ସାମାଜିକ ବାସନ୍ଦ ସମାଜ ପାଇଁ କଳଙ୍କ

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ନିକଟରେ ଗଞ୍ଜାମ ଜିଲା ଆସିକା ବ୍ଲକ୍‌ ଅର୍ନ୍ତଗତ ହରିଡ଼ାପଦର ଗ୍ରାମରେ ପ୍ରାୟ ଦୁଇଶହ ଦଳିତ ପରିବାରକୁ ଗଁାର ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକେ ସାମାଜିକ ବାସନ୍ଦ କରିବା ଅଭିଯୋଗ ହୋଇଛି। ବାସନ୍ଦର ଶିକାର ଦଳିତ ଲୋକଙ୍କୁ ଗଁା ରାସ୍ତାରେ ବାହାଘର ଶୋଭାଯାତ୍ରା ନେବା, ଦୋକାନ ବଜାରରୁ ଜିନିଷପତ୍ର କିଣିବା, ପୋଖରୀକୁ ଗାଧୋଇବାକୁ ଯିବା ଓ ମନ୍ଦିରକୁ ଯିବା ଏପରିକି ସେମାନଙ୍କ ପିଲାମାନେ ଅଙ୍ଗନୱାଡ଼ି ଓ ସ୍କୁଲକୁ ଯିବାକୁ ମନା କରାଯାଇଥିବା ଜଣାପଡ଼ିଛି। ଜାତିଗତ କାରଣରୁ ଗଞ୍ଜାମ ଜିଲାର କମାଗଡ଼ଠାରେ ଦଳିତଙ୍କ ଘରପୋଡ଼ି ଓ ବାସନ୍ଦ କରାଯାଇଥିବା ବେଳେ ବାଲିଛାଇର ୫୦ ଦଳିତ ପରିବାରକୁ ୧୪ ବର୍ଷ ହେଲା ଗଁାରୁ ତଡ଼ି ଦିଆଯାଇଛି। ଗୁଣିଆ ସନ୍ଦେହରେ ତାରସିଂ ଥାନା ଅନ୍ତର୍ଗତ ବଡ଼ଖଣ୍ଡା ଗଁାରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ତିନି ଲକ୍ଷ ଟଙ୍କା ଜରିମାନା ଦେବାକୁ ଅକ୍ଷମତା ପ୍ରକାଶ କରିବାରୁ ଗଁାର ତିନୋଟି ପରିବାରକୁ ନିକଟରେ ବାସନ୍ଦ କରାଯାଇଛି। ସେହିପରି କୋରାପୁଟ ଜିଲା ଜୟପୁର ବ୍ଲକ୍‌ ଅନ୍ତର୍ଗତ ବୈରାଗୀମଠ ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତି ଅନ୍ୟ ଜାତିର ବ୍ୟକ୍ତିଙ୍କ ଘରେ ଖାଇଥିବାରୁ ତା’ ପରିବାରକୁ ଗଁା ଲୋକେ ସାମାଜିକ ବାସନ୍ଦ କରିଥିଲେ। ନିକଟରେ ତାଙ୍କର ମାଆଙ୍କ ମୃତ୍ୟୁ ପରେ ଗଁା ଲୋକେ ତାଙ୍କୁ ସହଯୋଗ ନ କରିବାରୁ ସେ ଏକାକୀ ମାଆଙ୍କ ଶବକୁ ଘୋଷାଡ଼ି ଘୋଷାଡ଼ି ଶ୍ମଶାନକୁ ନେଇ ଅନ୍ତିମ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ। ଅତୀତରେ ପୁରୀ ଜିଲାର ବିଭିନ୍ନ ଗ୍ରାମରେ ବିବାହ ସମୟରେ ବରର ଗୋଡ଼ ଧୋଇବା ପରି ଅପମାନଜନକ ପରମ୍ପରାକୁ ନ ମାନିବାରୁ ବାରିକ ସମ୍ପ୍ରଦାୟର ଲୋକଙ୍କୁ ସବର୍ଣ୍ଣ ଲୋକଙ୍କ ଦ୍ୱାରା ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ିଛି।
ମାଲକାନଗିରି ଜିଲାର ବିଭିନ୍ନ ଗ୍ରାମରେ ବଙ୍ଗଳା ଭାଷୀ ଲୋକଙ୍କ ମଧ୍ୟରେ ଏକ ବଡ଼ ଭାଗ ମତୁଆ ସମ୍ପ୍ରଦାୟର ଲୋକେ ରହୁଛନ୍ତି। ସମାଜ ସଂସ୍କାରକ ହରିଚାନ୍ଦ ଠାକୁରଙ୍କ ଅନୁଗାମୀ ଭାବେ ପରିଚିତ ଏହି ଲୋକମାନେ ଜାତିଗତ ବିଦ୍ୱେଷ ଓ ବ୍ରାହ୍ମଣବାଦୀ ରୀତିନୀତିରୁ ଦୂରରେ ରହି ସେମାନଙ୍କ ବିବାହ, ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ବ୍ରାହ୍ମଣ ବା ପୁରୋହିତଙ୍କ ବଦଳରେ ନିଜର ଗୁରୁଙ୍କ ପରାମର୍ଶରେ କରିଥା’ନ୍ତି। କିନ୍ତୁ ପରିତାପର ବିଷୟ, ସେଭଳି ସଂସ୍କାରମୂଳକ କାର୍ଯ୍ୟ କରୁଥିବା ଲୋକଙ୍କୁ ଅନ୍ୟ ଉଚ୍ଚ ଜାତିର ଲୋକଙ୍କ ଦ୍ୱାରା ସାମାଜିକ ବାସନ୍ଦ ଓ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି।
ଗୁଣି ଗାରେଡ଼ିଜନିତ ଅନ୍ଧବିଶ୍ୱାସଠାରୁ ଆରମ୍ଭ କରି ଆନ୍ତଃଜାତି ବିବାହ, ବ୍ରାହ୍ମଣବାଦୀ ଧାର୍ମିକ ରୀତିନୀତିକୁ ନ ମାନିବା, ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହେବା ଏପରିକି ରାଜନୈତିକ ବିବାଦ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ସାମାଜିକ ବାସନ୍ଦର ଶିକାର ହେଉଛନ୍ତି। ଯେଉଁମାନେ ଜାତି ବା କୁଳରୁ ବାସନ୍ଦ ହେଉଛନ୍ତି, ସେମାନଙ୍କ କ୍ଷେତ୍ରରେ ନିଜର ପୁଅ ଝିଅଙ୍କ ବାହାଘର ନିଜ ଜାତିରେ କରିବା ସମ୍ଭବ ହେଉନି। ସେମାନଙ୍କ କୌଣସି ସାମାଜିକ ଉତ୍ସବ ଏପରିକି ମୃତ୍ୟୁ ହେଲେ ନିଜର ଜ୍ଞାତି କୁଟୁମ୍ବମାନେ ଭୟରେ ଯୋଗଦେବା ସମ୍ଭବ ହୋଇନଥାଏ। ଯେଉଁମାନେ ବାସନ୍ଦ ନିଷ୍ପତ୍ତି ବିରୋଧରେ ଯାଇ ପୀଡ଼ିତ ବ୍ୟକ୍ତି ବା ପରିବାର ସହ ସମ୍ପର୍କ ରଖୁଛନ୍ତି ବା ସେମାନଙ୍କ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଉଛନ୍ତି, ସେମାନଙ୍କୁ ମଧ୍ୟ ଜରିମାନା ଦେବାକୁ ପଡ଼ୁଛି ଅଥବା ବାସନ୍ଦର ଶିକାର ହେବାକୁ ପଡ଼ୁଛି।
ଗ୍ରାମାଞ୍ଚଳରେ ସାମାଜିକ ସମ୍ପର୍କ଼ ଓ ନିର୍ଭରଶୀଳତା ଅଧିକ ନିବିଡ଼ ରହିଥିବାରୁ ସାମାଜିକ ବାସନ୍ଦ ନିଷ୍ପତ୍ତି ଜଣେ ବ୍ୟକ୍ତି ବା ସମୂହ ପାଇଁ ଭୟାବହ ହୋଇଥାଏ। ବାସନ୍ଦ କାରଣରୁ ବ୍ୟକ୍ତିଟି ଗଁାର ସଂଖ୍ୟାଗରିଷ୍ଠ ଲୋକଙ୍କ ଦ୍ୱାରା ଉଭୟ ସାମାଜିକ ଓ ଅର୍ଥନୈତିକ ଭାବେ ଆକ୍ରମଣର ଶିକାର ହୋଇ ଭୟଙ୍କର କ୍ଷତିଗ୍ରସ୍ତ ହୋଇଥାଏ। ସମାଜରେ ତା’ର ସ୍ଥିତି ହଠାତ୍‌ ନିମ୍ନଗାମୀ ହେବା ଯୋଗୁ ସେ ନିଜର ନାଗରିକ ଅଧିକାର ହରାଇବା ସହ ପ୍ରତି ମୁହୂର୍ତ୍ତରେ ଆତଙ୍କଭରା ଜୀବନ ଜିଇବାକୁ ବାଧ୍ୟ ହୋଇଥାଏ। ଯଦିଓ କିଛି କ୍ଷେତ୍ରରେ ପୀଡ଼ିତ ଲୋକେ ଆଇନର ଆଶ୍ରୟ ନେଇ ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହେଉଛନ୍ତି, କିନ୍ତୁ ବିଭିନ୍ନ କାରଣରୁ ସେମାନଙ୍କୁ ନ୍ୟାୟ ମିଳି ନ ଥାଏ। ଅଧିକାଂଶ ଘଟଣାରେ ପୋଲିସ, ପ୍ରଶାସନ ଓ ରାଜନୈତିକ ନେତାମାନେ ପୀଡ଼ିତର ପକ୍ଷ ନେବା ପରିବର୍ତ୍ତେ ସାମାଜିକ ବାସନ୍ଦ କରିଥିବା ଲୋକଙ୍କୁ ପ୍ରତ୍ୟକ୍ଷରେ ନ ହେଲେ ବି ପରୋକ୍ଷରେ ସମର୍ଥନ କରିଥା’ନ୍ତି। ଫଳରେ ପୀଡ଼ିତ ଚୁପ୍‌ଚାପ୍‌ ବାସନ୍ଦଜନିତ ଅନ୍ୟାୟ ଓ ନିର୍ଯାତନାକୁ ସହିବାକୁ ବାଧ୍ୟ ହୋଇଥାଏ।
ଆମ ଦେଶରେ ସାମାଜିକ ବାସନ୍ଦ କଥା ବହୁତ ପୁରୁଣା। ଅତୀତରେ ସମାଜରେ ଆଇନକାନୁନ କିମ୍ବା ସମ୍ବିଧାନ ତଥା ଗଣତାନ୍ତ୍ରିକ ବ୍ୟବସ୍ଥା ନ ଥିବା ବେଳେ ସମାଜର ତଳସ୍ତରରେ ନ୍ୟାୟ ବିଚାର କରିବାକୁ ଲୋକେ ଗଁାରେ ଏଭଳି ସଭାର ଆୟୋଜନ କରୁଥିଲେ। କିନ୍ତୁ ଦେଶରେ ସମ୍ବିଧାନ ଓ ଆଇନର ବ୍ୟବସ୍ଥା ଲାଗୁ ହେବା ପରେ ବି ଏଭଳି ବ୍ୟବସ୍ଥା ଆଜି ଅବ୍ୟାହତ ରହିବା ଲଜ୍ଜାଜନକ। ଗଁାମାନଙ୍କ ପରି ନିଜର ଜାତିର ଲୋକଙ୍କୁ ଶୃଙ୍ଖଳିତ ଏବଂ ନିୟନ୍ତ୍ରିତ କରିବା ନଁାରେ ବିଭିନ୍ନ ଜାତିର କୁଳ ସଙ୍ଗଠନ ସବୁ ରହିିଛି। ଜାତି, ଧର୍ମ, ଗୋତ୍ର ଆଦି ଆଧାରରେ ନୀତି ନିୟମ କରି ନ୍ୟାୟ ବିଚାର କରୁଥିବା ଏହି ଗଁା ସଭା ଓ କୁଳ ସମାଜଗୁଡ଼ିକ ମୁଖ୍ୟତଃ ଏକ ପଶ୍ଚାଦ୍‌ପଦ ସାମନ୍ତବାଦୀ ବିଚାରକୁ ପ୍ରତିନିଧିତ୍ୱ କରିବା ସହ ଦେଶର ସମ୍ବିଧାନ ଓ ନାଗରିକ ଅଧିକାରର ପରିପନ୍ଥୀ। ଦେଶର ଆଇନ ଅଦାଲତ ବାହାରେ ଏମାନେ ସମାନ୍ତରାଳ ଭାବେ ଏଭଳି ନ୍ୟାୟ ବିଚାର କରି ଦଣ୍ଡବିଧାନ କରିବା ଏବଂ ଅଗଣତାନ୍ତ୍ରିକ ଭାବେ ସାଧାରଣ ଜନତାଙ୍କ ଉପରେ ନିଜର ନିଷ୍ପତ୍ତିକୁ ଲଦିଦେବା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ସେମାନଙ୍କ ନିଷ୍ପତ୍ତିଗୁଡ଼ିକ ପ୍ରାୟତଃ ଅଗଣତାନ୍ତ୍ରିକ, ରୂଢ଼ିବାଦୀ, ଜାତିବାଦୀ ଏବଂ ମହିଳା ବିରୋଧୀ ହୋଇଥାଏ। ତେବେ ଦୁଃଖର କଥା, ସମାଜରେ ସାମାଜିକ ବାସନ୍ଦ ପରି ଏକ ଘୃଣ୍ୟ ବ୍ୟବସ୍ଥା ଖୋଲାଖୋଲି ଭାବେ ଚାଲିଥିବା ବେଳେ ତାକୁ ରୋକିବା ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ। ୨୦୧୬ରେ ମହାରାଷ୍ଟ୍ର ସରକାର ସାମାଜିକ ବାସନ୍ଦକୁ ଅପରାଧ ଘୋଷଣା କରି ସ୍ବତନ୍ତ୍ର ଆଇନ କରିଥିବା ବେଳେ ଆମ ରାଜ୍ୟରେ କିନ୍ତୁ ଏଯାଏଁ କୌଣସି ଆଇନ ପ୍ରଣୟନ ହୋଇ ନାହିଁ ଏବଂ ଏଭଳି ଅପରାଧୀଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଅତିବେଶିରେ କୌଣସି ସାମାଜିକ ବାସନ୍ଦ ଘଟଣାରେ ସ୍ଥାନୀୟ ପ୍ରଶାସନ ସିଆର୍‌ପିସିର ଧାରା ୧୦୭ ପ୍ରକାରେ ଉଭୟ ପକ୍ଷକୁ ଡାକି କେବଳ ଶାନ୍ତିରକ୍ଷାର ଏକ ଅସ୍ଥାୟୀ ଉଦ୍ୟମ କରିଥାଏ। ଏପରିକି ସାମାଜିକ ବାସନ୍ଦ କରିଥିବା ଲୋକଙ୍କ ବିରୋଧରେ ପ୍ରଭାବଶାଳୀ ସିଆର୍‌ପିସିର ଧାରା ୧୦୮ ପ୍ରକାରେ ଆଇନଗତ ପ୍ରକ୍ରିୟା ଗ୍ରହଣ କରିବାକୁ ବି ପ୍ରସ୍ତୁତ ନଥାଏ। ତେବେ ସ୍ବତନ୍ତ୍ର ଆଇନ ନ ଥିବାରୁ ସାମାଜିକ ବାସନ୍ଦ କରୁଥିବା ଅପରାଧୀମାନେ ଦଣ୍ଡ ପାଉନଥିବା ବେଳେ ପୀଡ଼ିତ ବ୍ୟକ୍ତି ବା ତା’ପରିବାର ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଥାଏ। ଏପରିକି ବାସନ୍ଦ ଯୋଗୁ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେଉଥିଲେ ବି ସେମାନେ ସରକାରଙ୍କଠାରୁ କୌଣସି କ୍ଷତିପୂରଣ ବା ଥଇଥାନ ସୁବିଧା ପାଇବା ସମ୍ଭବ ହୋଇନଥାଏ। ଅତଏବ ସାମାଜିକ ବାସନ୍ଦ ପରି ଅମାନବୀୟ ଅପରାଧକୁ ରୋକିବାକୁ ହେଲେ ସମାଜରେ ସଚେତନତା ସୃଷ୍ଟି କରିବା ସହିତ ଏଥିପାଇଁ ଏକ ସଶକ୍ତ ଆଇନ ପ୍ରଣୟନ କରି ଏଭଳି କାର୍ଯ୍ୟକୁ ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଘୋଷଣା କରିବା ଅତ୍ୟନ୍ତ ଜରୁରୀ।
ମୋ: ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri