରାହା ପଲ ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଥିବାରୁ ଏହାର ମୁକାବିଲା ପାଇଁ କେତେକ ଚାଷୀ ନିଜ ଜମି ଚାରିପାଖରେ ସୋଲାର ବିଦ୍ୟୁତ୍ ତାରବାଡ଼ ଲଗାଇଛନ୍ତି। ତେବେ ସାମୁଦ୍ରିକ ଥାନାର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏଭଳି ତାରବାଡ଼ ଲାଗିବା ନିରାପତ୍ତାକୁ ନେଇ ଚିନ୍ତା ସୃଷ୍ଟି କରିଛି।
ଗହୀରମଥା ରେଞ୍ଜ କାର୍ଯ୍ୟାଳୟ ନିକଟ ଶାସନପେଟା-ତନ୍ତିଆପାଳ ସାମୁଦ୍ରିକ ଥାନା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଚାଷ ଜମିର ଖୁଣ୍ଟ ବାଡ଼ରେ ସୋଲାର ଝଟକା ବିଦ୍ୟୁତ୍ ତାର ଲଗାଯାଇଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ନିକଟସ୍ଥ ଜଙ୍ଗଲରୁ ବାରାହା ପଲ ବାହାରି ଧାନ କିଆରିରେ ପଶି ଫସଲ ନଷ୍ଟ କରୁଛନ୍ତି। ଫସଲକୁ ସୁରକ୍ଷା ଦେବା ପାଇଁ ବାଧ୍ୟ ହୋଇ ସେମାନେ ସୋଲାର ଝଟକା ବିଦ୍ୟୁତ୍ ତାର ଲଗାଇଥିବା କହିଛନ୍ତି। ଏହାଦ୍ୱାରା ବାରାହା ପଲ ଭୟରେ ଧାନ କ୍ଷେତକୁ ପ୍ରବେଶ କରିବେ ନାହିଁ ବୋଲି ଚାଷୀମାନେ ଆଶା ରଖିଛନ୍ତି।
ଶାସନପେଟା ସମେତ ତନ୍ତିଆପାଳ, ରଟପଙ୍କ, ନରସିଂହପୁର, ଓସ୍ତିରା, ସୁନୀତି, ଜମ୍ବୁ ଓ ବତୀଘର ଆଦି ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ମଧ୍ୟ ଚାଷୀମାନେ ନିଜ ନିଜ ଜମି ଚାରିପାଖରେ ଏଭଳି ତାରବାଡ଼ ଲଗାଇଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ କରିବାକୁ ଦାବି ହେଉଛି।
ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଧିକାରୀ ଚିତ୍ରସେନ ଜେନା କହିଛନ୍ତି, ସ୍ଥାନୀୟ ଚାଷୀମାନଙ୍କୁ ଏନେଇ ସଚେତନ କରାଯାଇଛି। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏଭଳି ବିଦ୍ୟୁତ୍ ତାରବାଡ଼ ଲଗାଇବା ଅସୁରକ୍ଷିତ। ତେଣୁ ତାରବାଡ଼ ହଟାଇବାକୁ ଚାଷୀମାନଙ୍କୁ କୁହାଯାଇଛି। ନଚେତ୍ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।