୧୫ ବର୍ଷରେ ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ୧୫ ବର୍ଷରେ ପଦାର୍ପଣ କରିଛି। ଭୁବନେଶ୍ୱରରେ ଜନ୍ମ ନେଇଥିବା ଏହି ପ୍ରତିଷ୍ଠାନ ପୂର୍ବ ଭାରତରେ ଏକ ଉଜ୍ଜ୍ୱଳ ଶିକ୍ଷାକେନ୍ଦ୍ର ଭାବେ ଉଭା ହୋଇଛି। ଶିକ୍ଷାର ଗୁଣବତ୍ତା ଓ ଅଭିନବ ଗବେଷଣା ଉପରେ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେଇ ଆସିଛି। ଏ କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରମାଣିତ କରିବା ସହ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। ୨୦୦୭ ଜୁଲାଇ ୧୭ରେ ୟୁଜିସି ଆକ୍ଟ ୧୯୫୬ ସେକ୍ସନ ୩ ଅନୁଯାୟୀ କେନ୍ଦ୍ର ସରକାର ସୋଆକୁ ଡିମ୍‌ଡ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ। ବର୍ତ୍ତମାନ ଏହି ଶିକ୍ଷାନୁଷ୍ଠାନରେ ଦେଶ ବିଦେଶର ୧୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରୁଛନ୍ତି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ ଫ୍ରେମ୍‌ଓ୍ବାର୍କ(ଏନ୍‌ଆଇଆର୍‌ଏଫ୍‌)ରେ ଗତ ୫ ବର୍ଷ ହେବ କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗସ ୨୦୨୦ରେ ସୋଆ ବିଶ୍ୱ ସ୍ତରରେ ୮୦୧-୧୦୦୦ ବ୍ରାକେଟ୍‌ ଓ କ୍ୟୁଏସ୍‌ ଏସିଆ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୧ରେ ୩୫୧ରୁ ୪୦୦ ବ୍ରାକେଟ୍‌ ମଧ୍ୟରେ ରହିଛି। ୨୦୨୦ରେ କ୍ୟୁଏସ୍‌ ଆଇଗଜ୍‌ ପକ୍ଷରୁ ଡାଇମଣ୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ମିଳିଛି। ମହାମାରୀ ସମୟରେ ଅନ୍‌ଲାଇନ ଶିକ୍ଷାଦାନ ଓ ପାଠ୍ୟକ୍ରମ ପରିଚାଳନା ଲାଗି ସୋଆକୁ କ୍ୟୁଏସ୍‌ ଆଇଗଜ୍‌ ଲିଡ୍‌ ସମ୍ମାନ ମିଳିଛି। ଟାଇମ୍ସ ହାୟର ଏଜୁକେଶନ ଓ୍ବାର୍ଲଡ ର଼୍ୟାଙ୍କିଙ୍ଗରେ ୧୦୦୧ ପ୍ଲସ କାଟେଗୋରି, ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନ୍ସରେ ୬୦୧ରୁ ୮୦୦ ବ୍ରାକେଟରେ ସୋଆ ରହିଛି। ନାକ୍‌ ଏ ଗ୍ରେଡ, ଟିଏଚ୍‌ଇ ଏସିଆଇ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ, ଟିଏସ୍‌ଇ ଏମିର୍ଜିଂ ଇକୋନୋମିକ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ସମ୍ମାନଜନକ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ପ୍ରତିଷ୍ଠାନର ୧୧ ଜଣ ଗବେଷକ ରହିଛନ୍ତି। ୨୪ ଅଣ୍ଡର ଗ୍ରାଜୁଏଟ, ୭୬ ପୋଷ୍ଟ ଗ୍ରାଜୁଏଟ, ୧୫ ପୋଷ୍ଟ ମାଷ୍ଟର୍ସ, ପିଏଚ୍‌ଡି ଏବଂ ପୋଷ୍ଟ ଡକ୍ଟରାଲ ପାଠ୍ୟକ୍ରମ ଉପଲବ୍ଧ ରହିଥିବାବେଳେ ମହାମାରୀ ସତ୍ତ୍ୱେ ୯୧% ଇଞ୍ଜିନିୟରିଂ ଗ୍ରାଜୁଏଟ ବିଭିନ୍ନ କମ୍ପାନୀରେ କ୍ୟାମ୍ପସ ନିଯୁକ୍ତି ପାଇଛନ୍ତି। ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍‌ ମେଡିସିନ, ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଓ ସମ ହସ୍ପିଟାଲ ୧୬ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଦ୍ୱାରା ସୁଲଭ ମୂଲ୍ୟରେ ଚିକିତ୍ସା ସେବା ପ୍ରଦାନ କରୁଛି। କୋଭିଡ୍‌ କେୟାର କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସହଯୋଗ ଜାରି ରଖିଥିବା ସୋଆ ପକ୍ଷରୁ କୁହାଯାଇଛି।