ଚିଲିକାକୁ ସଙ୍କୁଚିତ କରୁଛି ମାଟିବନ୍ଧ

ଖୋର୍ଦ୍ଧା,୩୦ା୧ (ପ୍ରଭାତ ପାଣିଗ୍ରାହୀ):ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ଚିଲିକା ପାଇଁ ବେଆଇନ ମାଟିବନ୍ଧ, ଚିଙ୍ଗୁଡି ଘେରି ଏବଂ ନଳଘାସ ବିପଦ ସାଜିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଅନ୍ୟପଟେ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ କେତେଜଣ ଶହ ଶହ ଏକର ଚାଷଜମି ଏବଂ ଚିଲିକାକୁ ଲାଗି ବନ୍ଧ କରି ବେଆଇନଭାବେ ମାଛ ଓ ଚିଙ୍ଗୁଡି ଚାଷ କରୁଛନ୍ତି। ମାଛ ଚାଷ ପାଇଁ ବିଭିନ୍ନ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଫଳରେ ଚିଲିକାର ଜୈବ ବିବିଧତା ନଷ୍ଟ ହେଉଛି। ଚିଙ୍ଗୁଡି ଘେରି ପରେ ଏବେ ମାଟିବନ୍ଧ ଚିଲିକାକୁ ସଙ୍କୁଚିତ କରୁଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଢ଼ିଉଠିଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଚାଲିଥିବା ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଫେଇ ଦେଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ଚିଲିକା ଉପକୂଳବର୍ତ୍ତୀ ଏବଂ ଟାଙ୍ଗୀ ତହସିଲ ଅଞ୍ଚଳରେ ବେଆଇନ ଭାବେ ହେକ୍ଟର ହେକ୍ଟର ଚାଷ ଜମିରେ ମାଟିବନ୍ଧ ରହିଛି। ମାଟି ବନ୍ଧ ଗୁଡିକ ବିଶାଳ ହୋଇଥିବାରୁ ତାହାକୁ ଭାଙ୍ଗିବା ପ୍ରଶାସନ ପକ୍ଷରୁ ସମ୍ଭବ ହେଉନାହିଁ। ୨୦୨୦ମସିହାରେ ପ୍ରଶାସନ ପକ୍ଷରୁ ଭୂଷଣ୍ଡପୁର ଏବଂ ଆଖପାଖ ଅଞ୍ଚଳରେ ଗଢି ଉଠିଥିବା ମାଟିବନ୍ଧ ଭାଙ୍ଗିବା ଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିଛିଦିନ ପରେ ତାହା ଶୀଥିଳ ପଡିଗଲା। ପୁଣି ମାଟିବନ୍ଧ ଗଢିଉଠିଛି। ଏବେ ହଜାର ହଜାର ହେକ୍ଟର ଜମିରେ ମାଟି ବନ୍ଧ ରହିଥିବା ଦେଖିବାକୁ ମିଳିଛି। ମାଟିବନ୍ଧ ନ ଭଙ୍ଗାଯିବା ପର୍ଯ୍ୟନ୍ତ ଚିଲିକା ବିପଦମୁକ୍ତ ନୁହଁ ବୋଲି ପରିବେଶବିତମାନେ କହିଛନ୍ତି। ଜଳସ୍ତର କମୁଥିବାରୁ ଚିଲିକାରେ ରାଜଦଳ ଓ ମାଟି ପଙ୍କ ଯୋଗୁ ମତ୍ସ୍ୟଜୀବୀ ଡଙ୍ଗା ନେଇ ଚିଲିକା ଭିତରକୁ ଯିବାରେ ହଇରାଣ ହେଉଛନ୍ତି। ଚିଲିକାର ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ନୀରବତା ମାଫିଆଙ୍କୁ ପ୍ରୋତ୍ସାହିତ କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ପ୍ରକାଶ ଯେ, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲାର ପ୍ରାୟ ୧୧୬୫ ବର୍ଗକିମି ଇଲକାରେ ଚିଲିକା ପରିବ୍ୟାପ୍ତ ରହିଥିଲା। କ୍ରମଶଃ ଏହା ସଙ୍କୁଚିତ ହୋଇ ୧୦୯୧ ବର୍ଗ କିମିକୁ ଆସିଲାଣି। ୩ଜିଲାରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛୋଟବଡ ନଦୀ, ନାଳ ପାଣି ଚିଲିକାରେ ମିଶିଥାଏ। ଗ୍ରୀଷ୍ମଦିନେ ଏହାର ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷାଦିନ ଆସିଲେ ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଇଥାଏ। ଗୋଟିଏ ପଟେ ନଦୀନାଳର ମାଟିଗୋଡି, ପ୍ଲାଷ୍ଟିକ, ପଲିଥିନ ଆଦିି ବର୍ଜ୍ୟବସ୍ତୁ ଆସି ଚିଲିକାରେ ମିଶୁଛି। ଏହା ଦ୍ୱାରା ଚିଲିକା ପୋତିହେବା ସହ ଜଳଜୀବଙ୍କ ଉପରେ ପ୍ରଭାବ ପଡୁଛି। ଅନ୍ୟପଟେ ପ୍ରାୟ୧୫୦ବର୍ଗ କିମି ଇଲକାରେ ନଳଘାସ ପୂର୍ଣ୍ଣ ହୋଇଛି। ଚିଲିକାରେ ୧୦ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ମାଟି ଘେରି ରହିଛି। ବିଶେଷକରି ଚୁଙ୍ଗୁଡି ଘେରିରେ ରାସାୟନିକ ସାର ପ୍ରୟୋଗ ଓ ଉକ୍ତ ପାଣି ଚିଲିକାରେ ମିଶିବା ଦ୍ୱାରା ଚିଲିକାର ପରିବେଶ ନଷ୍ଟ ହେଉଛି। ପୁରୀ ଜିଲା ବରକୁଦିଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ କୁମଣ୍ଡପାଟଣା ଉପକୂଳବର୍ତ୍ତୀ ଅଞ୍ଚଳରେ ନାଳଘାସ ମାଡିଗଲାଣି। ନଳଘାସ ଯୋଗୁ ଚିଲିକାର ଜଳରାଶି ସଙ୍କୁଚିତ ହେବା ସହ ଚିଲିକା ଉପରେ ନର୍ଭର କରୁଥିବା ମତ୍ସ୍ୟଜୀବୀଙ୍କ ଜୀବିକା ଉଜୁଡିବାକୁ ବସିଛି। ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ଜାରି ରହିଛି। ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନଭାବେ ଗଢ଼ିଉଠିଥିବା ମାଟିବନ୍ଧ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ଯୋଜନା ରହିଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ ଲାଗି ଗୁରୁତ୍ୱ ଦିଆଯାଉଛି।